ବୃହତ ବିଜୟରୁ ବିଶ୍ବକପ୍ ଅଭିଯାନ ଆରମ୍ଭ କଲା ଦକ୍ଷିଣ ଆଫ୍ରିକା | News Room Odisha

ବୃହତ ବିଜୟରୁ ବିଶ୍ବକପ୍ ଅଭିଯାନ ଆରମ୍ଭ କଲା ଦକ୍ଷିଣ ଆଫ୍ରିକା

ନୂଆଦିଲ୍ଲୀ: ବୃହତ ବିଜୟ ସହ ଦକ୍ଷିଣ ଆଫ୍ରିକା ବିଶ୍ବକପ୍ ଅଭିଯାନ ଆରମ୍ଭ କରିଛି । ଅରୁଣ ଜେଟଲୀ ଷ୍ଟାଡିୟମରେ ଶନିବାର ଖେଳାଯାଇଥିବା ବିଶ୍ୱକପର ଏକ‌ ହାଇସ୍କୋରିଂ ମ୍ୟାଚରେ ଦକ୍ଷିଣ ଆଫ୍ରିକା ୧୦୨ ରନରେ ଶ୍ରୀଲଙ୍କାକୁ ହରାଇଛି । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ୫ ଓ୍ବିକେଟ୍ ହରାଇ ୪୨୮ ରନର ବିଶାଳ ସ୍କୋର କରିଥିଲା | ଦିନିକିଆ ବିଶ୍ବକପ ଇତିହାସରେ ଏହା ହେଉଛି ସର୍ବୋଚ୍ଚ ସ୍କୋର। ଦକ୍ଷିଣ ଆଫ୍ରିକାର ତିନି ଜଣ ବ୍ୟାଟ୍ସମ୍ୟାନ୍ ଶତକ ହାସଲ କରିଥିଲେ, ଯାହା ବିଶ୍ବକପରେ ପ୍ରଥମ ଘଟଣା। ଓପନର କ୍ୱିଣ୍ଟନ ଡି’କକ ୮୪ ବଲରେ ୧୦୦ ରନ କରିଥିବା ବେଳେ ୩ନଂରେ ବ୍ୟାଟିଂ କରିଥିବା ରସି ଭାନ ଡେର ଡୁସେନ ୧୧୦ ବଲରେ ୧୦୮ ଓ ଏଡେନ ମାର୍କମ ୫୪ ବଲରେ ବିସ୍ଫୋରକ ୧୦୬ ରନର ଇନିଂସ ଖେଳିଥିଲେ ।

୪୨୯ ରନର ଏକ ବିଶାଳ ବିଜୟଲକ୍ଷ୍ୟ ଜବାବରେ ଶ୍ରୀଲଙ୍କା ଲଢୁଆ ବ୍ୟାଟିଂ କରିଥିଲେ ମଧ୍ୟ ଏହି ଏଭରେଷ୍ଟ‌ ସଦୃଶ ଲକ୍ଷ୍ୟ ଦଳ ପାଇଁ ଶେଷରେ ଅପହଞ୍ଚ ସାବ୍ୟସ୍ତ ‌ହୋଇଥିଲା। ଶ୍ରୀଲଙ୍କା ୪୪.୫ ଓଭରରେ ୩୨୬ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା । ଦଳ ପକ୍ଷରୁ ଚଳିତ ଆସାଲଙ୍କା ସର୍ବାଧିକ ୭୯ ରନ୍ କରିଥିବା ବେଳେ କୁଶଲ ମେଣ୍ଡିସ୍ ୭୬ ଓ ଅଧିନାୟକ ଦାସଙ୍କ ଶନକା ୬୮ ରନ୍ କରିଥିଲେ । ଦକ୍ଷିଣ ଆଫ୍ରିକା ପକ୍ଷରୁ ଜେରାଲ୍ଡ କୋଏଜୀ ୩ଟି ଓ୍ବିକେଟ୍ ନେଇଥିବା ବେଳେ ରବାଡା, ୟାନସେନ ଓ ମହାରାଜ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ।

ବିଶ୍ୱକପରେ ଦ୍ରୁତତମ ଶତକ ମାରିଥିବା ଦକ୍ଷିଣ ଆଫ୍ରିକା ବ୍ୟାଟର ଏଡେନ ମାର୍କ୍ରମ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ । ମାର୍କ୍ରାମ ମାତ୍ର ୪୯ ବଲରେ ଶତକ ପୂରଣ କରି ୧୨ ବର୍ଷର ରେକର୍ଡ ଭାଙ୍ଗିଥିଲେ । ସେ ଆୟର୍ଲାଣ୍ଡର କେଭିନ ଓ’ବ୍ରାଏନଙ୍କ ରେକର୍ଡ ଭାଙ୍ଗିଛନ୍ତି । ଓ’ବ୍ରାଏନ ୨୦୧୧ ବିଶ୍ବକପରେ ଇଂଲଣ୍ଡ ବିପକ୍ଷରେ ୫୦ ବଲରେ ଶତକ ପୂରଣ କରିଥିଲେ |

ଦକ୍ଷିଣ ଆଫ୍ରିକା ଦଳ ମଧ୍ୟ ଦିନିକିଆ ବିଶ୍ୱକପ୍‌ରେ ସର୍ବାଧିକ ୪୦୦ ପ୍ଲସ୍ ସ୍କୋର କରିବାର ରେକର୍ଡ କରିଛି । ଦକ୍ଷିଣ ଆଫ୍ରିକା ଏପର୍ଯ୍ୟନ୍ତ ତିନିଥର ୪୦୦ରୁ ଊର୍ଦ୍ଧ୍ବ ସ୍କୋର କରିଛି । ଭାରତ ଓ ଅଷ୍ଟ୍ରେଲିଆ ବିଶ୍ୱକପରେ ଥରେ ଲେଖାଏଁ ୪୦୦ ଟପିଛନ୍ତି ।