ବିଶ୍ୱକପରେ ଅଷ୍ଟ୍ରେଲିଆର ସବୁଠୁ ବଡ଼ ପରାଜୟ, ଦକ୍ଷିଣ ଆଫ୍ରିକାଠାରୁ ୧୩୪ ରନରେ ହାରିଲା | News Room Odisha

ବିଶ୍ୱକପରେ ଅଷ୍ଟ୍ରେଲିଆର ସବୁଠୁ ବଡ଼ ପରାଜୟ, ଦକ୍ଷିଣ ଆଫ୍ରିକାଠାରୁ ୧୩୪ ରନରେ ହାରିଲା

ଲକ୍ଷ୍ନୌ: ପାଞ୍ଚ ଥରର ବିଜେତା ଅଷ୍ଟ୍ରେଲିଆ ବିଶ୍ୱକପରେ ସବୁଠୁ ବଡ଼ ପରାଜୟର ସମ୍ମୁଖୀନ ହୋଇଛି । ଇକାନା ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ମ୍ୟାଚରେ ଅଷ୍ଟ୍ରେଲିଆକୁ ୧୩୪ ରନରେ ହରାଇଛି ଦକ୍ଷିଣ ଆଫ୍ରିକା । ବିଶ୍ୱକପରେ ଅଷ୍ଟ୍ରେଲିଆର ଏହା ସର୍ବବୃହତ ପରାଜୟ । ଏହା ପୂର୍ବରୁ ଅଷ୍ଟ୍ରେଲିଆ ୧୯୮୩ ବିଶ୍ୱକପରେ ଭାରତ ଠାରୁ ୧୧୮ ରନରେ ହାରିଥିଲା ।

ଦକ୍ଷିଣ ଆଫ୍ରିକା ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ବେଳେ କ୍ୱିଣ୍ଟନ୍ ଡି’କକ୍‌ଙ୍କ ଲଗାତାର ଦ୍ୱିତୀୟ ଶତକ ବଳରେ ୭ ୱିକେଟ୍ ହରାଇ ୩୧୧ ରନ୍ କରିଥିଲା । ଏହାର ଜବାବରେ ଅଷ୍ଟ୍ରେଲିଆ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ୪୦.୫ ଓଭରରେ ୧୭୭ ରନ୍ କରି ଅଲ୍‌ଆଉଟ୍ ହୋଇଯାଇଥିଲା । ଦଳ ତରଫରୁ ମାର୍ନସ ଲାବୁସେନ୍ ସର୍ବାଧିକ ୪୬ ରନ୍ କରିଥିବାବେଳେ ମିଚେଲ ଷ୍ଟାର୍କ ୨୭ ଓ ପ୍ୟାଟ୍ କମିନ୍ସ ୨୨ ରନ୍ କରିଥିଲେ । ଦକ୍ଷିଣ ଆଫ୍ରିକା ପକ୍ଷରୁ କାଜିସୋ ରବାଡା ୩ଟି ୱିକେଟ୍ ନେଇଥିବାବେଳେ ମାର୍କୋ ୟାନସେନ୍‌, କେଶବ ମହାରାଜ ଓ ତାବ୍ରେଜ୍ ସାମ୍‌ସି ୨ଟି ଲେଖାଏଁ ୱିକେଟ୍ ପାଇଥିଲେ ।

ଚଳିତ ବିଶ୍ୱକପରେ ଦକ୍ଷିଣ ଆଫ୍ରିକାର ଏହା କ୍ରମାଗତ ଦ୍ୱିତୀୟ ବିଜୟ । ଏଥିସହ ଦଳ ପଏଣ୍ଟ ତାଲିକାର ଶୀର୍ଷକୁ ଉଠିଛି । ଅନ୍ୟପକ୍ଷରେ ଲଗାତାର ଦ୍ୱ୍‌ିତୀୟ ପରାଜୟ ସହ ଅଷ୍ଟ୍ରେଲିଆ ନବମ ସ୍ଥାନରେ ରହିଛି । ଅଷ୍ଟ୍ରେଲିଆ ପ୍ରଥମଥର ପାଇଁ ବିଶ୍ୱକପରେ ପ୍ରଥମ ଦୁଇଟି ମ୍ୟାଚ୍ ହାରିଛି ।

ପୂର୍ବରୁ ଅଷ୍ଟ୍ରେଲିଆ ଟସ୍ ଜିତି ଦକ୍ଷିଣ ଆଫ୍ରିକାକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲା । ହେଲେ କ୍ୟାରିୟରର ଶେଷ ଦିନିକିଆ ବିଶ୍ୱକପ୍ ଖେଳୁୁଥିବା ଡି’କକ୍ ଲଗାତାର ଦ୍ୱିତୀୟ ଶତକ ମାରି ଦଳକୁ ବଡ଼ ସ୍କୋର ଆଡ଼କୁ ନେଇଥିଲେ । ସେ ୧୦୬ ବଲ୍‌ରେ ୮ଟି ଚୌକା ଓ ୫ଟି ଛକା ସହ ୧୦୯ ରନ୍ କରିଥିଲେ । ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ବିଶ୍ୱକପ୍ ଇତିହାସର ଦ୍ରୁତତମ ଶତକ ରେକର୍ଡ କରିଥିବା ଏଡେନ୍ ମାର୍କ୍ରାମ୍ ମଧ୍ୟ ପୁଣି ଧୂଆଁଧାର ଅର୍ଦ୍ଧଶତକ ହାସଲ କରିଥିଲେ । ସେ ୪୪ ବଲ୍‌ରେ ୭ଟି ଚୌକା ଓ ଗୋଟିଏ ଛକା ସହ ୫୬ ରନ୍ କରିଥିଲେ । କ୍ୟାପଟେନ୍ ତେମ୍ବା ବାଭୁମା ୩୫ ରନ୍ କରିଥିବା ବେଳେ କ୍ଲାସେନ୍ ୨୯ ଓ ୟାନସେନ୍ ୨୬ ରନ୍ ସଂଗ୍ରହ କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ମ୍ୟାକ୍ସୱେଲ ଓ ଷ୍ଟାର୍କ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ ।