ଖଲ୍ଲିକୋଟ: ବିଦ୍ୟୁତ୍ ଧକ୍କାରେ ମାଆ ଓ ପୁଅ ମୃତ, ବୃଦ୍ଧ ଗୁରୁତର | News Room Odisha

ଖଲ୍ଲିକୋଟ: ବିଦ୍ୟୁତ୍ ଧକ୍କାରେ ମାଆ ଓ ପୁଅ ମୃତ, ବୃଦ୍ଧ ଗୁରୁତର

ଛତ୍ରପୁର: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ୍ ଅନ୍ତର୍ଗତ ଏଲ୍.ଶ୍ରୀକୃଷ୍ଣ ଶରଣପୁର ଗ୍ରାମରେ ବିଦ୍ୟୁତ୍ ତାର ମାଆ ଓ ପୁଅଙ୍କ ଜୀବନ ନେଇଛି। ମୃତକ ହେଲେ ନିବାସୀ ପାହାନ ଓ ଜିତେନ୍ଦ୍ର ପାହାନ। ଜିତେନ୍ଦ୍ରଙ୍କ ଅଜା ଭଗି ନାହାକ ମଧ୍ୟ ଗୁରୁତର ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ପଠାଯାଇଛି।ଶୁକ୍ରବାର ଅପରାହ୍ନ ପ୍ରାୟ ୩ଟାରେ ଘର କାମ ଚାଲୁଥିବା ବେଳେ ବିଦ୍ୟୁତ୍ ତାର ଧକ୍କାରେ ମାଆ ଓ ପୁଅଙ୍କ ଜୀବନ ଚାଲି ଯାଇଛି।

ନିବାସୀ ପାହାନଙ୍କ ଇନ୍ଦିରା ଆବାସ କାମ ଚାଲିଛି। ଘର ପାର୍ଶ୍ଵ ଏକ ପରିତ୍ୟକ୍ତ ଜାଗାରେ କାଠ ଲୁହା ପାଇପ୍ ବନ୍ଧାଯାଇ ସର୍ଭିସ ତାର ଟଣାଯାଇଥିଲା। ସେଠାରେ ଘର କାମ ପାଇଁ ଲୁହା ଛଡ଼ଗୁଡିକ ମଧ୍ୟ ରଖାଯାଇଥିଲା। ଶୁକ୍ରବାର ଭଗି ନାହାକ ଛାତ ଉପରେ ପାଣି ଦେଉଥିବା ବେଳେ ନିବାସୀ ତଳକୁ ଆସିଥିଲେ। ସର୍ଭିସ ତାରକୁ ଲାଗି ରହିଥିବା ଲୁହା ଛଡ଼ରେ ବିଦ୍ୟୁତ୍ ପ୍ରବାହିତ ହେଉଥିବା ବେଳେ ପ୍ରଥମେ ନିବାସୀ ଓ ପରେ ମାଆଙ୍କୁ ବଞ୍ଚାଇବାକୁ ଯାଇ ଜିତେନ୍ଦ୍ର ଉଦ୍ୟମ କରି ବିଦ୍ୟୁତ୍ ଧକ୍କାରେ ପ୍ରାଣ ହରାଇଥିଲେ। ଅଜା ଭଗି ନାହାକ ତଳକୁ ଆସି ଉଭୟଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କଲା ବେଳେ ସେ ମଧ୍ୟ କରେଣ୍ଟ ଧକ୍କାରେ ଗୁରୁତର ହୋଇଛନ୍ତି। ଗ୍ରାମବାସୀ କୌଣସି ମତେ ବିଦ୍ୟୁତ୍ ତାର କାଟି ସେମାନଙ୍କୁ ଉଦ୍ଧାର କରି ଖଲ୍ଲିକୋଟ ଡାକ୍ତରଖାନାକୁ ଆଣିଥିଲେ। ଡାକ୍ତର ମାଆ ଓ ପୁଅଙ୍କୁ ମୃତ ଘୋଷଣା କରିଥିଲେ।