ଆଜି ଅଷ୍ଟ୍ରେଲିଆ ବିପକ୍ଷରେ ବିଶ୍ବକପ୍ ଅଭିଯାନ ଆରମ୍ଭ କରିବ ଭାରତ | News Room Odisha

ଆଜି ଅଷ୍ଟ୍ରେଲିଆ ବିପକ୍ଷରେ ବିଶ୍ବକପ୍ ଅଭିଯାନ ଆରମ୍ଭ କରିବ ଭାରତ

ଚେନ୍ନାଇ: ଏସୀୟ କ୍ରୀଡ଼ାରେ ୧୦୦ ପଦକ ବିଜୟର ଉତ୍ସବରେ ବୁଡ଼ି ରହିଥିବା ଭାରତୀୟ କ୍ରୀଡ଼ାପ୍ରେମୀଙ୍କ ନଜର ଏବେ ସେମାନଙ୍କ ପ୍ରିୟ କ୍ରିକେଟ୍ ଖେଳର ମହାସମର ଉପରେ ରହିବ । କାରଣ ୧୦ ବର୍ଷର ଆଇସିସି ଟ୍ରଫି ମରୁଡ଼ିର‌ ଅନ୍ତ ଘଟାଇବା ଲକ୍ଷ୍ୟରେ ଥିବା ରୋହିତ ଶର୍ମାଙ୍କ ନେତୃତ୍ଵାଧୀନ ଭାରତ ରବିବାର ଅଷ୍ଟ୍ରେଲିଆ ବିପକ୍ଷରେ ନିଜ ଅଭିଯାନ ଆରମ୍ଭ କରିବ ।

ପ୍ୟାଟ୍ କମିନ୍ସଙ୍କ ଅଷ୍ଟ୍ରେଲିଆ ଦଳକୁ ହରାଇବା ସହଜ ନୁହେଁ। ୧୯୮୬ରେ ଟାଇ ଟେଷ୍ଟ ହେଉ ଅବା ୨୦୦୧ ଟେଷ୍ଟ ସିରିଜର ନିର୍ଣ୍ଣାୟକ ମ୍ୟାଚ୍ କିମ୍ବା ରିଲାଏନ୍ସ କପରେ କଡ଼ା ମୁକାବିଲା, ଚେପକ୍ ଦୁଇ ଦଳ ମଧ୍ୟରେ‌ ଅନେକ ସ୍ମରଣୀୟ ମ୍ୟାଚର ସାକ୍ଷୀ ରହିଛି ।

ଭାରତର ବ୍ୟାଟିଂ ଶକ୍ତିଶାଳୀ ହୋଇଥିବାବେଳେ ଅଷ୍ଟ୍ରେଲିଆର ପେସ୍ ଆକ୍ରମଣ ମଧ୍ୟ କିଛି କମ୍ ଘାତକ ନୁହେଁ। ତେବେ ଚେନ୍ନାଇର ପ୍ରବଳ ଗରମ ଓ ଗୁଳୁଗୁଳି କଙ୍ଗାରୁ ଦଳ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହୋଇପାରେ |

ରୋହିତ ଶର୍ମା ନଭେମ୍ବର ୧୯ରେ କପ୍ ଉଠାଇ ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଲେଖିବାକୁ ବ୍ୟାକୁଳ | ଅନ୍ୟପକ୍ଷରେ ସଚିନ ତେନ୍ଦୁଲକରଙ୍କୁ ଟପିବାକୁ ଏହି ପିଢି଼ିର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ୩୫ ବର୍ଷୀୟ ବିରାଟ କୋହଲିଙ୍କୁ ଆଉ ତିନିଟି ଶତକ ଦରକାର ।

