ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ଶାରଦୀୟ ଦୁର୍ଗାପୂଜା। ଦୁର୍ଗା ଉଥପ୍ପନ ସହିତ ସମ୍ପର୍ଣ୍ଣ ହୋଇଛି ସହସ୍ର କୁମ୍ଭାଭିଷେକ। ମାଜଣା ମଣ୍ଡପରେ ଦେବି ଦୁର୍ଗାଙ୍କୁ ପୂଜାପଣ୍ଡା ସାମନ୍ତ ୧୦୮ କୁମ୍ଭରେ ଅଭିଷେକ ସମ୍ପର୍ଣ୍ଣ ପରେ ଶୀତଳ ଭୋଗ ବଢି ଦେବୀ ରତ୍ନ ସିଂହାସନ କୁ ବିଜେ କରିଥିଲେ। ଏହାପରେ ଦୁର୍ଗାଙ୍କ ସହିତ ମାଧବ ଙ୍କୁ ଭଦ୍ରା ଆସନରେ ରୁନ୍ଧାଯାଇ ବିମଳା ମନ୍ଦିର କୁ ବିଜେ କରିଥିଲେ। ଏହାପରେ ବିମଳା ମନ୍ଦିରରେ ଦେବୀ ବିମଳା ଷୋଳ ପୂଜାରେ ବସିଥିଲେ।
କୁମ୍ଭାଭିଷେକ’ର ଅର୍ଥ ସହସ୍ରକୁମ୍ଭ ଜଳରେ ଦେବୀଙ୍କୁ ସ୍ନାନ କରାଇବା। ବିଲ୍ୱବରଣ ମାଧ୍ୟମରେ ଦେବୀଙ୍କୁ ପୀଠସ୍ଥାନକୁ ବରଣ କରି ଅଣାଯାଏ। ପରେ ଅର୍ଚ୍ଚକ ଦେବୀଙ୍କର ପ୍ରସାଧନ ନିମିତ୍ତ ସମସ୍ତ ସାମଗ୍ରୀ- ଯଥା ଗନ୍ଧ, ପୁଷ୍ପ, ଶିଳା, ଧାନ୍ୟ, ଦୂର୍ବା, ଅକ୍ଷତ, ଫଳ, ଦଧି, ଦୁଗ୍ଧ, ଘୃତ, ସ୍ୱସ୍ତିକ, ସିନ୍ଦୂର, ଶଙ୍ଖ, କଜ୍ୱଳ, ଗୋରଚନା, କାଞ୍ଚନ, ରୌପ୍ୟ, ତାମ୍ର, ଚାମର, ଦର୍ପଣ, ଦୀପ, ପାତ୍ର, ହରିଦ୍ରା, ଚନ୍ଦନ, କର୍ପୂର, ପଞ୍ଚଶସ୍ୟ, ଶ୍ରୀଫଳ, ଦାଡ଼ିମ ଆଦି ଅଧିବାସ ଗୃହରେ ସଂଚିତ କରି ରଖନ୍ତି। ତାପରେ ସହସ୍ର କୁମ୍ଭ ସ୍ଥାପନ କରାଯାଇ ସେଥିରେ ଅବସ୍ଥାନ କରିବା ନିମିତ୍ତ ଗଣେଶ, ବରୁଣ, ପଞ୍ଚଦେବତା, ଅଷ୍ଟଦିଗପାଳ, ଗ୍ରାମଦେବତୀ, ମାତୃକାଗଣ ଆଦି ସମସ୍ତ ଦେବଦେବୀଙ୍କୁ ଆବାହନ କରାଯାଏ। ଭୋଗବତୀ, ମନ୍ଦାକିନୀ, ଗଙ୍ଗାଜଳ, ବୃଷ୍ଟିଜଳ, ସରସ୍ୱତୀ ଜଳ, ସମୁଦ୍ରଜଳ, ପଦ୍ମରେଣୁଯୁକ୍ତ ଜଳ, ନିର୍ଝର ଜଳ, ସମସ୍ତ ତୀର୍ଥର ଜଳ, ଚନ୍ଦନ ଜଳ, ସର୍ବୌଷଧି ଜଳ ଏବଂ ବେଶ୍ୟାଦ୍ୱାର ମୃତ୍ତିକା, ବୃଷଶୃଙ୍ଗ ମୃତ୍ତିକା, ନଦମୃତ୍ତିକା, ନଦୀର ଉଭୟ ପାର୍ଶ୍ବ ମୃତ୍ତିକା, ଗଙ୍ଗା ମୃତ୍ତିକା ଆଦି ଶତାଧିକ ସାମଗ୍ରୀରେ ସେହି କୁମ୍ଭମାନଙ୍କୁ ପରିପୂର୍ଣ୍ଣ କରି, ସୁଗନ୍ଧି, ତୈଳ, ହରିଦ୍ରା, ଚନ୍ଦନ, କର୍ପୂର ଆଦି ଦେବୀଙ୍କ ଶରୀରରେ ଲେପନକରି, ତାଙ୍କର ସ୍ନାନ କରାଯାଇଥାଏ। ସାଧାରଣତଃ ଯେଉଁଠାରେ ପୀଠଦେବୀ ପ୍ରସ୍ତର ନିର୍ମିତ, ତାଙ୍କ ଉପରେ ମନ୍ତ୍ରପୂତ ଜଳ ଢଳାଯାଉଥିବାବେଳେ, ମୃଣ୍ମୟୀ ପ୍ରତିମାଙ୍କର ଦର୍ପଣ-ସ୍ନାନ କରାଯାଇଥାଏ। ଏହା ଦେବୀଙ୍କର କୁମ୍ଭାଭିଷେକ; ଅର୍ଥାତ୍ ଶୁଦ୍ଧସ୍ନାନ।