ଆପଣଙ୍କ ମୋବାଇଲକୁ ଆସୁଛି କି ଇମରଜେନ୍ସୀ ଆଲର୍ଟ ? ଜାଣନ୍ତୁ କାରଣ | News Room Odisha

ଆପଣଙ୍କ ମୋବାଇଲକୁ ଆସୁଛି କି ଇମରଜେନ୍ସୀ ଆଲର୍ଟ ? ଜାଣନ୍ତୁ କାରଣ

ଭୁବନେଶ୍ୱର – ଆଜି ହଠାତ୍ ଆପଣଙ୍କ ମୋବାଇଲକୁ ଏକ ଶବ୍ଦ ସହ ଆସୁଛି କି ଇମରଜେନ୍ସୀ ଆଲର୍ଟ? ଯଦି ଆସୁଛି, ତାହା ହେଲେ ଏଥିରେ ଭୟଭୀତ ହେବା ଦରକାର ନାହିଁ। ବିପର୍ଯ୍ୟୟ ବେଳେ ନାଗରିକମାନଙ୍କୁ ଆଲର୍ଟ କରିବାକୁ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ – ଏନଏମଡିଏ ପକ୍ଷରୁ ଏଭଳି ଏକ ପରୀକ୍ଷା କରାଯାଉଛି । ଅଲ୍ ଇଣ୍ଡିଆ ଏମର୍ଜେନ୍ସି ଆଲର୍ଟ ସିଷ୍ଟମ ଦ୍ୱାରା ବିପର୍ଯ୍ୟୟ ବେଳେ କିପରି ସଠିକ ସୂଚନା ଦିଆଯାଇ ପାରିବ ଏଥିପାଇଁ ପରୀକ୍ଷା ଚାଲିଛି।

ଭାରତ ସରକାରଙ୍କ ଟେଲିକମ୍ ବିଭାଗର ସେଲ ବ୍ରଡକାଷ୍ଟିଂ ସିଷ୍ଟମ ମାଧ୍ୟମରେ ନମୂନା ପରୀକ୍ଷା ପଠାଯାଉଛି। ଅଗଷ୍ଟରେ ପ୍ରଥମ ଥର ପାଇଁ ଏଭଳି ପରୀକ୍ଷା କରାଯାଇଥିଲା। ଏବେ ସୁଦ୍ଧା ୬ଥର ଏମିତି ପରୀକ୍ଷା କରାଯାଇଛି।

ସେଲ୍ ବ୍ରଡକାଷ୍ଟ ଆଲର୍ଟ ସିଷ୍ଟମ୍ ହେଉଛି ଏକ ଅତ୍ୟାଧୁନିକ ଜ୍ଞାନକୌଶଳ ଯାହା ବନ୍ୟା, ଭୂକମ୍ପ, ସୁନାମି ଭଳି ଗୁରୁତ୍ୱପୂର୍ଣ୍ଣ ଜରୁରୀକାଳୀନ ସୂଚନାକୁ ଯଥାସମ୍ଭବ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ କାର୍ଯ୍ୟ କରିଥାଏ । ମୁଖ୍ୟତଃ ସରକାରୀ ଏଜେନ୍ସି ଏବଂ ଜରୁରୀକାଳୀନ ସେବା ଜନସାଧାରଣଙ୍କୁ ସମ୍ଭାବ୍ୟ ବିପଦ ବିଷୟରେ ଅବଗତ କରାଇବା ଏବଂ ଜଟିଳ ପରିସ୍ଥିତି ସମୟରେ ମହତ୍ତ୍ୱପୂର୍ଣ୍ଣ ଅପଡେଟ୍‌ ଦେବା ପାଇଁ ସେଲ୍ ବ୍ରଡକାଷ୍ଟିଂର ବ୍ୟବହାର କରନ୍ତି।