୧୨ ବର୍ଷ ପୂର୍ବେ ତେନ୍ଦୁଲକରଙ୍କୁ କାନ୍ଧରେ ଉଠାଇଥିବା କୋହଲି ଆଜି ସମାନ ସ୍ଥିତିରେ ଠିଆ ହୋଇଛନ୍ତି। କେବଳ ପାର୍ଥକ୍ୟ ଏତିକି ଯେ କୋହଲି ଥରେ ବିଶ୍ୱକପ ଜିତିସାରିଛନ୍ତି। ରୋହିତ ୨୦୦୭ ଟି-୨୦ ବିଶ୍ୱକପ ଓ ରବିଚନ୍ଦ୍ରନ ଅଶ୍ୱିନ ମଧ୍ୟ ୨୦୧୧ ବିଶ୍ୱକପ ବିଜୟୀ ଦଳର ସଦସ୍ୟ ଥିଲେ ।

କିନ୍ତୁ ସେହି ସବୁ ବିଜୟର କର୍ଣ୍ଣଧାର ଅନ୍ୟ ମହାନ ଖେଳାଳିମାନେ ଥିଲେ । ରୋହିତ, କୋହଲି ଓ ଅଶ୍ବିନ କେବଳ ସହାୟକ ଭୂମିକା ନିଭାଇଥିଲେ |

ଏହା ବର୍ତ୍ତମାନ ସେମାନଙ୍କ ବିଶ୍ୱକପ୍ | ରୋହିତ, କୋହଲି ଏବଂ ଅଶ୍ୱିନ ସେମାନଙ୍କର ମହାନତାର ଛାପ ଛାଡ଼ିବାକୁ ଚାହିଁବେ । ୩୫ ବର୍ଷୀୟ ରବୀନ୍ଦ୍ର ଜାଡେଜା କିମ୍ବା ୩୩ ବର୍ଷିୟ ମହମ୍ମଦ ସାମି ମଧ୍ୟ ପଛରେ ନାହାଁନ୍ତି। ଜସପ୍ରୀତ ବୁମରାଙ୍କ ପାଇଁ ମଧ୍ୟ ଏହା ‘ଏବେ କିମ୍ବା କେବେ ନୁହେଁ’ ।

ଚାରି ବର୍ଷ ପରେ ଏମାନଙ୍କ ମଧ୍ୟରୁ ଅଧିକାଂଶ ଖେଳାଳିଙ୍କୁ ବିଶ୍ୱକପରେ ଆଉ ଦେଖିବାକୁ ମିଳିନପାରେ, ଏବଂ କୋହଲି ତାଙ୍କ ଫିଟନେସ୍ ଆଧାରରେ ଖେଳିବାକୁ ସକ୍ଷମ ଥିଲେ ମଧ୍ୟ ଏହି ଫର୍ମାଟର ପ୍ରାସଙ୍ଗିକତା ଏବଂ ଆକର୍ଷଣୀୟ ରହିବ କି ନାହିଁ ତାହା କେହି ଜାଣନ୍ତି ନାହିଁ |

ଯଦି ଭାରତୀୟ ଦଳ ବିଶ୍ୱକପ ଜିତେ ତେବେ ଏହା ଦିନିକିଆ କ୍ରିକେଟ୍ ପାଇଁ ଏକ ଟନିକ୍ ଭାବେ କାମ କରିବ | ରୋହିତଙ୍କୁ ଜଣେ ବ୍ୟାଟ୍ସମ୍ୟାନ୍ ଭାବେ ନିଜର ଆକ୍ରମଣାତ୍ମକ ଆଭିମୁଖ୍ୟ ବଜାୟ ରଖିବାକୁ ପଡ଼ିବ | ଏହାଛଡ଼ା ତୃତୀୟ ସ୍ପେଶାଲିଷ୍ଟ ସ୍ପିନର ଭାବେ ଅଶ୍ୱିନଙ୍କୁ କେତେବେଳେ ଖେଳାଇବା ଏବଂ କେଉଁ ଆଧାରରେ ୩୬୦ ଡିଗ୍ରୀ ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ ଉପଯୋଗୀ ସାବ୍ୟସ୍ତ ହେବେ ତାହା ମଧ୍ୟ ରୋହିତ ଓ କୋଚ୍ ଦ୍ରାବିଡଙ୍କୁ ସ୍ଥିର କରିବାକୁ ପଡ଼ିବ।

