ମା' ସିଦ୍ଧଭୈରବୀ ପୀଠରେ ନବରାତ୍ର ପୂଜା | News Room Odisha

ମା’ ସିଦ୍ଧଭୈରବୀ ପୀଠରେ ନବରାତ୍ର ପୂଜା

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକର ମନ୍ତ୍ରିଡି ଠାରେ ବିଜେ ମା’ ସିଦ୍ଧଭୈରବୀଙ୍କ ବାସନ୍ତୀକ ନବରାତ୍ର ପୂଜା ଧୁମଧାମରେ ପାଳନ କରାଯାଉଛି। ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀଙ୍କ ପୀଠରେ ଚୈତ୍ର ମାସ ଶୁକ୍ଲ ପକ୍ଷ ପ୍ରତିପଦା ତିଥିରୁ ଆରମ୍ଭ ହୋଇ ଦଶମୀ ପର୍ଯ୍ୟନ୍ତ ୯ ଦିବସୀୟ ପୂଜା ହୋଇଥାଏ। ପ୍ରତ୍ୟହ ସକାଳୁ ଷଡାଙ୍ଗ, ସୂର୍ଯ୍ୟ ପୂଜା, ଦ୍ୱାର ପୂଜା, ବିଲ୍ବ ପୂଜା, ପୀଠ ପୂଜା, ଦେବୀଙ୍କ ଉପଚାର ଓ ଚଣ୍ଡିପାଠ କରାଯାଏ।ଶତଚଣ୍ଡି ପାଠର ପ୍ରତି ଶ୍ଲୋକରେ ଆହୁତି, ଉପଚାର, ଧୂପ, ଆଳତୀ, ପୁଷ୍ପାଞ୍ଜଳୀ, ବଳିପୂଜା ପରେ ରାତ୍ରଧୂପ ନୀତି ସମ୍ପନ୍ନ ହୁଏ। ଏହି ମନ୍ଦିରରେ ପଶୁ ବଳି ବଦଳରେ ପାଣି କଖାରୁ ବଳି ଦିଆଯାଏ। ସପ୍ତମୀ ତିଥିର ଶେଷ ଓ ଅଷ୍ଟମୀ ତିଥିର ଆଦ୍ୟ ପ୍ରହରରେ ସନ୍ଧି ପୂଜା କରାଯାଏ।

ଏହି ପୀଠରେ ଦଶହରା ଓ ନବରାତ୍ରୀ ପାଳନର ମଧ୍ୟ ସ୍ବତନ୍ତ୍ରତା ରହିଛି। ରବିବାରରୁ ନବରାତ୍ର ପୂଜା ଆରମ୍ଭ ହୋଇଛି। ପରମ୍ପରା ଅନୁସାରେ ମା’ ଭୈରବୀ ପୂଜା ପୂର୍ବରୁ ଶନିବାର ହରଡଙ୍ଗ ଗ୍ରାମ ପରିକ୍ରମା କରିଥିଲେ। ପରମ୍ପରା ଅନୁଯାୟୀ ପ୍ରତିପାଦ ପୂର୍ବ ରାତିରେ ହରଡଙ୍ଗ ସମେତ ମନ୍ତ୍ରିଡି, ବୟାଳୀ, ନୂଆଁପଲ୍ଲୀ, ମହାସାୟୀପେଣ୍ଠ ଗ୍ରାମବାସୀ ନିଜ ନିଜ ଗାଁକୁ ଆଜ୍ଞାମାଳ ନେଇ ଗ୍ରାମଦେବତୀ ଭାବେ ମା’ଙ୍କ ଆଠଦିନ ବ୍ୟାପୀ ପୂଜା ଅର୍ଚ୍ଚନା କରିଥାନ୍ତି। ହରଡଙ୍ଗ ଗାଁରୁ ପରିକ୍ରମା କରି ଆସିବା ପରେ ମନ୍ଦିରର ପୂଜକ ତଥା ମାଳି ସମ୍ପ୍ରଦାୟ ୮ଦିନ ଧରି ମା’ ସିଦ୍ଧଭୈରବୀଙ୍କ ସ୍ଵତନ୍ତ୍ର ପୂଜାର୍ଚ୍ଚନା କରିଥାନ୍ତି। ରୀତିନୀତି ଅନୁଯାୟୀ ଜଳଯାତ୍ରା, ସୂର୍ଯ୍ୟ ପୂଜା, ମଣ୍ଡଳ ପୂଜା, ବିଲ୍ବ ପୂଜା, ଚଣ୍ଡି ପାଠ ଇତ୍ୟାଦି କରାଯାଇଥିଲା। ପ୍ରତ୍ୟେକ ଦିନ ମା’ ବିଭିନ୍ନ ରୂପ ଧାରଣ କରି ପୂଜା ପାଇଥାନ୍ତି।ପ୍ରଥମ ଦିନରେ ଶୈଳପୂତ୍ରୀ ଓ ଆଜି ଦ୍ଵିତୀୟ ଦିନରେ ଚନ୍ଦ୍ରଘଣ୍ଟା ରୂପରେ ଦେବୀଙ୍କ ଆରାଧନା କରାଯାଇଥିଲା। ଦଶମୀ ଦିନ ମା’ ରକ୍ତମୁଖା ଭାବରେ ଭକ୍ତଙ୍କୁ ଦର୍ଶନ ଦେବେ। ପୂଜା ଆରମ୍ଭରୁ ମାନସିକଧାରୀମାନେ ଦୀପ ବସାଇଛନ୍ତି।