ମୁଣ୍ଡାରୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ ପାଇଁ ରାଜ୍ୟ ସରକାରଙ୍କୁ ଦାବିପତ୍ର ପ୍ରଦାନ | News Room Odisha

ମୁଣ୍ଡାରୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ ପାଇଁ ରାଜ୍ୟ ସରକାରଙ୍କୁ ଦାବିପତ୍ର ପ୍ରଦାନ

ଭୁବନେଶ୍ଵର – ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ରାଜସ୍ଵ ,ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ ନେତୃତ୍ଵରେ ମୁଣ୍ଡା ସମାଜର ଏକ ପ୍ରତିନିଧି ମଣ୍ଡଳ ମୁଣ୍ଡାରୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି । ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ଦ୍ଵାରା କେନ୍ଦ୍ର ସରକାରଙ୍କୁ ସୁପାରିଶ କରିବା ନିମନ୍ତେ ଆଜି ପୂର୍ବାହ୍ନରେ ପ୍ରତିନିଧି ମଣ୍ଡଳୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୁଖ୍ୟ ପରାମର୍ଶଦାତା ଆର୍‌. ବାଲକ୍ରିଷ୍ଣନଙ୍କ ସହିତ ଅନୁସୂଚିତ ଜାତି ତଥା ଅନୁସୂଚିତ ଜନଜାତି କମିଶନର ତଥା ଶାସନ ସଚିବ ରୂପା ରୋସନ ସାହୁଙ୍କ ଉପସ୍ଥିତିରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥଲେ । ରାଜ୍ୟ ସରକାର ଏ ବାବଦରେ ଖୁବ୍‌ଶୀଘ୍ର ସକାରାତ୍ମକ ପଦକ୍ଷେପ ନେବେ ବୋଲି ଦୃଢ଼ ପ୍ରତିଶ୍ରୁତି ଦେଇଛନ୍ତି । ଏହି ଅବସରରେ ଭାରତ ମୁଣ୍ଡା ସମାଜର ସଭାପତି ରବୀନ୍ଦ୍ରନାଥ ସିଂ, ମୁଣ୍ଡାରୀ ସମାଜ ସାୱଁର ଜାମଡ଼ା, ବିର୍ସାମୁଣ୍ଡା ମେମୋରିଆଲ କଲଚର ଫାଉଣ୍ଡେସନର ଉପଦେଷ୍ଟା ପୂର୍ଣ୍ଣଚନ୍ଦ୍ର ସିଂ, ନନ୍ଦଲାଲ ସିଂ, ଶିବପ୍ରସାଦ ସିଂ, ସନ୍ତୋଷ କୁମାର ସିଂ, ରାଜେନ୍ଦ୍ରନାଥ ସିଂ, ଶବରନ ସିଂ, ଡକ୍ଟର ମହେନ୍ଦ୍ର ସିଂ, ବଳରାମ ସିଂ, ରୋହିଆ ସିଂ, ଅରୁଣ ସିଂ, ଜେନାପ୍ରସାଦ ସିଂ, ତପନ ସିଂ, ଭାରତୀ ସିଂ ଓ ମଞ୍ଜୁଲତା ସିଂଙ୍କ ସମେତ ଓଡ଼ିଶାର ବିଭିନ୍ନ ସମ୍ପ୍ରଦାୟର ମୁଣ୍ଡା ସମାଜର ପ୍ରତିନିଧିମାନେ ଯୋଗ ଦେଇଥିଲେ ।