ରିଜଓ୍ବାନ, ସଫିକ୍ ପାକିସ୍ତାନକୁ ଦେଲେ ରେକର୍ଡ ବିଜୟ | News Room Odisha

ରିଜଓ୍ବାନ, ସଫିକ୍ ପାକିସ୍ତାନକୁ ଦେଲେ ରେକର୍ଡ ବିଜୟ

ହାଇଦ୍ରାବାଦ: ମହମ୍ମଦ ରିଜଓ୍ବାନ ଓ ଅବଦୁଲ୍ଲା ସଫିକଙ୍କ ଚମତ୍କାର ଶତକ ବଳରେ ପାକିସ୍ତାନ ଏଠାରେ ମଙ୍ଗଳବାର ବିଶ୍ୱକପର ଏକ‌ ମ୍ୟାଚରେ ଶ୍ରୀଲଙ୍କାକୁ ୬ ଓ୍ବିକେଟରେ ହରାଇ ଦେଇଛି । କୁଶଲ ମେଣ୍ଡିସ୍ (୧୨୨) ଓ ସମରବିକ୍ରମା (୧୦୮)ଙ୍କ ଶତକୀୟ ପାଳି ସହାୟତାରେ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ୯ ଓ୍ବିକେଟ୍ ହରାଇ ୩୪୪ ରନର କରିଥିଲା । ତେବେ ରିଜଓ୍ବାନ ଓ ସଫିକଙ୍କ ଶତକ ବଳରେ ପାକିସ୍ତାନ ୪୮.୨ ଓଭରରେ ଏହି ବୃହତ ଟାର୍ଗେଟ ଚେଜ୍ କରି ସ୍ମରଣୀୟ ବିଜୟ ହାସଲ କରିଛି । ଏଥିସହ ଏକ ନୂଆ ରେକର୍ଡ ମଧ୍ୟ କରିଛି ପାକିସ୍ତାନ। ବିଶ୍ୱକପ ଇତିହାସରେ ଏହା ହେଉଛି ସବୁଠୁ ବଡ଼ ରନ୍ ଚେଜ୍। ଏହା ପୂର୍ବରୁ ଆୟର୍ଲାଣ୍ଡ ନାମରେ ଏହି ରେକର୍ଡ ଥିଲା | ଆୟର୍ଲାଣ୍ଡ ୨୦୧୧ ବିଶ୍ବକପରେ ବେଙ୍ଗାଲୁରୁରେ ଇଂଲଣ୍ଡ ବିପକ୍ଷରେ ୩୨୮ ରନ୍‌ର ଟାର୍ଗେଟକୁ ଚେଜ୍ କରିଥିଲା । ଏହା ମଧ୍ୟ ବିଶ୍ୱକପରେ ପାକିସ୍ତାନର ସବୁଠୁ ବଡ ରନ୍ ଚେଜ୍। ପାକିସ୍ତାନର ପୁରୁଣା ରେକର୍ଡ ୧୯୯୨ରେ ବିଶ୍ବକପରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଥିଲା । ସେହି ମ୍ୟାଚରେ ପାକିସ୍ତାନ ୨୬୪ ରନ୍ ଲକ୍ଷ୍ୟକୁ ସଫଳତାର ସହ ଚେଜ୍ କରିଥିଲା ।

ପାକିସ୍ତାନର ଏହି ଚମତ୍କାର ବିଜୟର ହିରୋ ଥିଲେ ରିଜଓ୍ବାନ ଓ ସଫିକ୍ । ପାକିସ୍ତାନ ମାତ୍ର ୩୭ ରନରେ ଦୁଇଟି ଓ୍ବିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା । ହେଲେ ସଫିକ-ରିଜଓ୍ବାନ୍ ତୃତୀୟ ଓ୍ବିକେଟ୍ ପାଇଁ ୧୭୩ ରନର‌ ଭାଗିଦାରୀ ସହ ଦଳକୁ ଏହି ରେକର୍ଡ ବିଜୟ ଦେଇଥିଲେ । ସଫିକ୍ ୧୦୩ଟି ବଲରେ ୧୦ଟି ଚୌକା ଓ ୩ଟି ଛକା ୧୧୩ ରନ୍ କରିଥିବା ବେଳେ ରିଜଓ୍ବାନ ୧୨୧ ବଲରେ ୮ଟି ଚୌକା ଓ ୩ଟି ଛକା ସହ ୧୩୧ ରନ୍ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ ।

ଚଳିତ ବିଶ୍ୱକପରେ ଏହା ପାକିସ୍ତାନର କ୍ରମାଗତ ଦ୍ୱିତୀୟ ବିଜୟ | ଦଳ ପ୍ରଥମ ମ୍ୟାଚରେ ନେଦରଲ୍ୟାଣ୍ଡ୍ସକୁ ୮୧ ରନରେ ପରାସ୍ତ କରିଥିଲା। ଅନ୍ୟପକ୍ଷରେ ଶ୍ରୀଲଙ୍କାର ଏହା ଲଗାତାର ଦ୍ବିତୀୟ ପରାଜୟ । ଦଳ ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଠାରୁ ହାରିଥିଲା ।

ଆଜିର ମ୍ୟାଚରେ ଆଉ ଏକ ରେକର୍ଡ଼ ବି ସୃଷ୍ଟି ହୋଇଛି ।
ବିଶ୍ୱକପ ଇତିହାସରେ ପ୍ରଥମ ଥର ଚାରି ଜଣ ବ୍ୟାଟ୍ସମ୍ୟାନ ଶତକ ମାରିଛନ୍ତି ।