ଶ୍ରୀମନ୍ଦିରରେ ଚାଲିଥିଲା ଷୋଡଶ ଦିବସ ବ୍ୟାପି ଦୂର୍ଗୋତ୍ସବ। ଆଶ୍ୱିନ କୃଷ୍ଣ ସପ୍ତମୀ କିମ୍ବା ଅଷ୍ଟମୀ ଦିନଠାରୁ ଶ୍ରୀମନ୍ଦିର ରେ ବିରାଜିତ ବିମଳା ଠାକୁରାଣୀଙ୍କ ଷୋଳପୂଜା ଆରମ୍ଭ ହୁଏ । ତିଥି ବୃଦ୍ଧି ନଥିଲେ ଅଷ୍ଟମୀ ଦିନ କିମ୍ବା ତିଥି ବୃଦ୍ଧିରେ ସପ୍ତମୀ ଦିନ ଦୁର୍ଗା ଭଣ୍ଡାର ଘରୁ ସକାଳ ଧୂପ ପରେ ଆଜ୍ଞାମାଳ ପାଇ ପତି ମହାପାତ୍ରଙ୍କ ହାତରେ ସୋମନାଥ ମଣ୍ଡପ (ମାଜଣା ମଣ୍ଡପ ରେ ଖଟରେ ବିଜେ ହୁଅନ୍ତି । ପଣ୍ଡା, ପତି ଓ ମୁଦିରସ୍ତ ଆଚାର୍ଯ୍ୟ ବ୍ରହ୍ମାବରଣ ହୋଇ ଦୁର୍ଗାଙ୍କୁ ୧୦୦୦ ଗରା ଜଳରେ ଅଭିଷେକ କରାନ୍ତି । ଏହା ପରେ ଶ୍ରୀଅଙ୍ଗ ପୋଛା, ନବବସ୍ତ୍ର ଲାଗି, ବେଶ, ପ୍ରସାଦ ଲାଗି, ଶୀତଳ ଭୋଗ, ବନ୍ଦାପନାଦି ନୀତି ଶେଷ ପରେ ଦେବୀଙ୍କୁ ଭଣ୍ଡାର ଘର ଦ୍ବାର ଦେଶରେ ବିଜେ କଲା ପରେ ସହସ୍ର କୁମ୍ଭାଭିଷେକ ବିଧି ଶେଷ ହୁଏ ।
ଦୁର୍ଗା ବିଗ୍ରହ ଭଣ୍ଡାର ଦ୍ୱାରଠାରେ ବିଜେ ହେବା ପରେ ଶ୍ରୀବାଳ ପୁରୁଷୋତ୍ତମ ( ମାଧବ) ସିଂହାସନରୁ ଆଜ୍ଞାମାଳ ପାଇ ଆସି ଦୁର୍ଗାଙ୍କ ସହିତ ଏକତ୍ର ଭଦ୍ରାସନରେ ବସିଲେ ରୁନ୍ଧା କାର୍ଯ୍ୟ ହୁଏ । ଏକତ୍ର ରୁନ୍ଧା ଅବସ୍ଥାରେ ଦୁର୍ଗାମାଧବ ରତ୍ନ ସିଂହାସନକୁ ଯାଇ ଆଜ୍ଞାମାଳ ପାଇଲା ପରେ ଜୟ ବିଜୟ ଦ୍ୱାର ବାଟ ଦେଇ ଝୁଲଣ ମଣ୍ଡପଠାରେ ପାଲିଙ୍କିରେ ବସି କର୍ପୂର ଜଳ ଲାଗି ହେବା ପରେ ବିମଳା ମନ୍ଦିରକୁ ବିଜେ କରନ୍ତି । ସେଠାର ଖଟ ଉପରେ ଦୁର୍ଗାମାଧବ ବିଜେ ହେଲେ ଶୀତଳ ଭୋଗ ମଣୋହି ଓ ବନ୍ଦାପନା ହୁଏ । ତତ୍ପୂର୍ବରୁ ବିମଳାଙ୍କ ସକାଳ ଧୂପ ଶେଷ ହୋଇଥାଏ । ତିନି ଧୂପ ସରି ଭିତରେ ଚନ୍ଦନ ଲାଗି ନୀତି ପରେ ଦୁର୍ଗାମାଧବ ପାଲିଙ୍କିରେ ଯାଇ ଭଣ୍ଡାର ରେ ବିଜେ କରନ୍ତି।ଷୋଳଦିନ ଏହିପରି ରୁନ୍ଧା ଅବସ୍ଥା ରେ ରହନ୍ତି। ଦଶହରା ଦିନ ରୁନ୍ଧା ଖୋଲାଯାଏ ।
