ପ୍ରଦାନ କରାଗଲା ୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର, ୱାହିଦା ରହମାନ ପାଇଲେ ଦାଦାସାହେବ ଫାଲକେ ସମ୍ମାନ, ଅଲୁ ଅର୍ଜୁନ ଶ୍ରେଷ୍ଠ ଅଭିନେତା, କୃତି-ଆଲିଆ ଶ୍ରେଷ୍ଠ ଅଭିନେତ୍ରୀ | News Room Odisha

ପ୍ରଦାନ କରାଗଲା ୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର, ୱାହିଦା ରହମାନ ପାଇଲେ ଦାଦାସାହେବ ଫାଲକେ ସମ୍ମାନ, ଅଲୁ ଅର୍ଜୁନ ଶ୍ରେଷ୍ଠ ଅଭିନେତା, କୃତି-ଆଲିଆ ଶ୍ରେଷ୍ଠ ଅଭିନେତ୍ରୀ

ନୂଆଦିଲ୍ଲୀ: ବିଜ୍ଞାନ ଭବନରେ ମଙ୍ଗଳବାର ଆୟୋଜିତ ୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଜେତା ମାନଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି | ଭେଟେରାନ ଅଭିନେତ୍ରୀ ୱାହିଦା ରହମାନ ସମ୍ମାନଜନକ ଦାଦାସହେବ ଫାଲକେ ପୁରସ୍କାର ପାଇଛନ୍ତି ।

ଦାଦାସାହେବ ଫାଲକେ ପୁରସ୍କାର ଗ୍ରହଣ କରିବା ସମୟରେ ୱାହିଦା ରହମାନ ଭାବପ୍ରବଣ ହୋଇଯାଇଥିଲେ । ତାଙ୍କ ନାମ ଘୋଷଣା ହେବା କ୍ଷଣି ହଲରେ ଉପସ୍ଥିତ ସମସ୍ତେ ଠିଆ ହୋଇ କରତାଳି ଦେଇ ତାଙ୍କୁ ଅଭିବାଦନ ଜଣାଇଥିଲେ। ଏହା ଦେଖି ୱାହିଦା ରହମାନଙ୍କ ଆଖିରେ ଲୁହ ଆସିଯାଇଥିଲା। ୱାହିଦା ରହମାନ କହିଛନ୍ତି ସେ ବହୁତ ଖୁସି ଏବଂ କୃତଜ୍ଞ। ସେ ଏହି ପୁରସ୍କାର ଫିଲ୍ମ ଜଗତକୁ ଉତ୍ସର୍ଗ କରିଛନ୍ତି । ଦାଦାସାହେବ ଫାଲକେ ସମ୍ମାନ ପାଇବାରେ ୮୫ ବର୍ଷୀୟା ଓ୍ବାହିଦା ରହମାନ ହେଉଛନ୍ତି ଅଷ୍ଟମ ମହିଳା ।

‘ଗଙ୍ଗୁବାଇ କାଠିଆୱାଡି’ ପାଇଁ ଆଲିଆ ଭଟ୍ଟ ଓ ‘ମିମି’ ପାଇଁ କୃତି ସାନନ୍ ମିଳିତ ଭାବେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ଗ୍ରହଣ କରିଛନ୍ତି । ଫିଲ୍ମ ‘ପୁଷ୍ପା: ଦି ରାଇଜ୍’ ପାଇଁ ସାଉଥ୍ ସୁପରଷ୍ଟାର ଅଲୁ ଅର୍ଜୁନଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପ୍ରଦାନ କରାଯାଇଛି । ପ୍ରଥମ ତେଲୁଗୁ ଅଭିନେତା ଭାବେ ଅଲୁ ଅର୍ଜୁନ ଏହି ପୁରସ୍କାର ପାଇଛନ୍ତି । ଆର୍ ମାଧବନଙ୍କ ‘ରକେଟ୍ରି: ନାମ୍ବି ଇଫେକ୍ଟ’କୁ ମିଳିଛି ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର । ‘ଦି କାଶ୍ମୀର ଫାଇଲ୍ସ’କୁ ଜାତୀୟ ଏକତା ପାଇଁ ନର୍ଗିସ୍ ଦତ୍ତ ପୁରସ୍କାର ପ୍ରଦାନ କରାଯାଇଛି ।

ଉଲ୍ଲେଖଯୋଗ୍ୟ, ଲକଡାଉନ୍ ଯୋଗୁଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିତରଣ ଉତ୍ସବ ଗୋଟିଏ ବର୍ଷ ବିଳମ୍ବରେ ହେଉଛି | ଚଳିତ ଥର ଏହି ପୁରସ୍କାର ୨୦୨୧ ପାଇଁ ପ୍ରଦାନ କରାଯାଇଛି | ସେପ୍ଟେମ୍ବରରେ ବିଜେତାଙ୍କ ନାମ ଘୋଷଣା କରାଯାଇଥିଲା।

