ପାର୍ବଣ ଋତୁକୁ ଶୃଙ୍ଖଳାରେ ସାରିବା ଲକ୍ଷ୍ୟ, ଜୁଆ ଆଡ୍ଡାରେ ଚଢ଼ାଉ ଜୋରଦାର | News Room Odisha

ପାର୍ବଣ ଋତୁକୁ ଶୃଙ୍ଖଳାରେ ସାରିବା ଲକ୍ଷ୍ୟ, ଜୁଆ ଆଡ୍ଡାରେ ଚଢ଼ାଉ ଜୋରଦାର

ଛତ୍ରପୁର: ପାର୍ବଣ ଋତୁକୁ ଶାନ୍ତି ଶୃଙ୍ଖଳାରେ ଶେଷ କରିବା ପାଇଁ ଅଣ୍ଟା ଭିଡିଛି ଗଞ୍ଜାମ ପୋଲିସ ଜିଲ୍ଲା କର୍ତ୍ତୃପକ୍ଷ। ଆଗାମୀ ଦଶହରା ପୂଜା ସମେତ ଗଞ୍ଜାମ ଜିଲ୍ଲାରେ ଲୋକପ୍ରିୟ କୁମାର ପୂର୍ଣ୍ଣିମା,ଳ ଏବଂ କାଳୀ ପୂଜା, ଦୀପାବଳୀ, ଲକ୍ଷ୍ମୀ ପୂଜାକୁ ଆଖି ଆଗରେ ରଖି ଆଗୁଆ ସଜାଗ ହୋଇ ଉଠିଛି ପୋଲିସ ବାହିନୀ। ଗଞ୍ଜାମ ଏସପି ଜଗମୋହନ ମୀନାଙ୍କ ନିର୍ଦ୍ଦେଶରେ ପୋଲିସ ବାହିନୀ ବିଭିନ୍ନ ଥାନା ଇଲାକାରେ ଧରପଗଡ଼ ଅଭିଯାନ ତ୍ବରାନ୍ବିତ କରିଛି। ପୋଲିସ ଜିଲ୍ଲାର ସମସ୍ତ ଥାନା ପକ୍ଷରୁ ସ୍ୱତନ୍ତ୍ର ଅପରାଧୀ ଧରପଗଡ଼, ଜୁଆ ଆଡ୍ଡାରେ ଚଢ଼ାଉ ସାଙ୍ଗକୁ ମଦୁଆ ଚାଳକଙ୍କୁ ଯାଞ୍ଚ କରି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଛି।

ଗତ ସେପ୍ଟେମ୍ବର ମାସରୁ ଅକ୍ଟୋବର ମାସ ପ୍ରଥମ ୧୦ ଦିନ ସୁଦ୍ଧା ବିଭିନ୍ନ ଥାନା ଇଲାକାରେ ମୋଟ ୩୬ଟି ଜୁଆ ଆଡ୍ଡା ଉପରେ ଚଢ଼ାଉ କରାଯାଇଛି। ୫୧ଟି ବାଇକ୍ ଓ ଅନ୍ୟାନ୍ୟ ଗାଡ଼ି ଜବତ କରାଯିବା ସହ ୭ ଲକ୍ଷ ୭୭ ହଜାର ୫୪୦ ଟଙ୍କା ଜବତ କରାଯାଇଛି। ୧୮୬ ଜଣ ଜୁଆଡି ଓ ଅସାମାଜିକ ବ୍ୟକ୍ତିଙ୍କୁ କାବୁ କରାଯାଇଛି।

ଦଶହରା ଏବଂ କୁମାର ପୂର୍ଣ୍ଣିମା ପର୍ଯ୍ୟନ୍ତ ଜୁଆ ଆଡ୍ଡାରେ ଧରପଗଡ଼ ଜାରି ରହିବ ବୋଲି ସୂଚନା ଦେଇଛନ୍ତି ଗଞ୍ଜାମ ଏସପି ଶ୍ରୀ ମୀନା। ସେହିପରି ଶେରଗଡ଼, ଆସିକା, ସୋରଡ଼ା, ଧରାକୋଟ, ଜଗନ୍ନାଥପ୍ରସାଦ, ଶେରଗଡ଼, ଭଞ୍ଜନଗର, ଗାଙ୍ଗପୁର, ରମ୍ଭା, ଖଲ୍ଲିକୋଟ, ଛତ୍ରପୁର, ଚମାଖଣ୍ଡି ଆଦି ଥାନା ପକ୍ଷରୁ ମଦ୍ୟପାନ କରି ରାସ୍ତାରେ ଯାଆସ କରୁଥିବା ଯାନବାହାନର ଚାଳକମାନଙ୍କ ଯାଞ୍ଚ କରାଯାଇ ୩୬ ଜଣଙ୍କ ନାମରେ ମାମଲା ରୁଜୁ କରାଯିବା ସାଙ୍ଗକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ।