ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡ଼ିଶାର ଅଂଶଗ୍ରହଣ ନେଇ ଉନ୍ନୟନ କମିଶନରଙ୍କ ପ୍ରସ୍ତୁତି ବୈଠକ | News Room Odisha

ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡ଼ିଶାର ଅଂଶଗ୍ରହଣ ନେଇ ଉନ୍ନୟନ କମିଶନରଙ୍କ ପ୍ରସ୍ତୁତି ବୈଠକ

ଭୁବନେଶ୍ବର – ଆଗାମୀ ନଭେମ୍ବର ୧୯ରୁ ୨୭ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀସ୍ଥିତ ପ୍ରଗତି ମୈଦାନରେ ୪୨ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା – ୨୦୨୩ ଅନୁଷ୍ଠିତ ହେବ । ଚଳିତ ବର୍ଷର ବିଷୟବସ୍ତୁ ରହିଛି ” ବସୁଧୈବ କୁଟୁମ୍ବକମ୍‌ – ୟୁନାଇଟେଡ୍‌ ବାଇ ଟ୍ରେଡ୍ ” । ଏଥିରେ ଓଡିଶା ଅଂଶଗ୍ରହଣ କରିବା ପାଇଁ ରାଜ୍ୟ ସରକାର ସ୍ବୀକୃତି ପ୍ରଦାନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଆଜି ଏକ ପ୍ରସ୍ତୁତି ବୈଠକ ଲୋକସେବା ଭବନରେ ଅନୁଷ୍ଠିତ ହୋଇଛି । ଓଡିଶାର ବାଣିଜ୍ୟିକ ପରମ୍ପରା ବହୁ ପ୍ରାଚୀନ । ପ୍ରାଚୀନ ନୌବାଣିଜ୍ୟ ଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଓଡିଶାର ହସ୍ତତନ୍ତ , ହସ୍ତଶିଳ୍ପ , ବିଭିନ୍ନ କାରୁକାର୍ଯ୍ୟ ଭାରତର ବିଭିନ୍ନ ରାଜ୍ୟ ସମେତ ବିଶ୍ବବାସୀଙ୍କ ପାଇଁ ଆକର୍ଷଣ ରହିଆସିଛି । ଓଡିଶାର ଜଗନ୍ନାଥ ସଂସ୍କୃତି , ଜନଜାତିଙ୍କ ଦ୍ବାରା ପ୍ରସ୍ତୁତ ବିଭିନ୍ନ ଆଭୂଷଣ ଓ ଅଳଙ୍କାର ଏବଂ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ପ୍ରଗତିଶୀଳ ଓଡିଶାର କୁଟୀର ଶିଳ୍ପ ସମେତ ଓଡିଶାର ମିଲେଟ , ଅଦା ଓ ହଳଦୀ , କୋରାପୁଟ କଫି , ପର୍ଯ୍ୟଟନ , କ୍ରୀଡ଼ା , ଶିଳ୍ପାୟନ ଆଦିକୁ ଓଡିଶା ପ୍ୟାଭିଲିୟନ ମାଧ୍ୟମରେ ବିଶ୍ବବାସୀଙ୍କ ନିକଟରେ ସଠିକ ଭାବେ ଉପସ୍ଥାପିତ କରିବାକୁ ଉନ୍ନୟନ କମିଶନର ବୈଠକରେ ଉପସ୍ଥିତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ , ସଚିବ ଓ ନିର୍ଦ୍ଦେଶକମାନଙ୍କୁ ପରାମର୍ଶ ଦେଇଥିଲେ ।

ଚଳିତ ବର୍ଷ ବାଣିଜ୍ୟ ମେଳାର ଫୁଡ କୋର୍ଟରେ ମଧ୍ୟ ଓଡିଶା ଅଂଶଗ୍ରହଣ କରି ବିଶ୍ବବାସୀଙ୍କୁ ଓଡିଶାର ଅନନ୍ୟ ସୁସ୍ୱାଦୁ ଖାଦ୍ୟ ଅନୁଭୂତି ପ୍ରଦାନ କରିବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଗତବର୍ଷର ବାଣିଜ୍ୟ ମେଳାରେ ଓଡିଶା ପୁରସ୍କୃତ ହୋଇଥିବାରୁ ଚଳିତ ବର୍ଷ ମଧ୍ୟ ଏହି ପରମ୍ପରାକୁ ବଜାୟ ରଖିବାକୁ ଉନ୍ନୟନ କମିଶନର ଗୁରୁତ୍ବାରୋପ କରିଥିଲେ ।

ବୈଠକରେ ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ ସମସ୍ତଙ୍କୁ ସ୍ବାଗତ କରିବା ସହିତ ଆଲୋଚନା ପାଇଁ ଆବଶ୍ୟକ ତଥ୍ୟ ପ୍ରଦାନ କରିଥିବା ବେଳେ ବିଭାଗର ନିର୍ଦ୍ଦେଶକ ସରୋଜ କୁମାର ସାମଲ ପାୱାର ପଏଣ୍ଟ ମାଧ୍ୟମରେ ବିଭିନ୍ନ ତଥ୍ୟ ଉପସ୍ଥାପନ କରିଥିଲେ । ବୈଠକରେ ରାଜ୍ୟ ସରକାରଙ୍କ କୃଷି , ପଞ୍ଚାୟତିରାଜ , ପର୍ଯ୍ୟଟନ , ସଂସ୍କୃତି , ବୟନଶିଳ୍ପ , ଏମଏସଏମଇ , ଏସଟି ଓ ଏସସି ଉନ୍ନୟନ ଆଦି ବିଭାଗର ପ୍ରମୁଖ ଶାସନ ସଚିବ , ସଚିବ , ଆୟୁକ୍ତ ଓ ନିର୍ଦ୍ଦେଶକଙ୍କ ସମେତ ସୂଚନା ଓ ଲୋକସମ୍ପର୍କ ବିଭାଗର ଅନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଶଗ୍ରହଣ କରିଥିଲେ ।