ଜାତୀୟସ୍ତରୀୟ ପ୍ରଦର୍ଶନୀ ଓ ପ୍ରକଳ୍ପ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଦିଲ୍ଲୀ ଗଲେ ଓଡ଼ିଶାର ୨୭ ଛାତ୍ରଛାତ୍ରୀ | News Room Odisha

ଜାତୀୟସ୍ତରୀୟ ପ୍ରଦର୍ଶନୀ ଓ ପ୍ରକଳ୍ପ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଦିଲ୍ଲୀ ଗଲେ ଓଡ଼ିଶାର ୨୭ ଛାତ୍ରଛାତ୍ରୀ

ଭୁବନେଶ୍ବର – କେନ୍ଦ୍ର ସରକାରଙ୍କର ବିଜ୍ଞାନ ଓ କାରିଗରୀ କୌଶଳ ମନ୍ତ୍ରାଳୟ ବିଭାଗ ଦ୍ଵାରା ଆୟୋଜିତ “ଜାତୀୟସ୍ତରୀୟ ପ୍ରଦର୍ଶନୀ ଓ ପ୍ରକଳ୍ପ ପ୍ରତିଯୋଗିତା” ରେ ଅଂଶ ଗ୍ରହଣ କରିବା ପାଇଁ ଓଡ଼ିଶାରୁ ୨୭ ଜଣ ଛାତ୍ରଛାତ୍ରୀ ଦିଲ୍ଲୀ ଗସ୍ତ କରିଛନ୍ତି । ଛାତ୍ରଛାତ୍ରୀମାନଙ୍କ ମଧ୍ଯରେ ବୈଜ୍ଞାନିକ ଓ ଅନୁସନ୍ଧିତ୍ସୁ ମନୋଭାବକୁ ଜାଗ୍ରତ କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ। ଏହି ପ୍ରକଳ୍ପ ମାଧ୍ଯମରେ ଛାତ୍ରଛାତ୍ରୀମାନଙ୍କ ମଧ୍ଯରେ ସୃଜନଶୀଳତାର ପରିପ୍ରକାଶ କରିବା ପାଇଁ ଏକ ଅଭିନବ ପ୍ରୟାସ କରାଯାଇଛି ।

ପ୍ରକାଶ ଥାଉକି, ଗତ ୭ ତାରିଖରେ ରାଜ୍ୟ ସରକାରଙ୍କ ତରଫରୁ କୃଷ୍ଣଚନ୍ଦ୍ର ନାୟକ, ଜିଲ୍ଲା ଶିକ୍ଷା ଅଧିକାରୀ-ତଥା-ଜିଲ୍ଲା ପ୍ରକଳ୍ପ ସଂଯୋଜକ, ସମଗ୍ର ଶିକ୍ଷା, କଟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଓଡ଼ିଶାରୁ ୧୪ ଜଣ ଛାତ୍ର ଓ ୧୩ ଜଣ ଛାତ୍ରୀ ଏବଂ ୮ ଜଣ ସହଯୋଗୀ ଶିକ୍ଷକ / ଶିକ୍ଷୟିତ୍ରୀ ବିଭିନ୍ନ ପ୍ରକଳ୍ପ ନେଇ ଦିଲ୍ଲୀ ଯାତ୍ରା କରିଛନ୍ତି । ଏହି କାର୍ଯ୍ୟକ୍ରମ ଆଜିଠୁ ୧୧ ତାରିଖ ଯାଏଁ ଚାଲିବ । ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ମନୋନୀତ ପ୍ରକଳ୍ପ ସବୁ ଜାତୀୟସ୍ତରରେ ପ୍ରଦର୍ଶିତ କରାଯାଉଅଛି । କୃତି ଓ ସର୍ବଶ୍ରେଷ୍ଠ ଚୟନ ହୋଇଥିବା ପ୍ରକଳ୍ପଗୁଡ଼ିକୁ ଆସନ୍ତା ୧୧ ତାରିଖରେ ପୁରସ୍କୃତ କରାଯିବ ।

ପ୍ରକାଶ ଥାଉକି, ଓଡ଼ିଶାରୁ ପ୍ରତିଯୋଗିତାରେ ଭାଗନେବା ପାଇଁ ମନୋନୀତ ପ୍ରକଳ୍ପଗୁଡ଼ିକ ମଧ୍ଯରେ ‘କାନ୍ଥକୁ ରଙ୍ଗ କରିବା ପାଇଁ ସ୍ବୟଂଚାଳିତ ରୋବଟ୍‌’, ‘ରୋଷେଇ ଘର ପାଇଁ ପରିବା ଯୋଗାଣକାରୀ’, ‘ବ୍ଲଟୁଥ୍‌ ଷ୍ଟେଥୋସକୋପ୍‌’, ‘ଜୀବନ ରକ୍ଷାକାରୀ ଏଲପିଜି ଗ୍ଯାସ ନିୟମାବଳୀ’, ‘ଗତିଶୀଳ ରାସ୍ତା ଡିଭାଇଡ଼ର’, ‘ଚୋପାଛଡା ଯନ୍ତ୍ର ତଥା ଗ୍ରାଇଣ୍ଡର’ ଭଳି ୨୭ଟି ପ୍ରକଳ୍ପ ପ୍ରଦର୍ଶିତ ହେଉଛି ।

ଅଂଶଗ୍ରହଣକାରୀ ଛାତ୍ରଛାତ୍ରୀମାନଙ୍କୁ ଭୁବନେଶ୍ଵରଠାରେ ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ସାହା ଶୁଭେଚ୍ଛା ଜଣାଇ ସେମାନଙ୍କର ସଫଳତା କାମନା କରିଛନ୍ତି । ଅନ୍ୟମାନଙ୍କ ମଧ୍ଯରେ ଓସେପାର ଉପନିର୍ଦ୍ଦେଶକ ମହେଶ୍ଵର ସାହୁ, ପ୍ରଶିକ୍ଷଣ ସହାୟିକା ଜୟାବାନାର୍ଜୀ ଓ ଅନ୍ୟାନ୍ୟ ଅଭିଭାବକମାନେ ଉପସ୍ଥିତ ରହି ସେମାନଙ୍କର ସଫଳତା କାମନା କରିଥିଲେ ।