ଆଜି ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲାରେ 'ଆମ ଓଡ଼ିଶା ନବୀନ ଓଡ଼ିଶା' ଯୋଜନା ଆରମ୍ଭ କରିବେ ମୁଖ୍ୟମନ୍ତ୍ରୀ | News Room Odisha

ଆଜି ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲାରେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନା ଆରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ଆଜି ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲାରେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନାରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଖୋର୍ଦ୍ଧା ଜିଲ୍ଲାରେ ୯୫ କୋଟି ଟଙ୍କା ବ୍ୟୟରେ ୨ ହଜାର ୭୬୩ଟି ପ୍ରକଳ୍ପର ଶୁଭାରମ୍ଭ କରାଯିବ । ଜଗତସିଂହପୁର ଜିଲ୍ଲାରେ ୯୯ କୋଟି ଟଙ୍କା ବ୍ୟୟରେ ୨ ହଜାର ୯୨୨ଟି ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ।

ସୂଚନାଯୋଗ୍ୟ ଯେ, ଗତ ୧୦ ତାରିଖରେ ରାଜ୍ୟ ସରକାରଙ୍କର ମହତ୍ତ୍ଵାକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମର ଫୋକସରେ ରହିଛି ପ୍ରତି ପଞ୍ଚାୟତ, ପ୍ରତି ଗାଁ। ପ୍ରଥମେ କେନ୍ଦୁଝର ଓ ଭଦ୍ରକ ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ ହୋଇଥିଲା । ପରେ ପୁରୀ, ନୟାଗଡ଼, ମୟୂରଭଞ୍ଜ, ବରଗଡ଼ ଓ ଦେବଗଡ଼, କଟକ ଓ କେନ୍ଦ୍ରାପଡା ଜିଲ୍ଲାରେ ଏହି ଯୋଜନା ଆରମ୍ଭ କରାଯାଇଛି ।

ସାରା ରାଜ୍ୟରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ପାଇଁ ୩ ହଜାର ୩୯୭ କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ଯୋଜନାରେ ରାଜ୍ୟର ୬ ହଜାର ୭୯୪ଟି ପଞ୍ଚାୟତ ସାମିଲ ହେବେ । ମୋଟ କ ୯୦ ହଜାର ୭୨୩ଟି ପ୍ରକଳ୍ପ କାର୍ଯ୍ୟକାରୀ ହେବ । ଏହି ଯୋଜନାରେ ପ୍ରତି ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ଲେଖାଏଁ ମିଳିବ । ପ୍ରତି ଗାଁରେ ଓଡିଶାର ସଂସ୍କୃତିର ମୂଳଭିତ୍ତିକୁ ସୁଦୃଢ କରାଯିବା ସହିତ ଡିଜିଟାଲ ଭିତ୍ତିଭୂମିର ବିକାଶ କରାଯିବ।