ଦୁର୍ଗାପୂଜାରେ ଅବକାରୀ ବିଭାଗର ସ୍ୱତନ୍ତ୍ର ଅଭିଯାନ : ରେକର୍ଡ ସଂଖ୍ୟକ ୨୫୯୪ ମାମଲା ରୁଜୁ , ୨ ହଜାରରୁ ଅଧିକ ଗିରଫ | News Room Odisha

ଦୁର୍ଗାପୂଜାରେ ଅବକାରୀ ବିଭାଗର ସ୍ୱତନ୍ତ୍ର ଅଭିଯାନ : ରେକର୍ଡ ସଂଖ୍ୟକ ୨୫୯୪ ମାମଲା ରୁଜୁ , ୨ ହଜାରରୁ ଅଧିକ ଗିରଫ

ଭୁବନେଶ୍ୱର – ଅବକାରୀ କମିଶନର ନରସିଂହ ଭୋଳଙ୍କ ନିର୍ଦ୍ଦେଶ କ୍ରମେ ଦୁର୍ଗାପୂଜା ସମୟରେ ବେଆଇନ ମଦ କାରବାର ବିରୁଦ୍ଧରେ ଅବକାରୀ ବିଭାଗର ଅଧିକାରୀମାନେ ସ୍ଵତନ୍ତ୍ର ଅଭିଯାନ ଚଳାଇ ରେକର୍ଡ ସଂଖ୍ୟକ ୨୫୯୪ଟି ମାମଲା ରୁଜୁ କରିବା ସହ ୨୨୦୨ ଜଣଙ୍କୁ ଗିରଫ କରିଛନ୍ତି । ଏହି ସ୍ୱତନ୍ତ୍ର ଅଭିଯାନ ଅକ୍ଟୋବର ୧୦ ରୁ ୨୪ ତାରିଖ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ଚଳାଯାଇଥିଲା । ଏହି ସ୍ଵତନ୍ତ୍ର ଅଭିଯାନରେ ୯୨୯୫୮ ଲିଟର ବେଆଇନ ମଦ , ୨୪୮.୩୪ ଲିଟର ନକଲି ବିଦେଶୀ ମଦ , ୧୫ ଲିଟର ଟିକସ ଫାଙ୍କି ବିଦେଶୀ ମଦ , ୧୧୮ ଲିଟର ଦେଶୀ ମଦ , ୨୫.୮୫ ଲିଟର ଟିକସ ପଇଠ ହୋଇନଥିବା ବିୟର ଜବତ ହୋଇଥିଲା । ଏଥିସହ ୨୩୦ଟି ଯାନବାହାନ ମଧ୍ୟ ଜବତ କରାଯାଇଛି । ଜବତ ସାମଗ୍ରୀର ମୂଲ୍ୟ ୩ କୋଟିରୁ ଅଧିକ ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଏହି ସ୍ଵତନ୍ତ୍ର ଅଭିଯାନକୁ ସଫଳତାର ସହ କାର୍ଯ୍ୟକାରୀ କରିବା ପାଇଁ ମୟୂରଭଞ୍ଜ , କେନ୍ଦୁଝର , ସମ୍ବଲପୁର , ବରଗଡ଼ ଓ ବାଲେଶ୍ବର ଅବକାରୀ ଅଧୀକ୍ଷକଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଛି । କ୍ଷେତ୍ର ଅଧିକାରୀଙ୍କ ଏନଫୋର୍ସମେଣ୍ଟ କାର୍ଯ୍ୟକଳାପ ଉପରେ ଅବକାରୀ ନିର୍ଦ୍ଦେଶାଳୟ ପକ୍ଷରୁ ତୀକ୍ଷ୍ଣ ନଜର ରଖାଯାଇଛି । ଆଗାମୀ ଦିନ ଗୁଡିକରେ ଅବକାରୀ ଅପରାଧ ଉପରେ ନିୟନ୍ତ୍ରଣ ରଖିବା ପାଇଁ ଏନଫୋର୍ସମେଣ୍ଟ କାର୍ଯ୍ୟକଳାପକୁ ସୁଦୃଢ଼ କରିବା ଲାଗି ଅବକାରୀ କମିଶନରଙ୍କ ଦ୍ଵାରା ସମସ୍ତ ଜିଲ୍ଲା ଏବଂ ଇଆଇ ଏବଂ ଇବି ୟୁନିଟ୍ ଗୁଡ଼ିକର ମାସିକ ଏବଂ ପାକ୍ଷିକ ସମୀକ୍ଷା ନିୟମିତ ଭାବେ କରାଯାଉଛି ।