ଆଜି ଗଜଲକ୍ଷ୍ମୀ ପୂଜା, ଆଜିର ଦିନରେ ସମୁଦ୍ର ମନ୍ଥନରୁ ଆବିର୍ଭୁତ ହୋଇଥିଲେ ଆଦ୍ୟାଶକ୍ତି ଲକ୍ଷ୍ମୀ | News Room Odisha

ଆଜି ଗଜଲକ୍ଷ୍ମୀ ପୂଜା, ଆଜିର ଦିନରେ ସମୁଦ୍ର ମନ୍ଥନରୁ ଆବିର୍ଭୁତ ହୋଇଥିଲେ ଆଦ୍ୟାଶକ୍ତି ଲକ୍ଷ୍ମୀ

ଲକ୍ଷ୍ମୀପୂରାଣରେ ବର୍ଣ୍ଣିତ ରହିଛି ସତ୍ୟଯୁଗରେ ଦେବତା ଓ ଦାନବମାନେ ସମୁଦ୍ର ମନ୍ଥନରେ ଲାଗିପଡ଼ିଲେ। ସମୁଦ୍ରକୁ ରତ୍ନାକର କୁହାଯାଏ । କାରଣ ସମସ୍ତ ପ୍ରକାର ରତ୍ନକୁ ନିଜ ଅବୟବରେ ଏହା ଧାରଣ କରିଥାଏ। ସମୁଦ୍ର ମନ୍ଥନରୁ ଆଦ୍ୟାଶକ୍ତି ଜଗତଜନନୀ ଲକ୍ଷ୍ମୀ ଆର୍ବିର୍ଭୁତା ହୋଇଥିଲେ। ଗଜଲକ୍ଷ୍ମୀ ହେଉଛନ୍ତି ଜଳାଧିପତି ବରୁଣଙ୍କ କନ୍ୟା । ଲକ୍ଷ୍ମୀଙ୍କ ଆବିର୍ଭାଭାବ ହେତୁ ତାଙ୍କର ଅନ୍ୟନାମ କୁମାର ଲକ୍ଷ୍ମୀ। ଭଗବାନ ବିଷ୍ଣୁଙ୍କର ପାଣିଗ୍ରହଣ ପରେ ମହାଲକ୍ଷ୍ମୀ ତ୍ରୀପୁରରେ ବିଜିତା ହେଲେ। ମାଆଙ୍କ ଉଭୟ ପାର୍ଶ୍ୱରେ ୨ଟି ଗଜହସ୍ତି ଜଳାଭିଷେକ ମୁଦ୍ରାରେ ଦଣ୍ଡାୟମାନ ରହିଥିବାରୁ ମାଆଙ୍କୁ ଗଜଲକ୍ଷ୍ମୀଭାବେ ଆରାଧନା କରାଯାଏ । ଶତଦଳ ପ୍ରସ୍ଫୁଟିତ ପଦ୍ମ ଉପରେ ଅଭୟ ବରଦା ମୁଦ୍ରାରେ ଶୋଭାଭିତା ମାଆ ଗଜଲକ୍ଷ୍ମୀ । କେବଳ ହିନ୍ଦୁ ଧର୍ମ ନୁହେଁ ବୌଦ୍ଧ ଧର୍ମରେ ମଧ୍ୟ ଗଜଲକ୍ଷ୍ମୀଙ୍କୁ ଉପାସନା ପ୍ରଚଳିତ ରହିଛି ।ଏହି ଦିନ କୁମାରୀମାନେ ଭଲ ବର ପାଇବାକୁ କୁମାର କାର୍ତ୍ତିକଙ୍କୁ ପୂଜା କରିଥାନ୍ତି ।ତେଣୁ ଏହାର ଅନ୍ୟନାମ ହେଉଛି କୁମାରପୂର୍ଣ୍ଣିମା।

ଆସନ୍ତୁ ଜାଣିବା ଆଜି ମା’ଲକ୍ଷ୍ମୀଙ୍କ ଉପାସନା କରିବା ବିଧି । ଘରେ କିପରି କରିବେ ମାଙ୍କୁ ଆରାଧନା ସପ୍ତସତୀ ଚଣ୍ଡିରେ ଉଲ୍ଲେଖ ଅଛି ଯା ଦେବୀ ସର୍ବ ଭୂତେଷୁ ଶକ୍ତିରୂପେଣ ସଂସ୍ତିତା । ମାଆଙ୍କର ଏହି ଶକ୍ତିକୁ କୁମାର କୁମାରୀମାନେ ଗଜଲକ୍ଷ୍ମୀ ରୂପେ ଉପାସନା କରିବା ଦ୍ୱାରା ଉପଯୁକ୍ତ ବର, କନ୍ୟା ରତ୍ନ ପ୍ରାପ୍ତିହୁଏ ।

ପ୍ରାତଃକାଳ ସମୟରେ କାଠ ପିଢ଼ାରେ ଶ୍ୱେତବସ୍ତ୍ର ଓ ଧଳାଫୁଲ ବିଛାଇ ମାଆ ଗଜଲକ୍ଷ୍ମୀଙ୍କ ଫଟୋ ରଖି ଦ୍ୱିପ, ଧୂପ, ନୈବିଦ୍ୟ ଅର୍ପଣ କରିବେ, ଏସମସ୍ତ କାର୍ଯ୍ୟ କରଲାବେଳେ ‘ଓଁ ଗଜଲକ୍ଷ୍ମୀ ନମଃ’ ମନ୍ତ୍ର ଉଚ୍ଚାରଣ କରିବେ । ଏହାପରେ ସନ୍ଧ୍ୟାରେ ଏହି ମନ୍ତ୍ରଉଚ୍ଚାରଣ କରି ପୁଷ୍ପଞ୍ଜଳୀ ଦେବେ। ଦିନବେଳା ଉପବାସ ରହି ସଂଧ୍ୟା ବେଳେ ମାତାଙ୍କୁ ୧୦୮ ପଦ୍ମ ପ୍ରଦାନ କରି ଉପାସନା କଲେ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ଶାସ୍ତ୍ର ମତ ଦିଅନ୍ତି ।