ସ୍କୁଟର ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ , ୨ ଲକ୍ଷ ମିଶନ ଶକ୍ତି ମା’ ଓ ତୃଣମୂଳ ଷ୍ଟାଫ୍ ପାଇବେ ସ୍କୁଟର ଋଣ | News Room Odisha

ସ୍କୁଟର ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ , ୨ ଲକ୍ଷ ମିଶନ ଶକ୍ତି ମା’ ଓ ତୃଣମୂଳ ଷ୍ଟାଫ୍ ପାଇବେ ସ୍କୁଟର ଋଣ

ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମିଶନ ଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ କରିଛନ୍ତି।ଲୋକସେବା ଭବନ କନ୍‌ଭେନ୍‌ସନ୍ ସେଣ୍ଟରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଉପସ୍ଥିତ ସ୍ୱୟଂସହାୟକ ଗୋଷ୍ଠୀର ମା’ ମାନଙ୍କୁ କହିଛନ୍ତି ଯେ, ମହିଳା ସଶକ୍ତିକରଣ କ୍ଷେତ୍ରରେ ଆଜି ଦିନଟି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇ ରହିବ। ମା’ମାନଙ୍କ ସଶକ୍ତିକରଣ କ୍ଷେତ୍ରରେ ଆଜି ଆମେ ଆଉ ଏକ ପାଦ ଆଗକୁ ଆସିଲୁ। ମିଶନ ଶକ୍ତି ମା’ ମାନଙ୍କୁ ସ୍କୁଟର କିଣିବା ପାଇଁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦେଉଛୁ। ସେମାନଙ୍କର ଏହି ଋଣ ବାବଦକୁ ୫୨୮ କୋଟି ଟଙ୍କାର ସୁଧ ରାଜ୍ୟ ସରକାର ଦେବେ। ଏହି ଯୋଜନାରେ ୨ ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀର ମା’ ମାନେ ସ୍କୁଟର ପାଇବେ। ଆଜି ଏହି ଯୋଜନାର ଶୁଭାରମ୍ଭରେ ୧୫ ହଜାର ମା’ଙ୍କୁ ସ୍କୁଟର ଦିଆଯାଇଛି।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଲେ ଯେ, ଗତି ହିଁ ଶକ୍ତି। ଗତି ହିଁ ସଶକ୍ତିକରଣ। ଆମର ସ୍କୁଟର ଯୋଜନା ମା’ମାନଙ୍କ ଯାତାୟତକୁ ସୁବିଧା କରିବ। ବୃତ୍ତିଗତ କ୍ଷେତ୍ରରେ ମଧ୍ୟ ନୂଆ ସୁଯୋଗ ଆଣିବ। ମା’ମାନେ ବହୁତ ଭଲ କାମ କରୁଛନ୍ତି। ମୋର ପୁରା ବିଶ୍ୱାସ ମା’ମାନେ ଏବେ ଆହୁରି ଭଲ କାମ କରିବେ। ୭୦ ଲକ୍ଷ ମା’ମାନଙ୍କ ନିଜର ଅନୁଷ୍ଠାନ ମିଶନ ଶକ୍ତି ଆହୁରି ମଜବୁତ ହେବ। ମା’ମାନଙ୍କ ଗତିଶୀଳତା ଓଡିଶାର ପ୍ରଗତିକୁ ନୂଆ ବେଗ ଦେବ। ମିଶନ ଶକ୍ତି ମା’ମାନଙ୍କୁ ସରକାରୀ କାମ ଦେବାରେ ଦେଶରେ ଓଡିଶା ଏକମାତ୍ର ରାଜ୍ୟ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ବ୍ଲକ ଓ ଜିଲ୍ଲା ସ୍ତରୀୟ ମିଶନ ଶକ୍ତି ଫେଡେରେସନ୍‌କୁ ସରକାରୀ କାର୍ଯ୍ୟ ପାଇଁ ଯାନ ସୁବିଧା ଯୋଗାଇଦେବା ବାବଦରେ ଘୋଷଣା କରିଥିଲେ। ଯାନ ସୁବିଧା ବଳରେ ସେମାନଙ୍କର ଦକ୍ଷତା ବୃଦ୍ଧି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଲେ ଯେ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟମାନଙ୍କୁ ଉଦ୍ୟୋଗୀଭାବେ ପରିଣତ କରିବା ଆମର ଲକ୍ଷ୍ୟ। ଏଥିପାଇଁ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧୫୦ କୋଟି ଟଙ୍କାର ସୁଧ ସହାୟତା ସିଧା ସଳଖ ଦିଆ ଯାଉଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଖୋର୍ଦ୍ଧା ଜିଲ୍ଲାର ମା’ ମଙ୍ଗଳା ଏସଏଚଜି ଓ କଟକ ଜିଲ୍ଲାର ଜୟ ଶ୍ରୀରାମ ଏସଏଚଜିକୁ ସୁଧ ବାବଦ ଚେକ୍‌ ହସ୍ତାନ୍ତର କରିଥିଲେ। ମୁଖ୍ୟମନ୍ତ୍ରୀ ଉପସ୍ଥିତ ମା’ମାନଙ୍କୁ ସମ୍ବୋଧନ କରି କହିଥିଲେ ଯେ ମା’ମାନଙ୍କ ଉପରେ ମୋର ପୂରା ବିଶ୍ୱାସ ଅଛି। ମା’ମାନେ ହିଁ ଆଣିଛନ୍ତି ଓଡିଶା ପାଇଁ ନୂଆ ଗତି, ଶକ୍ତି ଓ ପ୍ରଗତି।

କାର୍ଯ୍ୟକ୍ରମରେ ଅନ୍ୟତମ ଅତଥି ଭାବେ ମିଶନ ଶକ୍ତି ବିଭାଗର ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ କହିଥିଲେ ଯେ ଗତିଶୀଳତା ହିଁ ସଶକ୍ତିକରଣ। ଏହାକୁ ପାଥେୟ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ଐତିହାସିକ ମିଶନ ଶକ୍ତି ସ୍କୁଟର ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନା ମାଧ୍ୟମରେ ୨ ଲକ୍ଷ କମ୍ୟୁନିଟି ସପୋର୍ଟ ଷ୍ଟାଫ୍, ବ୍ୟବସାୟ ଏଜେଣ୍ଟ ଓ କାର୍ଯ୍ୟକାରୀ କମିଟି ସଦସ୍ୟ ସେମାନଙ୍କ ପସନ୍ଦ ମୁତାବକ ସ୍କୁଟର କିଣିବା ପାଇଁ ବିନା ସୁଧରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ପାଇବେ। ଏହି ପଦକ୍ଷେପ ମିଶନ ଶକ୍ତି ଫେଡେରେସନ୍ ସହିତ କାର୍ଯ୍ୟରତ ‌ଓ ଏହା ଅଧିନରେ କାର୍ଯ୍ୟରତ ସଦସ୍ୟାମାନଙ୍କ ଯାତାୟତକୁ ସୁଗମ କରିବା ସହିତ ସେମାନଙ୍କ କାର୍ଯ୍ୟଦକ୍ଷତା ବୃଦ୍ଧି ଦିଗରେ ସହାୟକ ହେବ।

ବିଭାଗୀୟ କମିଶନର ତଥା ଶାସନ ସଚିବ ସୁଜାତା ଆର୍.କାର୍ତ୍ତିକେୟନ୍ କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଅବସରରେ କହିଥିଲେ ଯେ ଆଜି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଗୋଟିଏ ଯୁଗାନ୍ତକାରୀ ପଦକ୍ଷେପର ଉଦ୍‌ଘାଟନ ହେଲା । ୧୫ ହଜାର ଏସଏଚଜି ମା’ ସ୍କୁଟର ନେଇଛନ୍ତି। ୨ ଲକ୍ଷ ମା’ ପର୍ଯ୍ୟାୟକ୍ରମେ ସ୍କୁଟର ନେଇ ଏହି ଯୋଜନାରେ ଉପକୃତ ହେବେ। ସେ ଆହୁରି ମଧ୍ୟ କହିଥିଲେ ଯେ ଆମର କାର୍ଯ୍ୟକାରୀ କମିଟି ସଦସ୍ୟମାନେ ହେଲେ ମିଶନ ଶକ୍ତିର ସେନାପତି। ସେମାନେ ମିଶନ ଶକ୍ତିକୁ ନୂଆ ଦିଗ ଦେଉଛନ୍ତି। ଏହି ସ୍କୁଟର ହେଉଛି ମିଶନ ଶକ୍ତି ମା’ ମାନଙ୍କ ପରିଚୟର ପ୍ରତୀକ। ଦକ୍ଷତାର ପ୍ରତୀକ।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟଶାସନ ସଚିବ ପି.କେ. ଜେନା , ମୁଖ୍ୟମନ୍ତ୍ରୀଙ୍କ ୫ଟି ସଚିବ ଭି.କେ. ପାଣ୍ଡିଆନ, ମିଶନ ଶକ୍ତିର ଉପଦେଷ୍ଟା ଲୋପାମୁଦ୍ରା ବକ୍ସିପାତ୍ର ଏବଂ ଗୀତାଞ୍ଜଳୀ ବସ୍ତିଆ ଉପସ୍ଥିତ ଥିଲେ। ରାଜ୍ୟର ପ୍ରତ୍ୟେକ ଜିଲ୍ଲା ଓ ବ୍ଲକ ସଂଘର ସଦସ୍ୟାମାନେ ଆଭାସୀ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ବିଭାଗୀୟ ନିର୍ଦ୍ଦେଶକ ଏନ୍. ତିରୁମାଲା ନାୟକ ଧନ୍ୟବାଦ ଦେଇଥିଲେ।