ଷୋଳ ପୂଜାର ପ୍ରଥମ ଆଠ ଦିନ ଦୁର୍ଗାମାଧବ ରୁନ୍ଧା ଅବସ୍ଥାରେ ବିମଳାଙ୍କ ମନ୍ଦିରକୁ ଓ ପରବର୍ତ୍ତୀ ଆଠ- ଦିନ ଦୋଳ ମଣ୍ଡପ ସାହିର ନାରାୟଣୀ ମନ୍ଦିରକୁ ବିଜେ କରନ୍ତି । ଉଭୟ ସ୍ଥାନରେ ଏକାପରି ନୀତି ହୁଏ ।
ଦୁର୍ଗାମାଧବ ପ୍ରଥମ ଦିନ ବିମଳା ମନ୍ଦିରକୁ ବିଜେ ହେବା ପୂର୍ବରୁ ବିମଳାଙ୍କ ପାଖରେ ସହସ୍ର କୁମ୍ଭାଭିଷେକ ପୂଜା ସରିଥାଏ । ପ୍ରଥମ ପୂଜାପାଇଁ ସକାଳ ଧୂପ ଶେଷ ପରେ ବିମଳାଙ୍କ ଦେଉଳରେ ପରିଚ୍ଛା ଓ ପରିକରଣମାନେ ହୁକୁମମାନ ପାଠ କରନ୍ତି । ବ୍ରହ୍ମାବରଣ ନିମନ୍ତେ ବରୁଣ ପୂଜା ହୁଏ । ଆଚାର୍ଯ୍ୟ ବରଣ, ବ୍ରହ୍ମାବରଣ, ସ୍ୱସ୍ତିବାଚନ ଓ ଚଣ୍ଡୀବରଣ ହୁଏ । ସଂକଳ୍ପ ହୁଏ । ଠାକୁରାଣୀଙ୍କ ଛାମୁରେ ପାଣି ପଡ଼ି, ପାହାଡ଼ ପଡ଼ି ଭୋଗ ବଢ଼ାହୁଏ । ପାଳିଆ ସେବକ ପୂଜା ଠା’ କରେ । ପ୍ରଧାନୀ ପୂଜକଙ୍କୁ ଡକାଇ ପୂଜାରେ ବସାନ୍ତି । ପୂଜା ଷୋଡ଼ଶ ଉପଚାରରେ ହୁଏ । କୋଠଭୋଗର ମହାପ୍ରସାଦ ପିଠା, ଥ।ଳି ଖେଚୁଡ଼ି ବିମଳାଙ୍କ ମଣୋହିରେ ବଢ଼ା ଯାଏ । ଭୋଗ ପୂଜା ବେଳେ ଘଣ୍ଟ, କାହାଳୀ ବାଜେ, ଛତ୍ର ଧରାଯାଏ । ଆଗ କାଳରେ ଏହି ସମୟରେ ପରିଚ୍ଛା ପଟୁଆର କରୁିଥିଲେ ଓ ଦେବଦାସୀ ନୃତ୍ୟ କରୁିଲେ । ତାହା ଏବେ ହେଉନାହିଁ ।
ଟେରା ଫିଟିଲେ କର୍ପୂର ଆଳତି ଓ ୨୧ବତି ବନ୍ଦାପନା ହୁଏ।ସକାଳ ଧୂପ ଆରମ୍ଭରୁ ଶେଷପର୍ଯ୍ୟନ୍ତ ଚଣ୍ଡୀପାଠ ଓ ସହସ୍ର ନାମାଦି ପାଠ କରାଯାଏ । କିନ୍ତୁ ଏହି ପାଠ ମଧ୍ୟାହ୍ନ ଓ ରାତ୍ର ଧୂପମାନଙ୍କରେ ହୁଏ ନାହିଁ । ବିଧି ଅନୁସାରେ ଶ୍ରୀଜୀଉମାନଙ୍କର ମଧ୍ୟାହ୍ନ ଧୂପ ଓ ସଂଧ୍ୟା ଧୂପ ପରେ ବିମଳାଙ୍କର ମଧ୍ୟାହ୍ନ ଓ ସଂଧ୍ୟା ଧୂପ ହୁଏ। ଏହି ଧୂପମାନଙ୍କରେ ସକାଳ ଧୂପପରି ପ୍ରସାଦ ଓ ପିଷ୍ଟକାଦି ଦେବୀଙ୍କୁ ନୈବେଦ୍ୟ ରୂପେ ବଢ଼ାଯାଏ । ଘଣ୍ଟ, କାହାଳୀ ଓ ଛତି ବ୍ୟବସ୍ଥା ପ୍ରତ୍ୟେକ ଧୂପପାଇଁ ଅଛି । ସପ୍ତମୀ ଦିନଠାରୁ ବିମଳାଙ୍କର ତ୍ରିଦିବସାତ୍ମକ ପୂଜାପାଇଁ ପୃକ ସଂକଳ୍ପ କରାଯାଏ । ଏଥିରେ ତର୍ପଣ ମାର୍ଜନାଦି ସହ ବଳି, ଜପ, ହୋମ ଆଦି ଯୋଗ କରାଯାଏ । ଏହି ତିନି ଦିନ ଅର୍ଥାତ ସପ୍ତମୀ, ଅଷ୍ଟମୀ ଓ ନବମୀ ନିଶାର୍ଦ୍ଧରେ ସଙ୍ଖୁଡ଼ି ଓ ଆମିଷ (ମାଛ) ଭୋଗର ବ୍ୟବସ୍ଥା ଅଛି ।