ବେଳେବେଳେ ମହଙ୍ଗା ସାବ୍ୟସ୍ତ ହେଉଥିବା ଶାର୍ଦ୍ଦୁଲ ଠାକୁରଙ୍କ ଭଳି ବୋଲରଙ୍କୁ ଉତ୍ସାହିତ କରିବା ହେଉ ଅବା ଇଶାନ କିଶାନଙ୍କୁ ମିଚେଲ ଷ୍ଟାର୍କ ଭଳି ବୋଲରମାନଙ୍କ ବିପକ୍ଷରେ ନିର୍ଭୀକତାର ସହ ଖେଳିବାକୁ କହିବା, ରୋହିତଙ୍କୁ ଅଧିନାୟକ ଭାବେ ଶାନ୍ତ ରହି ନିଜ ଖେଳାଳିଙ୍କ ମନୋବଳ ବଢ଼ାଇବାକୁ ହେବ । କାରଣ ଏହି ବିଶ୍ବକପ୍ ତାଙ୍କ ନେତୃତ୍ବ ଦକ୍ଷତାର ମଧ୍ୟ ଏକ ବଡ଼ ପରୀକ୍ଷା ।

ଚେପକ୍ ୱିକେଟରେ ମଝି ଓଭରରେ ଭାରତୀୟ ସ୍ପିନରଙ୍କ ପ୍ରଦର୍ଶନ ନିର୍ଣ୍ଣାୟକ ହୋଇପାରେ। ଭାରତ ଚେପକରେ ୧୪ଟି ଦିନିକିଆ ମଧ୍ୟରୁ ୭ଟି ଜିତିଛି ଓ ୬ଟିରେ ହାରିଛି। ଅଷ୍ଟ୍ରେଲିଆ ଏଠାରେ ୬ଟି ଦିନିକିଆରୁ ପାଞ୍ଚଟି ଜିତିଛି।

ଭାରତ: ରୋହିତ ଶର୍ମା (ଅଧିନାୟକ), ଇଶାନ କିଶନ, ବିରାଟ କୋହଲି, ଶ୍ରେୟସ ଆୟର, କେ.ଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନ, କୁଲଦୀପ ଯାଦବ, ଜସପ୍ରୀତ ବୁମରା, ମହମ୍ମଦ ସିରାଜ, ମହମ୍ମଦ ସାମି, ସୂର୍ଯ୍ୟକୁମାର ଯାଦବ, ଶୁଭମାନ ଗିଲ୍।

ଅଷ୍ଟ୍ରେଲିଆ: ପ୍ୟାଟ୍ କମିନ୍ସ (ଅଧିନାୟକ), ଷ୍ଟିଭ୍ ସ୍ମିଥ୍, ଆଲେକ୍ସ କେରି, ଜୋସ୍ ଇଂଲିସ୍, ସନ୍ ଆବଟ୍, ଆଷ୍ଟନ୍ ଅଗର, କ୍ୟାମେରନ୍ ଗ୍ରୀନ୍, ଜୋସ୍ ହାଜଲେଉଡ୍, ଟ୍ରାଭିସ୍ ହେଡ୍, ମିଚେଲ ମାର୍ଶ, ଗ୍ଲେନ୍ ମ୍ୟାକ୍ସୱେଲ, ମାର୍କସ ଷ୍ଟୋଇନିସ୍, ଡେଭିଡ ୱାର୍ଣ୍ଣର, ଆଡାମ ଜାମ୍ପା, ମିଚେଲ ଷ୍ଟାର୍କ।

ମ୍ୟାଚ୍ ସମୟ: ଅପରାହ୍ନ ୨ଟା।