ପଙ୍କଜ ତ୍ରିପାଠୀ ‘ମିମି’ ପାଇଁ ଶ୍ରେଷ୍ଠ ପାର୍ଶ୍ବ ଅଭିନେତା ପୁରସ୍କାର ଗ୍ରହଣ କରିଛନ୍ତି | ପୁରସ୍କାର ଜିତିବା ନେଇ ପଙ୍କଜ ତ୍ରିପାଠୀ ଖୁସି ବ୍ୟକ୍ତ କରିଥିଲେ। ସେ କହିଥିଲେ, ‘ଏହା ମୋର ଦ୍ୱିତୀୟ ଜାତୀୟ ପୁରସ୍କାର | ମୁଁ ବହୁତ ଖୁସି। ‘

୬୯ତମ ଜାତୀୟ ପୁରସ୍କାର ବିଜେତାଙ୍କ ତାଲିକା

ଶ୍ରେଷ୍ଠ ଅଭିନେତା: ଅଲୁ ଅର୍ଜୁନ (ପୁଷ୍ପା: ଦି ରାଇଜ୍)
ଶ୍ରେଷ୍ଠ ଅଭିନେତ୍ରୀ: ଆଲିଆ ଭଟ୍ଟ (ଗଙ୍ଗୁବାଇ କାଠିଆୱାଡି), କ୍ରିତି ସାନନ୍ (ମିମି)
ଶ୍ରେଷ୍ଠ ଫିଚର ଫିଲ୍ମ: ରକେଟ୍ରି: ନାମ୍ବି ଇଫେକ୍ଟ
ଶ୍ରେଷ୍ଠ ନିର୍ଦ୍ଦେଶକ- ନିଖିଲ ମହାଜନ (ଗୋଦାବରୀ-ଦି ହୋଲି ଓ୍ବାଟର)
ଶ୍ରେଷ୍ଠ ପାର୍ଶ୍ବ ଅଭିନେତ୍ରୀ: ପଲ୍ଲବୀ ଯୋଶୀ (କାଶ୍ମୀର ଫାଇଲ୍ସ)
ଶ୍ରେଷ୍ଠ ପାର୍ଶ୍ବ ଅଭିନେତା: ପଙ୍କଜ ତ୍ରିପାଠୀ (ମିମି)
ଶ୍ରେଷ୍ଠ କଷ୍ଟ୍ୟୁମ ଡିଜାଇନର୍– ସର୍ଦ୍ଦାର ଉଦ୍ଦାମ ସିଂ
ଶ୍ରେଷ୍ଠ ପ୍ରଡକ୍ସନ ଡିଜାଇନର୍– ସର୍ଦ୍ଦାର ଉଦ୍ଦାମ ସିଂ
ଶ୍ରେଷ୍ଠ ସିନେମାଟୋଗ୍ରାଫି- ସର୍ଦ୍ଦାର ଉଦ୍ଦାମ ସିଂ
ଶ୍ରେଷ୍ଠ ସମ୍ପାଦନା- ଗଙ୍ଗୁବାଇ କାଠିଆୱାଡି
ଶ୍ରେଷ୍ଠ ମେକଅପ୍ ଆର୍ଟିଷ୍ଟ- ଗଙ୍ଗୁବାଇ କାଠିଆୱାଡି
ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର- ସର୍ଦ୍ଦାର ଉଦ୍ଦାମ ସିଂ
ଶ୍ରେଷ୍ଠ ଶିଶୁ କଳାକାର- ଭବିନ ରାବାରୀ (ଛେଲୋ ଶୋ)
ସ୍ୱତନ୍ତ୍ର ଜୁରି ପୁରସ୍କାର– ଶେରଶାହ
ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶନା‌– ଦେବୀ ଶ୍ରୀ ପ୍ରସାଦ (ପୁଷ୍ପା)
ଶ୍ରେଷ୍ଠ ପ୍ରଚ୍ଛଦପଟ ସଂଗୀତ: ଏମ୍ଏମ୍ କିରବାନୀ (ଆରଆରଆର)
ଶ୍ରେଷ୍ଠ ଆକ୍ସନ୍ – ଆରଆରଆର (ଷ୍ଟଣ୍ଟ କୋରିଓଗ୍ରାଫର୍- କିଙ୍ଗ ଶଲୋମନ)
ଶ୍ରେଷ୍ଠ କୋରିଓଗ୍ରାଫି- ଆରଆରଆର (କୋରିଓଗ୍ରାଫର୍- ପ୍ରେମ ରକ୍ଷିତ)
ଶ୍ରେଷ୍ଠ ସ୍ପେଶାଲ ଇଫେକ୍ଟ– ଆରଆରଆର
ଶ୍ରେଷ୍ଠ ପୁରୁଷ କଣ୍ଠଶିଳ୍ପୀ – କାଳ ଭୈରବ (ଆରଆରଆର)
ଶ୍ରେଷ୍ଠ ମହିଳା କଣ୍ଠଶିଳ୍ପୀ – ଶ୍ରେୟା ଘୋଷାଲ (ଇର୍ଭିନ ନିଝାଲ)