ବିଶ୍ୱକପରେ ସପ୍ତମ ଶତକ ସହ ସଚିନଙ୍କୁ ଟପିଲେ ରୋହିତ | News Room Odisha

ବିଶ୍ୱକପରେ ସପ୍ତମ ଶତକ ସହ ସଚିନଙ୍କୁ ଟପିଲେ ରୋହିତ

ନୂଆଦିଲ୍ଲୀ: ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ରୋହିିତ ଶର୍ମାଙ୍କ ବ୍ୟାଟ୍‌ରୁ ବର୍ଷିଛି ରନ୍ ଓ ରେକର୍ଡ । ରୋହିତ ମାତ୍ର ୬୩ ବଲରେ ଧୂୂଆଁଧାର ଶତକ ମାରି ଭାରତକୁ ବିଜୟର ଦ୍ୱାରଦେଶରେ ପହଞ୍ଚାଇ ଦେଇଛନ୍ତି । ଏହି ଶତକୀୟ ପାଳି ସହ ହିଟ୍‌ମ୍ୟାନ୍ ଏକାଧିକ ରେକର୍ଡ କରିଛନ୍ତି । ବିଶ୍ୱକପରେ ରୋହିତଙ୍କ ଏହା ହେଉଛି ସପ୍ତମ ଶତକ । ଏଥିସହ ରୋହିତ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଛନ୍ତି । ସଚିନ ବିଶ୍ୱକପ୍‌ର ୪୪ ଇନିଂସ୍‌ରେ ୬ଟି ଶତକ ହାସଲ କରିଥିଲେ । ତେବେ ରୋହିତ ମାତ୍ର ୧୯ଟି ଇନିଂସ୍ ଖେଳି ୭ଟି ଶତକ ହାସଲ କରିଛନ୍ତି । ରେହିତ ୨୦୧୯ ବିଶ୍ୱକପରେ ହିଁ ୫ଟି ଶତକ ମାରିଥିଲେ ।

ରୋହିତ ୮୪ ବଲ୍‌ରେ ୧୬ଟି ଚୌକା ଓ ୫ଟି ଛକା ସହ ୧୩୧ ରନ କରି ରସିଦ ଖାନଙ୍କ ବଲରେ ଆଉଟ୍ ହୋଇଥିଲେ । ତେବେ ଏହି ଶତକୀୟ ପାଳି ସହ ସେ ଅନେକ ରେକର୍ଡ ଭାଙ୍ଗିଛନ୍ତି । ରୋହିତଙ୍କ ଏହି ଶତକ ମଧ୍ୟ ବିଶ୍ୱକପ୍‌ରେ ଭାରତ ପକ୍ଷରୁ ଦ୍ରୁତତମ । ଏଥିସହ ସେ କପିଳ ଦେବଙ୍କ ରେକର୍ଡ ଭାଙ୍ଗିଛନ୍ତି । କପିଳ ଦେବ ୧୯୮୩ ବିଶ୍ୱକପରେ ଜିମ୍ବାୱେ ବିପକ୍ଷ ମ୍ୟାଚରେ ୭୨ ବଲରେ ଶତକ ପୂରଣ କରିଥିଲେ ।

ଦିନିକିଆ ଫର୍ମାଟରେ ରୋହିତଙ୍କ ଏହା ୩୧ତମ ଶତକ । ଏଥିସହ ହିଟ୍‌ମ୍ୟାନ୍ ଦିନିକିିଆ କ୍ରିକେଟରେ ସର୍ବାଧିକ ଶତକ ମାମଲାରେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ (୩୦)ଙ୍କୁ ଟପିଛନ୍ତି । ଏହି ତାଲିକାରେ ଏବେ ତୃତୀୟ ସ୍ଥାନରେ ରହିଛନ୍ତି ରୋହିତ । ତାଙ୍କ ଆଗରେ କେବଳ ସଚିନ ତେନ୍ଦୁଲକର (୪୯) ଓ କୋହଲି(୪୭) ରହିଛନ୍ତି ।

ଅନ୍ତର୍ଜାତୀୟ କ୍ରିକେଟ୍‌ରେ ସର୍ବାଧିକ ଛକା ମାରିବାରେ ମଧ୍ୟ କ୍ରିସ୍ ଗେଲଙ୍କୁ ଟପିଛନ୍ତି ରୋହିତ । ଭାରତୀୟ ଇନିଂସ୍‌ର ଅଷ୍ଟମ ଓଭରରେ ଆଫଗାନ୍ ବୋଲର ନବୀନ୍ ଉଲ୍ ହକ୍‌ଙ୍କ୍ ବଲରେ ଛକା ମାରି ସେ ଗେଲ୍ (୫୫୩)ଙ୍କୁୁ ଟପିଥିଲେ ।