ଭୁବନେଶ୍ବର – ଜନଜାତି ସମୁଦାୟର ସଂସ୍କୃତି ଓ ଖାଦ୍ୟପେୟ ସହିତ ଗଭୀର ଭାବେ ଜଡିତ ପୃଷ୍ଟିସାର ଯୁକ୍ତ ଶସ୍ୟ ମିଲେଟ୍ ଆମ ଜୀବନଶୈଳୀକୁ ପରିବର୍ତ୍ତନ କରିବା ସହ ବର୍ତ୍ତମାନ ଆମ ଖାଦ୍ୟ ପ୍ରଣାଳୀରେ ସୁପରଫୁଡ୍ ର ଭୂମିକା ବହନ କରୁଛି । ଏହା ଓଡିଶା ପାଇଁ ଗର୍ବର ବିଷୟ ଯେ ଆମ ଜନଜାତି ସମ୍ପ୍ରଦାୟ ପ୍ରାଚୀନ କାଳରୁ ମିଲେଟ୍ ବା ମାଣ୍ଡିଆ ଉତ୍ପାଦନ କରି ଆସୁଛି । ଏହା ଖାଦ୍ୟ ନିରାପତ୍ତାକୁ ସୁରକ୍ଷା ଦେବା ସହ ବର୍ତ୍ତମାନ ସେମାନଙ୍କୁ ଆତ୍ମନିର୍ଭରଶୀଳ କରିପାରିଛି ବୋଲି ସୂଚନା ଦେଇଛନ୍ତି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ , ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା । ଆଜି ଓଡିଶା ରାଜ୍ୟ ଆଦିବାସୀ ସଂଗ୍ରହାଳୟରେ ନୂତନ ଭାବେ ମିଲେଟ୍ ସିଡ୍ ଡିସପ୍ଲେ ୟୁନିଟର ଶୁଭାରମ୍ଭ କରାଯାଇଛି । ଏହି ଡିସପ୍ଲେ ୟୁନିଟରେ ୫୦ ପ୍ରକାରର ମିଲେଟକୁ ସ୍ଥାନିତ କରାଯାଇଥିବା ବେଳେ କୃଷି ଓ ସଶକ୍ତିକରଣ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା ୟୁନିଟର ଉଦଘାଟନ କରିଥିଲେ । ଓଡିଶା ମିଲେଟ୍ ମିଶନର ସହଭାଗିତାରେ ଏହି ଡିସପ୍ଲେ ୟୁନିଟର ଶୁଭାରମ୍ଭ କରାଯାଇଛି । ମିଲେଟର ଗୁଣକାରୀ ଉପାଦାନ ବିଷୟରେ ଜନସଚେତନତା ସୃଷ୍ଟି କରିବା ଏହି ଡିସପ୍ଲେ ୟୁନିଟର ମୁଖ୍ୟ ଉଦ୍ଦେଶ୍ୟ । ମିଲେଟ୍ ମୁଖ୍ୟତଃ ଶୁଷ୍କ ପାର୍ବତ୍ୟାଞ୍ଚଳରେ ବାସ କରୁଥିବା ସମ୍ପ୍ରଦାୟର ଲୋକେ ଉତ୍ପାଦନ କରିଥାନ୍ତି । ଜଳର ଅଭାବ ଥିବା ସତ୍ତ୍ବେ ଅନ୍ୟ କାହାର ସାହାଯ୍ୟ ବିନା ନିଜ ଉଦ୍ୟମରେ ବିହନ ଓ ଖତ ପ୍ରୟୋଗ କରି ଉତ୍ପାଦନ କରାଯାଏ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ ଜଗନ୍ନାଥ ସାରକା । ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି , ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ମିଲେଟ୍ ଭିତ୍ତିକ ଖାଦ୍ୟକୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ମିଶନ ଶକ୍ତି ବିଭାଗର ମିଳିତ ଉଦ୍ୟମରେ ଓଡିଶା ମିଲେଟ ମିଶନ ଭଳି ଏକ ଯୁଗାନ୍ତକାରୀ ପଦକ୍ଷେପ ହାତକୁ ନିଆଯାଇଥିଲା । ବର୍ତ୍ତମାନ ରାଜ୍ୟର ୩୦ଟି ଜିଲ୍ଲାର ୧୭୭ଟି ବ୍ଲକରେ ମିଲେଟର ପ୍ରଚାର ପ୍ରସାର ଜାରି ରହିଛି । ନିରନ୍ତର ବିକାଶ ସହ ପୁଷ୍ଟିଭିତ୍ତିକ ନିରାପତ୍ତାକୁ ସୁଦୃଢ କରିବା , ମିଲେଟ୍ ମାଧ୍ୟମରେ ମହିଳାଙ୍କୁ ଉଦ୍ୟୋଗୀ କରିବା ହେଉଛି ମିଲେଟ୍ ମିଶନର ଲକ୍ଷ୍ୟ । ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ କାର୍ଯ୍ୟକ୍ରମର ପରିଚାଳନା କରିବା ସହ ମିଲେଟର ଖାଦ୍ୟପଯୋଗିତା , ପୋଷଣ ତତ୍ତ୍ବ ଓ ସାମାଜିକ ସ୍ତରରେ ଓଡିଶାର ଜନଜାତି ସମ୍ପ୍ରଦାୟ ସହ ଏହାର ସଂଶ୍ଳିଷ୍ଟତା ବିଷୟରେ ସୂଚନା ଦେଇଛନ୍ତି । କନ୍ଧମାଳ , ଗଜପତି , କୋରାପୁଟ , ରାୟଗଡା , ବଲାଙ୍ଗିର , ନୂଆପଡା , ମୟୁରଭଞ୍ଜ , କଳାହାଣ୍ଡି ଆଦି ସ୍ଥାନରେ ଚାଷ କରାଯାଉଥିବା ଫିଙ୍ଗର ମିଲେଟ୍ , ସୁଆଁ , କାଙ୍ଗୁ , ଜହ୍ନା , ବାଜରା ଆଦି ଓଡିଶାର ପାରମ୍ପରିକ ପୁଷ୍ଟିଶସ୍ୟକୁ ମିଲେଟ୍ ଡିସପ୍ଲେ ମଧ୍ୟରେ ସ୍ଥାନ ଦିଆଯାଇଛି । ଏହା ସ୍ଥାନୀୟ ପର୍ଯ୍ୟଟକ ତଥା ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କୁ ମିଲେଟ୍ ସମ୍ପର୍କରେ ଜାଣିବାର ସୁଯୋଗ ଦେବ । ଏହି ପଦକ୍ଷେପ ମିଲେଟର ବ୍ୟବହାରକୁ ପ୍ରୋତ୍ସାହିତ କରିବ , ଯାହା ରାଜ୍ୟରେ ଏକ ସୁସ୍ଥ ଜୀବନଶୈଳୀରେ ସହାୟକ ହେବ ।