ଜାତୀୟ କ୍ରୀଡାରେ ୪ଟି ସ୍ୱର୍ଣ୍ଣ ସହ ୫ଟି ପଦକ ଜିତିଥିବା ଜିମ୍ନାଷ୍ଟ ପ୍ରଣତି ନାୟକଙ୍କୁ ୨୩ ଲକ୍ଷ ଟଙ୍କା ଅର୍ଥ ପୁରସ୍କାର ଦେଇ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ  | News Room Odisha

ଜାତୀୟ କ୍ରୀଡାରେ ୪ଟି ସ୍ୱର୍ଣ୍ଣ ସହ ୫ଟି ପଦକ ଜିତିଥିବା ଜିମ୍ନାଷ୍ଟ ପ୍ରଣତି ନାୟକଙ୍କୁ ୨୩ ଲକ୍ଷ ଟଙ୍କା ଅର୍ଥ ପୁରସ୍କାର ଦେଇ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ 

ଭୁବନେଶ୍ୱର – ଗୋଆରେ ଚାଲିଥିବା ୩୭ତମ ଜାତୀୟ କ୍ରୀଡାରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ୪ଟି ସ୍ୱର୍ଣ୍ଣ ସମେତ ମୋଟ ୫ଟି ପଦକ ଜିତିଥିବା ଓଡ଼ିଶାର ତାରକା ଜିମ୍ନାଷ୍ଟ ପ୍ରଣତି ନାୟକଙ୍କୁ ୨୩ ଲକ୍ଷ ଟଙ୍କା ନଗଦ ପୁରସ୍କାର ଦେଇ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ହେଡ୍ କୋଚ୍ ଅଶୋକ ମିଶ୍ରଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି।

ରାଜ୍ୟ ସରକାରଙ୍କ ପୂର୍ବ ଘୋଷଣା ମୁତାବକ ପ୍ରଣତିଙ୍କୁ ପ୍ରତି ସ୍ୱର୍ଣ୍ଣ ପିଛା ୫ ଲକ୍ଷ ଟଙ୍କା ଲେଖାଏଁ ଓ ରୌପ୍ୟ ପଦକ ପାଇଁ ୩ ଲକ୍ଷ ଟଙ୍କା ନଗଦ ପୁରସ୍କାର ଦିଆଯାଇଛି।

ମହିଳା ବିଭାଗ ଆର୍ଟିଷ୍ଟିକ ଜିମ୍ନାଷ୍ଟିକ୍ସରେ ପ୍ରଣତି ଅଲ୍ ରାଉଣ୍ଡ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତି ଅଭିଯାନ ଆରମ୍ଭ କରିଥିଲେ ।ପରେ ସେ ଭଲ୍ଟ ଇଭେଣ୍ଟ, ବିମ୍ସ ଇଭେଣ୍ଟ ଓ ଅନ ଇଭେନ ବାର୍ ଆପାର୍ଟସ ଇଭେଣ୍ଟରେ ମଧ୍ୟ ସ୍ୱର୍ଣ୍ଣ ହାସଲ କରିଥିଲେ। ଫ୍ଳୋର ଏକ୍ସରସାଇଜ ଇଭେଣ୍ଟରେ ପ୍ରଣତି ଅଳ୍ପକେ ସ୍ୱର୍ଣ୍ଣରୁ ବଞ୍ଚିତ ହୋଇ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଥିଲେ।

ପ୍ରଣତିଙ୍କ ଏହି ଉଲ୍ଲେଖନୀୟ ସଫଳତାରେ ବେଶ୍ ଗର୍ବିତ ହୋଇଛନ୍ତି ମୁଖ୍ୟମନ୍ତ୍ରୀ। ପ୍ରଣତିଙ୍କ ସଫଳତା ରାଜ୍ୟରେ ଯୁବ କ୍ରୀଡା ପ୍ରତିଭାଙ୍କୁ ପ୍ରୋତ୍ସାହନର ପ୍ରମାଣ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି। ଜାତୀୟ କ୍ରୀଡାରେ ଉଲ୍ଲେଖନୀୟ ପ୍ରଦର୍ଶନ ସହ ପ୍ରଣତି ଓଡ଼ିଶାକୁ ଗର୍ବିତ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଜାତୀୟ କ୍ରୀଡାରେ ଓଡ଼ିଶା ଜିମ୍ନାଷ୍ଟିକ୍ସ ଟିମର ସଫଳ ପ୍ରଦର୍ଶନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବାରୁ କୋଚ୍ ଅଶୋକ ମିଶ୍ରଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି।

ଆଗାମୀ ପ୍ରତିଯୋଗିତାଗୁଡିକ ପାଇଁ ପ୍ରଣତିଙ୍କୁ ସମସ୍ତ ପ୍ରକାର ସହାୟତା ଦେବାକୁ ଆଶ୍ୱାସନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ମଧ୍ୟ ଉପସ୍ଥିତ ରହି ଓଡ଼ିଶା ଜିମ୍ନାଷ୍ଟିକ୍ସ ଟିମକୁ ଅଭିନନ୍ଦନ ଜଣାଇଥିଲେ। କୋଚ୍ ଓ ଆଥଲେଟମାନଙ୍କ ଉତ୍ସର୍ଗୀକୃତ ମନୋଭାବ ଓଡ଼ିଶାରେ କ୍ରୀଡାର ରୂପାନ୍ତରଣ ପାଇଁ ପ୍ରେରଣା ବୋଲି ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କହିଥିଲେ ।