ଭଞ୍ଜନଗର: ହାତୀ ଘଉଡ଼ାଇବା ବେଳେ ଚାଷୀଙ୍କ ମୃତ୍ୟୁ | News Room Odisha

ଭଞ୍ଜନଗର: ହାତୀ ଘଉଡ଼ାଇବା ବେଳେ ଚାଷୀଙ୍କ ମୃତ୍ୟୁ

ଭଞ୍ଜନଗର: ହାତୀ ଘଉଡ଼ାଇବାକୁ ଯାଇଥିବା ବେଳେ ଜଣେ ଚାଷୀ ଅଘଟଣର ଶିକାର ହୋଇଛନ୍ତି। ଅସାବଧାନତାବଶତଃ ଚାଷୀ ଜଣକ ଜଙ୍ଗଲ ନିକଟ ଏକ ପୋଖରୀକୁ ଖସି ପଡ଼ି ପାଣିରେ ବୁଡ଼ି ପ୍ରାଣ ହରାଇଛନ୍ତି।ମୃତକ ହେଉଛନ୍ତି ଜଗନ୍ନାଥପ୍ରସାଦ ବ୍ଲକ୍ ଗେରେଡା ଗ୍ରାମର ୪୫ ବର୍ଷୀୟ କାହ୍ନୁ ଗୌଡ। ବୁଧବାର ମଧ୍ୟ ରାତ୍ରରେ ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ତାରସିଂ ରେଞ୍ଜରେ ଏହି ଘଟଣା ଘଟିଥିବା ବେଳେ ଆଜି ମୃତଦେହ ଠାବ ହୋଇଛି।

ଗତ କିଛି ଦିନ ହେବ ସଞ୍ଜ ହେବା ପରେ ହାତୀପଲ ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲରୁ ବାହାରି ଗାଁ ନିକଟ ଧାନ କ୍ଷେତ ଆଡ଼କୁ ମାଡ଼ି ଆସୁଛନ୍ତି। ଫସଲ ଅମଳ ସମୟରେ ହାତୀଙ୍କ କବଳରୁ ଧାନ ଚାଷକୁ ରକ୍ଷା କରିବା ଲାଗି କାହ୍ନୁ ଗୌଡ଼ ଗ୍ରାମର ଅନ୍ୟ କିଛି କୃଷକଙ୍କ ସହ ଠେଙ୍ଗା ଓ ଟର୍ଚ୍ଚ ଧରି ହାତୀ ଘଉଡାଇବା କାମରେ ଜୁଟି ଯାଉଥିଲେ। ବୁଧବାର ରାତିରେ ମଧ୍ୟ ସେ ହାତୀ ଘଉଡ଼ାଇବାକୁ ଯାଇଥିଲେ। ହେଲେ ସକାଳୁ ଘରକୁ ଫେରି ନଥିଲେ। ଖୋଜାଖୋଜି କରିବା ବେଳେ ଗାଁ ଲୋକ ଜଙ୍ଗଲ‌ ନିକଟ ଏକ ପୋଖରୀରେ ତାଙ୍କ ମୃତ ଦେହ ଭାସୁଥିବାର ଦେଖିଥିଲେ। ତାରସିଂ ଥାନା ପୋଲିସ ଘଟଣାସ୍ଥଳରୁ ମୃତଦେହ ଜବତ କରିଛି। ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଛେଦ ପାଇଁ ଭଞ୍ଜନଗର ଡାକ୍ତରଖାନାକୁ ପଠାଇଛି ପୋଲିସ।