ଆତଙ୍କବାଦ ଦଫା ଓ ଗିରଫଦାରୀକୁ ଚ୍ୟାଲେଞ୍ଜ, 'ନ୍ୟୁଜକ୍ଲିକ୍' ପ୍ରତିଷ୍ଠାତା ପୁରକାୟସ୍ଥଙ୍କ ପିଟିସନ୍ ଉପରେ ରାୟ ସଂରକ୍ଷିତ | News Room Odisha

ଆତଙ୍କବାଦ ଦଫା ଓ ଗିରଫଦାରୀକୁ ଚ୍ୟାଲେଞ୍ଜ, ‘ନ୍ୟୁଜକ୍ଲିକ୍’ ପ୍ରତିଷ୍ଠାତା ପୁରକାୟସ୍ଥଙ୍କ ପିଟିସନ୍ ଉପରେ ରାୟ ସଂରକ୍ଷିତ

ନୂଆଦିଲ୍ଲୀ: ନ୍ୟୁଜ୍ ପୋର୍ଟାଲ୍ ‘ନ୍ୟୁଜକ୍ଲିକ୍’ ପ୍ରତିଷ୍ଠାତା ପ୍ରବୀର ପୁରକାୟସ୍ଥ ଓ ମାନବ ସମ୍ବଳ (ଏଚଆର) ବିଭାଗର ମୁଖ୍ୟ ଅମିତ ଚକ୍ରବର୍ତ୍ତୀଙ୍କ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ସୋମବାର ନିଜ ରାୟ ସଂରକ୍ଷିତ ରଖିଛନ୍ତି । ପୁରକାୟସ୍ଥ ଓ ଚକ୍ରବର୍ତ୍ତୀ ଆତଙ୍କବାଦ ନିରୋଧୀ ଆଇନ (ୟୁଏପିଏ) ଅଧୀନରେ ସେମାନଙ୍କ ଗିରଫଦାରୀ ଓ ପୋଲିସ୍ ରିମାଣ୍ଡକୁ ଚ୍ୟାଲେଞ୍ଜ କରିଥିଲେ ।

ପୁରକାୟସ୍ଥ ଓ ଚକ୍ରବର୍ତ୍ତୀଙ୍କ ପାଇଁ ହାଜର ହୋଇଥିବା ଓକିଲ ଯୁକ୍ତି ବାଢ଼ିଥିଲେ ଯେ ସେମାନଙ୍କ ମହକିଲଙ୍କ ଗିରଫଦାରୀ ଏବଂ ପୋଲିସ ହାଜତ ବିଭିନ୍ନ ଆଇନଗତ କାରଣରୁ ଗ୍ରହଣୀୟ ନୁହେଁ । ଗିରଫ ସମୟରେ ସେମାନଙ୍କୁ ଗିରଫ କରାଯିବାର କାରଣ ସମ୍ପର୍କରେ ଅବଗତ କରାଯାଇ ନଥିଲା । ଓକିଲମାନଙ୍କର ଅନୁପସ୍ଥିତିରେ ଉଭୟଙ୍କୁ କୋର୍ଟ ପୋଲିସ ରିମାଣ୍ଡରେ‌ ପଠାଇବା ଆଦେଶକୁ ମଧ୍ୟ ଚ୍ୟାଲେଞ୍ଜ କରାଯାଇଥିଲା ।

ଦିଲ୍ଲୀ ପୋଲିସ ତରଫରୁ ହାଜର ହୋଇଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ । ସେ କହିଥିଲେ ଯେ ଏହି ମାମଲା ‘ଗମ୍ଭୀର ଅପରାଧ’ ସହ ଜଡ଼ିତ ଏବଂ ଗିରଫଦାରୀ ୟୁଏପିଏର ଲିଖିତ ଆବଶ୍ୟକତା ଅନୁଯାୟୀ ବୈଧ ଅଟେ।

ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ଜଷ୍ଟିସ ତୁଷାର ରାଓ ଗାଡେଲା ରାୟ ସଂରକ୍ଷିତ ରଖିଛନ୍ତି ।

ଅକ୍ଟୋବର ୩ରେ ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ପୁରକାୟସ୍ଥ ଓ ଚକ୍ରବର୍ତ୍ତୀଙ୍କୁ ଗିରଫ କରିଥିଲା। ଉଭୟ ଏହି ଗିରଫଦାରୀ ଓ ୭ ଦିନିଆ ପୋଲିସ୍ ରିମାଣ୍ଡକୁ ଚ୍ୟାଲେଞ୍ଜ କରି ଗତ ସପ୍ତାହରେ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ । ଅନ୍ତରୀଣ ଜାମିନ ପାଇଁ ମଧ୍ୟ ଉଭୟ ନିବେଦନ କରିଥିଲେ।

‘ନ୍ୟୁଜକ୍ଲିକ୍’ ବିରୋଧରେ ଚୀନ୍‌ର ଏଜେଣ୍ଡା ପ୍ରଚାର ପାଇଁ ବିଦେଶରୁ ଆର୍ଥିକ ସହାୟତା ନେଉଥିବା ଅଭିଯୋଗ ହୋଇଛି । ଏଫ୍ଆଇଆର୍ ଅନୁଯାୟୀ, ‘ଭାରତର ସାର୍ବଭୌମତ୍ୱକୁ ଚ୍ୟାଲେଞ୍ଜ କରିବା’ ତଥା ଦେଶ ପ୍ରତି ଅସନ୍ତୋଷ ସୃଷ୍ଟି କରିବା ପାଇଁ ଏହି ନ୍ୟୁଜ୍ ପୋର୍ଟାଲ ଚୀନ୍ ଠାରୁ ବିପୁଳ ପରିମାଣର ଅର୍ଥ ପାଇଥିଲା।

୨୦୧୯ ଲୋକସଭା ନିର୍ବାଚନ ସମୟରେ ନିର୍ବାଚନ ପ୍ରକ୍ରିୟାକୁ ବାଧା ଦେବା ପାଇଁ ‘ନ୍ୟୁଜକ୍ଲିକ୍’ ପ୍ରତିଷ୍ଠାତା ପୁରକାୟସ୍ଥ ପିପୁଲ୍ସ ଆଲାଇନ୍ସ ଫର୍ ଡେମୋକ୍ରାସି ଆଣ୍ଡ ସେକ୍ୟୁରିଜିମ୍ (ପିଏଡିଏସ୍) ନାମକ ଏକ ସଂସ୍ଥା ସହ ମିଶି ଷଡ଼ଯନ୍ତ୍ର କରିଥିଲେ ବୋଲି ମଧ୍ୟ ଅଭିଯୋଗ ହୋଇଛି । ଦିଲ୍ଲୀ ପୋଲିସ ‘ନ୍ୟୁଜକ୍ଲିକ୍’ର ଦିଲ୍ଲୀ କାର୍ଯ୍ୟାଳୟକୁ ସିଲ୍ କରିଥିଲା ।