କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢଉ | News Room Odisha

କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢଉ

ଭୁବନେଶ୍ୱର – ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡିଛନ୍ତି ଆଉ ଜଣେ ସରକାରୀ ବାବୁ । ପାଲଲହଡ଼ା ବିଇଓ ଅଫିସ୍ ର କନିଷ୍ଠ ଯନ୍ତ୍ରୀ ପ୍ରସନ୍ନ କୁମାର ପାଣିଙ୍କ ବିଭିନ୍ନ ଠିକଣାରେ ଆଜି ସକାଳୁ ଏକକାଳୀନ ଚଢ଼ଉ ଆରମ୍ଭ କରିଛି ଭିଜିଲାନ୍ସ ବିଭାଗ। ପ୍ରସନ୍ନ କୁମାର ପାଣି ପାଲଲହଡ଼ା ବିଇଓ ଅଫିସରେ ବୈଷୟିକ ପରାମର୍ଶଦାତା ଭାବେ କାର୍ଯ୍ୟରତ। ପ୍ରସନ୍ନ କୁମାର ପାଣିଙ୍କ ଘର ଓ କାର୍ଯ୍ୟାଳୟ ସମେତ ଅନୁଗୁଳ, ପୁରୀ ଓ ଭୁବନେଶ୍ୱରରେ ଏକକାଳୀନ ୯ଟି ସ୍ଥାନରେ ଚଢ଼ଉ କରୁଛି ଭିଜିଲାନ୍ସ।

ପ୍ରସନ୍ନଙ୍କ ପାଲଲହଡ଼ା ବିଇଓ ଅଫିସ, ଉଦୟ ବିହାରରେ ଥିବା ଭଡ଼ା ଘର, ରାଜଧାନୀର ସୁନ୍ଦରପଦାରେ ୩୬୭ ଓ ୬୬୬ ନମ୍ବର ପ୍ଲଟରେ ଥିବା ଦୁଇଟି ତିନି ମହଲା କୋଠା ଘର, ସୁନ୍ଦରପଦାର ଫ୍ରେଣ୍ଡସ୍ କ୍ଲବ୍ ନିକଟରେ ଥିବା ତିନି ମହଲା ଘର, ହାଇଟେକ୍ ପ୍ଲାଜାରେ ଥିବା ଫ୍ଲାଟ୍, ସୁନ୍ଦରପଦାରେ ଥିବା ଦୁଇ ସଂପର୍କୀୟଙ୍କ ଘର, ପୁରୀ ଜିଲ୍ଲା ନିମାପଡ଼ାର ଅମଲାପଡ଼ାରେ ଥିବା ତିନି ମହଲା କୋଠା ଘରେ ଏକକାଳୀନ ଚଢ଼ଉ କରୁଛି ଭିଜିଲାନ୍ସ ଟିମ୍। ଚଢଉରେ ବିପୁଳ ପରିମାଣର ନଗଦ ଟଙ୍କା, ସୁନାରୁପା ଜବତ ହୋଇଥିବାର ପ୍ରାଥମିକ ସୂଚନା ମିଳିଛି।