ଏହି ଭୋଗ ପ୍ରସ୍ତୁତି ପାଇଁ ବିମଳା ମନ୍ଦିର ଆଗରେ ଥିବା କୂପର ଦକ୍ଷିଣ ଦିଗରେ ଅସ୍ଥାୟୀ ପାକଶାଳା ନିର୍ମିତ ହୋଇାଏ ।
ବଡ଼ ଦେଉଳରେ ଶ୍ରୀଜୀଉମାନଙ୍କର ରାତ୍ର ପହୁଡ଼ ପରେ ଶ୍ରୀମନ୍ଦିର ବେଢ଼ା ଶୋଧ କରାଯାଏ । ପଶ୍ଚିମ ଦ୍ୱାର ବାଟେ ଦେବୀଙ୍କ ଭୋଗ ପ୍ରସ୍ତୁତି ନିମନ୍ତେ ବଳିପାଇଁ ପଶୁ ଓ ମାଛ ଆଦି ଅଣାଯାଏ ।
ଏହି ତିନି ଦିନ ପ୍ରତ୍ୟେକ ରାତ୍ରରେ ଦୁଇଟି ଲେଖାଏଁ ମେଣ୍ଢା ବଳି ପଡ଼େ।ମାଛ ରନ୍ଧାହୁଏ। ଛେଦ ବିମଳାଙ୍କ କୂପ ପାଖରେ ପଡ଼ିବା ପରେ ଠାକୁରାଣୀଙ୍କ ପୂଜକ ରକ୍ତ ସରାରେ ନେଇ ଠାକୁରାଣୀଙ୍କ ପାଖରେ ରଖେ । ନିର୍ଦ୍ଧିଷ୍ଟ ପଶୁ ବଳି ଛଡ଼ା ଯାଚଜ୍ଞା ବଳି ବ୍ୟବସ୍ଥା ଏଠାରେ ନାହିଁ । କାହାର ମାନସିକ ଥିଲେ ତାଙ୍କ ତରଫରୁ ପଶୁବଳି ଶ୍ରୀମନ୍ଦିର ବାହାରେ କାକୁଡ଼ି ଖାଇ ଠାକୁରାଣୀଙ୍କ ପାଖରେ ପଡ଼େ । ସଙ୍ଖଡ଼ି ଧୂପ ପାଣି ପଡ଼ିବା ପରେ ପଶ୍ଚିମ ଦ୍ୱାର ପର୍ଯ୍ୟନ୍ତ ନପାଣି ପଡ଼ି ଧୁଆଯାଏ । ବିମଳାଙ୍କ ପୂଜା (୧୬ ଦିନ) ଭିତରେ କୌଣସି ସ୍ତ୍ରୀ ଲୋକ ବିମଳାଇ ମନ୍ଦିର ଭିତରକୁ ପ୍ରବେଶ ନିଷେଧ । ଏହି ସମୟ କାଳରେ ଗୁରୁବାର ପଡ଼ିଲେ ‘ଏକାନ୍ତ’ ନୀତି ହୁଏ ନାହିଁ । ଦୈନନ୍ଦିନ ଭୋଗକୁ ଛାଡ଼ି ଦେଲେ ଷୋହଳ ପୂଜା ବେଳେ ବିମଳାଙ୍କପାଇଁ କେତେକ ଅଧିକ ଭୋଗ ହୁଏ । ଲୋକଙ୍କ ଖଞ୍ଜା ଅନୁଯାୟୀ ସଂଧ୍ୟା ଧୂପ ପରେ ବିମଳା ଠାକୁରାଣୀଙ୍କର ବିଭିନ୍ନ ଦେବୀ ବେଶ ହୁଏ । ତାହାହେଲା- ବନଦୁର୍ଗା ବେଶ, ଭୁବନେଶ୍ୱରୀ ବେଶ, ନାରାୟଣୀ । ବେଶ,ବଗଳା ବେଶ,ଜୟଦୁର୍ଗ ବେଶ , ଉଗ୍ରତାରା ବେଶ, ମାତଙ୍ଗିନୀ ବେଶ, ଦଶଭୁଜା ବେଶ, ରାଜରାଜେଶ୍ବରୀ ବେଶ, ହରଚଣ୍ଡୀ ବେଶ ଓ ସିଂହ ବାହିନୀ ବେଶ ।
