ଏସୀୟ କ୍ରୀଡା ହକିରେ ସ୍ୱର୍ଣ୍ଣ ପଦକ ବିଜୟୀ ଭାରତୀୟ ଦଳକୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ, ଅର୍ଥ ପୁରସ୍କାର ଘୋଷଣା | News Room Odisha

ଏସୀୟ କ୍ରୀଡା ହକିରେ ସ୍ୱର୍ଣ୍ଣ ପଦକ ବିଜୟୀ ଭାରତୀୟ ଦଳକୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ, ଅର୍ଥ ପୁରସ୍କାର ଘୋଷଣା

ଭୁବନେଶ୍ୱର – ହାଙ୍ଗଝୁ ଏସୀୟ କ୍ରୀଡାରେ ସ୍ୱର୍ଣ୍ଣ ପଦକ ଜିତିଥିବା ଭାରତୀୟ ପୁରୁଷ ହକି ଦଳକୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଫାଇନାଲରେ ଜାପାନକୁ ୫-୧ ଗୋଲରେ ହରାଇ ଭାରତ ସ୍ୱର୍ଣ୍ଣ ଜିତିବା ସହ ପ୍ୟାରିସ ଅଲିମ୍ପିକ ପାଇଁ ମଧ୍ୟ ଯୋଗ୍ୟତା ହାସଲ କରିଛି । ଭାରତୀୟ ଦଳ ଆଗକୁ ମଧ୍ୟ ଶ୍ରେଷ୍ଠ ପ୍ରଦର୍ଶନ କରି ଦେଶ ପାଇଁ ଗୈାରବ ଆଣିବେ ବୋଲି ଆଶା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ଖୋଦ୍ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସ ଜରିଆରେ ଭାରତୀୟ ଦଳର ଖେଳାଳୀମାନଙ୍କ ସହ ବ୍ୟକ୍ତିଗତ ଭାବେ କଥା ହୋଇ ଅଭିନନ୍ଦନ ଜଣାଇଥିଲେ । ଏଥିସହ ବିଜୟୀ ଦଳର ପ୍ରତି ଖେଳାଳି ଓ ସପୋର୍ଟ ଷ୍ଟାଫଙ୍କ ପାଇଁ ୫ ଲକ୍ଷ ଟଙ୍କା ଲେଖାଏଁ ଅର୍ଥ ପୁରସ୍କାର ଘୋଷଣା କରିଛନ୍ତି। ଆଗାମୀ ପ୍ରତିଯୋଗିତାଗୁଡିକ ପାଇଁ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ୫-ଟି ସଚିବ ଭି.କେ ପାଣ୍ଡିଆନ ଓ କ୍ରୀଡା ସଚିବ ଭିନିଲ କ୍ରିଷ୍ଣା ମଧ୍ୟ ଭାରତୀୟ ହକି ଦଳକୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଭାରତୀୟ ହକି ଦଳକୁ ଓଡ଼ିଶା ସରକାର ପ୍ରାୟୋଜିତ କରୁଛନ୍ତି। ଗତ ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ଜିତିଲା ପରେ ଏସୀୟ କ୍ରୀଡା ସ୍ୱର୍ଣ୍ଣ ଆଉ ଏକ ବିରାଟ ସଫଳତା । ଏହାଛଡା ଭାରତ ଏବର୍ଷ ଚେନ୍ନାଇରେ ଅନୁଷ୍ଠିତ ଏସିଆନ ଚାମ୍ପିଅନସ ଟ୍ରଫିରେ ଚାମ୍ପିୟନ ହୋଇଥିଲା ।