ବିପର୍ଯ୍ୟୟ ପରିଚାଳନା: ଗଞ୍ଜାମ ଜିଲ୍ଲା ପୁଣି ରାଜ୍ୟସ୍ତରରେ ସମ୍ମାନିତ | News Room Odisha

ବିପର୍ଯ୍ୟୟ ପରିଚାଳନା: ଗଞ୍ଜାମ ଜିଲ୍ଲା ପୁଣି ରାଜ୍ୟସ୍ତରରେ ସମ୍ମାନିତ

ଛତ୍ରପୁର: ଗଞ୍ଜାମ ଜିଲ୍ଲା ପୁଣି ଥରେ ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତି କ୍ଷେତ୍ରରେ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି। ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଓସଡମା) ଦ୍ୱାରା ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପ ଠାରେ ଆୟୋଜିତ ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ- ୨୦୨୩ ପାଳନ ଅବସରରେ ଗଞ୍ଜାମ ଜିଲ୍ଲାକୁ ମିଳିଛି ତିନିଗୋଟି ପୁରସ୍କାର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୁଭେଚ୍ଛା ବାର୍ତ୍ତା ପରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ସ୍ୱତନ୍ତ୍ର ରିଲିଫ କମିଶନର ଏବଂ ଅତିରିକ୍ତ ମୁଖ୍ୟ ଶାସନ ସଚିବ (ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ) ସତ୍ୟବ୍ରତ ସାହୁ, ବିଶ୍ଵ ବ୍ୟାଙ୍କ୍ ନିର୍ଦ୍ଦେଶକ ଅଗଷ୍ଟ ଟି.କୋମେଙ୍କ ଉପସ୍ଥିତିରେ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି ପୁରସ୍କାର ଗ୍ରହଣ କରିଥିଲେ। ଏହି ସମୟରେ ଗଞ୍ଜାମ ବ୍ଲକ୍ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ପୁରୁଷୋତ୍ତମପୁର ବିଡିଓ ମନୋଜ କୁମାର ନାୟକ, ଗଞ୍ଜାମ ବିଡିଓ ବସନ୍ତ କୁମାର ମଲ୍ଲିକ, ଅନ୍ତରିଗାଁ ବାତ୍ୟା ଆଶ୍ରୟ ସ୍ଥଳ ସଭାପତି ମାମି ପରିଡ଼ା, ସମ୍ପାଦକ ଟୁକୁନା ସ୍ବାଇଁ ରାଜ୍ୟସ୍ତରୀୟ ଉତ୍ସବରେ ଉପସ୍ଥିତ ଥିଲେ।

ଗଞ୍ଜାମ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତ କରି ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି। ସେହିପରି ଗଞ୍ଜାମ ବ୍ଲକ୍ ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତ କରି ସାରା ରାଜ୍ୟ ବ୍ଲକ ସ୍ତରରେ ଦ୍ଵିତୀୟ ପୁରସ୍କାର ପାଇଛି। ସେପଟେ ପୁରୁଷୋତ୍ତମପୁର ବ୍ଲକ୍ ଅନ୍ତରିଗାଁ ବାତ୍ୟା ଆଶ୍ରୟ ସ୍ଥଳ ପରିଚାଳନା ଓ ରକ୍ଷଣାବେକ୍ଷଣ କ୍ଷେତ୍ରରେ ପୁରସ୍କୃତ ହୋଇଛି। ଏହି ପୁରସ୍କାର ଗଞ୍ଜାମ ଜିଲ୍ଲାର କାର୍ଯ୍ୟକୁଶଳୀ ଦକ୍ଷତାକୁ ଅଧିକ ପ୍ରେରଣା ଯୋଗାଇବ ବୋଲି ଜିଲ୍ଲାପାଳ‌ ଦିବ୍ୟଜ୍ୟୋତି ପରିଡ଼ା ମତବ୍ୟକ୍ତ କରିଛନ୍ତି।