ଷୋଳ ପୂଜା ସମୟରେ ମା’ ବିମଳା କେତେକ ଅଧିକ ସୁବର୍ଣ୍ଣ ଅଳଙ୍କର ପରିଧାନ କରନ୍ତି । ତାହା ହେଲା –
କମରପଟି-୧, ଝୋବା କଣ୍ଠି-୪, ସୁଉକି ମାଳ (ରାମାଭିଷେକ ପଦକ ଥାଇ)-୧, ଚମ୍ପାକଢ଼ି ମାଳ (୫୭ କଢ଼ି ଥାଇ)-୧, କୁରୁଜାତକ ମାଳି-୧, ବଡ଼ମୁଣ୍ଡ ମାଳି (୪୦ଟି ମୁଣ୍ଡ ଥାଇ)-୧, ସାନମୁଣ୍ଡି ମାଳି (୨୭ଟି ମୁଣ୍ଡ ଥାଇ) -୧, ନୋଥ-୧, ଅଷ୍ଟରତ୍ନ ଗୁଣା-୧, ଦଣ୍ଡି-୧, ଉପଚାର-୧, ସେବତୀ ହାର (ଅଷ୍ଟରତ୍ନ ପଦକ ଥାଇ ୧୬ଟି ସେବତୀ) -୧, ପଦ୍ମହାର (୩୦, ୫୫, ୩୨, ୨୪ ଓ ୪ଟି ପଦ୍ମ ଥାଇ)- ୫ଟି ଓ ରୁପାର ଏକ ପଦ୍ମ ହାର (୪୦ଟି ପଦ୍ମ ଥାଇ) ।
ଷୋଳ ପୂଜାରେ ପିନ୍ଧୁଥିବା ବିଶେଷ ଅଳଙ୍କାର ବ୍ୟତୀତ ବର୍ଷସାରା ସଦା ସର୍ବଦା ଦେବୀଙ୍କ ଶ୍ରୀଅଙ୍ଗ ରେ ନିମ୍ନଲିଖିତ ସୁବର୍ଣ ଅଳଙ୍କାର ଶୋଭାପାଏ । କିରୀଟ, ନାକଫୁଲ, କାନଫୁଲ, ଅନନ୍ତ ବ୍ରତ, ବାଜୁ, କିଆ, ଚୁଡ଼ି, ତ୍ରିନେତ୍ର, ନେତ୍ର, ଚାପସରି, କଣ୍ଡିମାଳ, ହରିଡ଼ାକଣ୍ଠ ମାଳ (୩), ବଟଫଳ, ବକ୍ଷସ୍ତଳ ପଦ୍ମ, ହସ୍ତ ଓ ପଦର ମୁଦ୍ରିକା, ପଦର ନଖ ଇତ୍ୟାଦି ।
ଦଶହରା ଦିନ ଶ୍ରୀଜୀଉଙ୍କ ଦ୍ଵିପହର ଧୂପ ଶେଷ ପରେ ଆଜ୍ଞାମାଳ ପାଇ ଶ୍ରୀ ଦୁର୍ଗା ମାଧବ ରଥରେ, ଶ୍ରୀ ମଦନମୋହନ ଶ୍ରୀରାମ ବେଶରେ ମଣି ବିମାନରେ ଓ ଶ୍ରୀ ରାମକୃଷ୍ଣ ପାଲିଙ୍କିରେ ଜଗନ୍ନାଥ ବଲ୍ଲଭ ସମ୍ମୁଖ ଦଶହରା ପଡିଆ କୁ ବିଜେ କରି ଥାନ୍ତି। ସେଠାରେ ଶିତଳଭୋଗ ପନ୍ତି ପରେ ବନ୍ଦାପନା ନୀତି ସମ୍ପର୍ଣ୍ଣ ହୋଇଥାଏ। ଏହାପରେ ପ୍ରତୀକାତ୍ମକ ଭାବରେ କାଷ୍ଠ ରେ ନିର୍ମିତ ଏକ ମତ୍ସ୍ୟ କୁ ତିରର୍ବିଦ୍ଧ ବା ଶିକାର କରିବା ପରେ ଚଳନ୍ତି ବିଗ୍ରହ ମାନେ ଶ୍ରୀମନ୍ଦିର କୁ ବାହୁଡା ବିଜେ କରିଥାନ୍ତି।ଏହାପରେ ଅନ୍ୟାନ୍ୟ ନୀତି ବଢି ଶାରଦୀୟ ଦୁର୍ଗତ୍ସଵ ର ପରି ସମାପ୍ତି ଘଟିଥାଏ।