ମା' ତାରାତାରିଣୀ ପୀଠରେ ଶାରଦୀୟ ଷୋଡ଼ଶ ଦିନାତ୍ମକ ପୂଜା ଉତ୍ସବ ଆରମ୍ଭ | News Room Odisha

ମା’ ତାରାତାରିଣୀ ପୀଠରେ ଶାରଦୀୟ ଷୋଡ଼ଶ ଦିନାତ୍ମକ ପୂଜା ଉତ୍ସବ ଆରମ୍ଭ

ଛତ୍ରପୁର: ଗଞ୍ଜାମ ଜିଲ୍ଲାବାସୀଙ୍କ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ପାରମ୍ପରିକ ରୀତିନୀତି ଅନୁସାରେ ଶାରଦୀୟ ଷୋଡ଼ଶ ଦିନାତ୍ମକ ପୂଜା ଉତ୍ସବ ଆରମ୍ଭ ଆରମ୍ଭ ହୋଇଛି। ପ୍ରତ୍ୟେକ ବର୍ଷ ପରି ଚଳିତ ଥର ଆଶ୍ୱିନ ମାସ କୃଷ୍ଣ ପକ୍ଷ ମୁଳାଷ୍ଟମୀ ତିଥିରୁ ଆରମ୍ଭ ହୋଇଥିବା ଏହି ପୂଜା ଉପଚାର ବିଜୟା ଦଶମୀ ତିଥି ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଷୋଡ଼ଶ ପୂଜା ଉତ୍ସବ ପାଇଁ ପୀଠ ପରିସର ଉତ୍ସବମୁଖର ହୋଇଉଠିଛି।

ନୀତିନିୟମ ମୁତାବକ ଭାଦ୍ରବ ମାସ ଶୁକ୍ଲ ପକ୍ଷ ଅଷ୍ଟମୀ ତିଥିରେ ମା’ ତାରାତାରିଣୀ ନିଦ୍ରାଚ୍ଛନ୍ନ ହୋଇଥିଲ। ଆଶ୍ଵିନ ମାସ ଶୁକ୍ଲ ପକ୍ଷ ମୁଳାଷ୍ଟମୀ ତିଥିରେ ଦେବୀଙ୍କ ନିଦ୍ରା ଭଙ୍ଗ କରାଯାଇ ସହସ୍ରାଧିକ କୁମ୍ଭ ଜଳାଭିଷେକ କରାଯାଇଥିଲା। ଏଥିସହ ଆରମ୍ଭ ହୋଇଥିଲା ଷୋଡ଼ଶ ଦିବସୀୟ ପୂଜା ଉତ୍ସବ। ପ୍ରାରମ୍ଭରେ ମା’ ତାରାତାରିଣୀ ପୀଠର ପୁରୁଷ ଓ ମହିଳା ସେବାୟତମାନେ ନିକଟସ୍ଥ ଋଷିକୁଲ୍ୟା ନଦୀରୁ ଜଳଯାତ୍ରା କରି ଦେବୀଙ୍କୁ ସ୍ନାନ କରାଇଥିଲେ। ପରେ ମା’ଙ୍କ ଠାରେ ପଞ୍ଚକର୍ମ, ସୂର୍ଯ୍ୟ ପୂଜା, ଦ୍ଵାରପାଳ ପୂଜା, ଷୋଡ଼ଶ ଉପଚାର, ପ୍ରାତଃ ଚଣ୍ଡି ପାଠ କରାଯାଇ ବଳି ଭୋଗ, ବାଳଧୂପ, ମଧ୍ୟାହ୍ନ ଭୋଗ, ରାତ୍ର ଭୋଗ ଓ ବଡ଼ସିଂହାର ଭୋଗ କରାଯାଇଥିଲା। ଦେବୀ ତାରାତାରିଣୀଙ୍କ ଦୈନନ୍ଦିନ ପୂଜା ଅର୍ଚ୍ଚନା, ମାଜଣା ଭୋଗ ପୂର୍ବବତ୍ ସମ୍ପନ୍ନ ହୋଇଥିଲା। ମୁଖ୍ୟ ସେବାୟତ ତପନ କୁମାର ରଣା କର୍ତ୍ତା ଭାବେ କାର୍ଯ୍ୟ ତୁଲାଉଥିବା ବେଳେ ମନ୍ଦିରର ସମସ୍ତ ସେବକ ସହଯୋଗ କରୁଛନ୍ତି। ମୁଖ୍ୟ ପୁରୋହିତ ଭାବେ ପଣ୍ଡିତ ସୀମାଞ୍ଚଳ ଦାଶ ଶର୍ମା ଦାୟିତ୍ବ ବହନ କରୁଛନ୍ତି।

ତେବେ ଷୋଡ଼ଶ ପୂଜା ଅବସରରେ ମା’ ତାରାତାରିଣୀଙ୍କ ଅସ୍ଥାୟୀ ମଣ୍ଡପରେ ପ୍ରତ୍ୟହ ଦୁଇ ଥର ଚଣ୍ଡି ପାଠ ସାଙ୍ଗକୁ ଘୃତ ଯଜ୍ଞ ହେଉଛି। ଶାରଦୀୟ ଦୁର୍ଗାପୂଜାରେ ଦେବୀ ଦର୍ଶନ ନିମନ୍ତେ ଜିଲ୍ଲା ଓ ସାରା ରାଜ୍ୟରୁ ହଜାର ହଜାର ଶ୍ରଦ୍ଧାଳୁ ମା’ ତାରାତାରିଣୀଙ୍କ ପୀଠକୁ ଛୁଟି ଆସୁଛନ୍ତି। ଜିଲ୍ଲା ପ୍ରଶାସନ, ପୋଲିସ, ମନ୍ଦିର କମିଟି, ଟ୍ରଷ୍ଟ ବୋର୍ଡ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।