ଭୁବନେଶ୍ୱର – ଆଜି ମୟୂରଭଞ୍ଜ, ବରଗଡ଼ ଓ ଦେବଗଡ଼ ଜିଲ୍ଲାରେ ରାଜ୍ୟ ସରକାରଙ୍କ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଭାସୀ ଜରିଆରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। ମୟୂରଭଞ୍ଜ ଜିଲ୍ଲାର ବଡ଼ସାହି, ବାଙ୍ଗିରିପୋଷି, ବାରିପଦା,ମୋରଡ଼ା ଓ ଉଦଳା ନିର୍ବାଚନ ମଣ୍ଡଳୀରେ ୧୧୧ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ ୩ ହଜାର ୮୧ଟି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ।
ବରଗଡ଼ ଜିଲ୍ଲାରେ ୧୨୬ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ ୩ ହଜାର ୧୩୫ଟି ଓ ଦେବଗଡ଼ ଜିଲ୍ଲାରେ ୩୫ କୋଟି ଟଙ୍କା ବ୍ୟୟରେ ୯୯୧ଟି ଉନ୍ନୟନ ପ୍ରକଳ୍ପର ଶୁଭାରମ୍ଭ କରାଯିବ । ଏହି ଯୋଜନାରେ ପ୍ରତି ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ଲେଖାଏଁ ମିଳିବ। ଗାଁର ରୂପାନ୍ତରଣ ସହ ସଂସ୍କୃତିର ସଂରକ୍ଷଣ ଏବଂ ଡିଜିଟାଲ ସଂଯୋଗୀକରଣ ଲକ୍ଷ୍ୟରେ ରାଜ୍ୟ ସରକାର ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ଆରମ୍ଭ କରିଛନ୍ତି । ପୂର୍ବରୁ କେନ୍ଦୁଝର, ଭଦ୍ରକ, ପୁରୀ ଓ ନୟାଗଡ଼ ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ ହୋଇଯାଇଛି।