ଲକ୍ଷ୍ମୀ ଯୋଜନା ବସ୍ ସେବା ଆରମ୍ଭ, ମାଲକାନଗିରିରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ | News Room Odisha

ଲକ୍ଷ୍ମୀ ଯୋଜନା ବସ୍ ସେବା ଆରମ୍ଭ, ମାଲକାନଗିରିରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ରାଜ୍ୟରେ ଯାତ୍ରୀ ପରିବହନ ସେବା ଆହୁରି ସୁଗମ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମହତ୍ତ୍ଵାକାଂକ୍ଷୀ ଲକ୍ଷ୍ମୀ ବସ୍ ଯୋଜନା ଆଜିଠୁ ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ମାଲକାନଗିରିରୁ ଲକ୍ଷ୍ମୀ ବସ୍ ସେବାର ଶୁଭାରମ୍ଭ କରିଛନ୍ତି । ରାଜ୍ୟ ସରକାରଙ୍କ ଏହି ଐତିହାସିକ ଯୋଜନାରେ ଅନେକ ଗାଁ ଓ ପଞ୍ଚାୟତକୁ ଜିଲ୍ଲା ସଦର ମହକୁମାରୁ ଉନ୍ନତମାନର ବସ୍ ସେବା ମିଳିପାରିବ। ଯେଉଁ ଗ୍ରାମଗୁଡିକୁ ବ୍ଲକ ସଦରରୁ ବସ୍ ସେବା ନଥିଲା, ସେହି ଗ୍ରାମଗୁଡିକୁ ଲୋକେ ଆରାମରେ ଯାତାୟତ କରିପାରିବେ ।

ଲକ୍ଷ୍ମୀ ଯୋଜନା ଆରମ୍ଭ କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମାଲକାନଗିରି ଓଡିଶା ବିକାଶର ଲଞ୍ଚିଂ ପ୍ୟାଡ। ‘ଲକ୍ଷ୍ମୀ’ ଯୋଜନା ଆରମ୍ଭ କରି ମୁଁ ବହୁତ ଖୁସି। ମୁଖ୍ୟମନ୍ତ୍ରୀ କହିଛନ୍ତି,ମାଲକାନଗିରି ମୋ ପାଇଁ ବହୁତ ପ୍ରିୟ। ମାଲକାନଗିରି ସହ ମୁଁ ରହିଛି। ରାଜ୍ୟରେ ଯାତ୍ରୀ ପରିବହନ କ୍ଷେତ୍ରରେ ନୂଆ ଅଧ୍ୟାୟ ଲେଖାହେଲା। ଗୁରୁପ୍ରିୟା ସେତୁ ମାଲକାନଗିରି ବିକାଶର ମାଇଲଖୁଣ୍ଟ ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ ଏକ ବସରେ କିଛି ଦୂର ଯାତ୍ରା କରିଥିଲେ।
୧୯୨ କୋଟିରୁ ଅଧିକ ଟଙ୍କା ବ୍ୟୟରେ ୧୮ଟି ଲୋକାଭିମୁଖି ପ୍ରକଳ୍ପର ମଧ୍ୟ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହାସହ ୯୬ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।