ନୂଆ ଦାୟିତ୍ବ, ପୂର୍ବ ଉତ୍ସାହ: ୫ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭାବେ ବଡିଭୋରରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସମୀକ୍ଷା କଲେ ଭି.କେ ପାଣ୍ଡିଆନ | News Room Odisha

ନୂଆ ଦାୟିତ୍ବ, ପୂର୍ବ ଉତ୍ସାହ: ୫ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭାବେ ବଡିଭୋରରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସମୀକ୍ଷା କଲେ ଭି.କେ ପାଣ୍ଡିଆନ

ଭୁବନେଶ୍ବର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୫ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ ଆଜି ବଡିଭୋର ରୁ ପୁରୀ ଯାଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ । ଭୋର୍ ୪ଟାରୁ ୬ଟା ପର୍ଯ୍ୟନ୍ତ ଏହି ସମୀକ୍ଷା ଚାଲିଥିଲା । ନୂଆ ଦାୟିତ୍ଵ ଗ୍ରହଣ ପରେ ୫ଟି ଓ ନବୀନ ଓଡିଶା ଅଧ୍ୟକ୍ଷଙ୍କ ଏହା ଥିଲା ପ୍ରଥମ ସମୀକ୍ଷା ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ତ୍ଵରାନ୍ଵିତ କରି ଡିସେମ୍ବର ୧୫ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ଏହା ନୂଆବର୍ଷରେ ଭକ୍ତମାନଙ୍କୁ ନୂଆ ଅନୁଭବ ଦେବ ବୋଲି ସେ ମତବ୍ୟକ୍ତ କରିଥିଲେ ।

ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ମଠ ଗୁଡିକର ପୁନରୁଦ୍ଧାର କାମ ତ୍ୱରାନ୍ୱିତ କରିବା ପାଇଁ ଭି.କେ ପାଣ୍ଡିଆନ୍ ନିର୍ଦ୍ଦେଶ ଦେଇଥିଲେ । ପରିକ୍ରମା ପ୍ରକଳ୍ପ ଲ୍ୟାଣ୍ଡସ୍କାପିଂ କାମରେ ଜଗନ୍ନାଥ ସଂସ୍କୃତି ସହ ଜଡିତ ବିଭିନ୍ନ ଦେଶୀୟ ବୃକ୍ଷ ଓ ଗୁଳ୍ମ ଲଗାଇବାକୁ ୫ଟି ଅଧ୍ୟକ୍ଷ ପରାମର୍ଶ ଦେଇଥିଲେ । ସେ ଶ୍ରୀମନ୍ଦିର ଚାରି ଦ୍ଵାର କାମ ମଧ୍ୟ ବୁଲି ଦେଖିଥିଲେ ।

ସ୍ଥାନୀୟ ଲୋକଙ୍କ ସୁବିଧା ପାଇଁ ଦୁଇ ଚକିଆ ଗାଡି ର ପାର୍କିଂ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରିବାକୁ ପାଣ୍ଡିଆନ୍ ନିର୍ଦ୍ଦେଶ ଦେବା ସହ ମେଘନାଦ ପାଚେରୀ ପାଖରୁ ବିଭିନ୍ନ ୟୁଟିଲିଟି ଗୁଡିକର ସ୍ଥାନାନ୍ତର, ପରିକ୍ରମା ପ୍ରକଳ୍ପର ବିଦ୍ୟୁତ୍ ବ୍ୟବସ୍ଥା କାମ ନିର୍ଦ୍ଧାରିତ ସମୟରେ ଶେଷ କରିବା ଉପରେ ଗୁରୁତ୍ଵାରୋପ କରିଥିଲେ ।
ଜଗନ୍ନାଥ ବଲ୍ଳଭ ପାର୍କିଂ କାମ ସହ ଯାତ୍ରୀମାନଙ୍କ ପାଇଁ ସେଠାରେ କରାଯାଉଥିବା ବିଭିନ୍ନ ସୁବିଧାର ବିକାଶ , ପ୍ରମୋଦ ଉଦ୍ୟାନ ଓ ଶ୍ରୀସେତୁ କାମର ଅଗ୍ରଗତିର ସମୀକ୍ଷା କରିଥିଲେ ପାଣ୍ଡିଆନ । ନିର୍ଦ୍ଧାରିତ ସମୟରେ କାମ ଶେଷ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ ।ଏଥିପାଇଁ ଅଧିକ ଲୋକ ନିୟୋଜିତ କରିବା ପାଇଁ ୫ଟି ଓ ନବୀନ ଓଡିଶା ଅଧ୍ୟକ୍ଷ ପରାମର୍ଶ ଦେଇଥିଲେ ।

ଏହି ପରିଦର୍ଶନ ସମୟରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା , ଏସପି କନୱର ବିଶାଲ ସିଂହ ଓ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ ।