ଦୁର୍ନୀତି ନିବାରଣ ସଚେତନତା ସପ୍ତାହ : କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଦୁର୍ନୀତି ବିରୋଧୀ ଶପଥ ପାଠ | News Room Odisha

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ : କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଦୁର୍ନୀତି ବିରୋଧୀ ଶପଥ ପାଠ

ଭୁବନେଶ୍ୱର – ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ ସ୍ଥିତ ଦ୍ୱିତୀୟ ମହଲା ସମ୍ମିଳନୀ କକ୍ଷରେ ଶପଥ ପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କନଭେନସନ ହଲଠାରେ ଅନୁଷ୍ଠିତ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧିକାରୀ ଓ କର୍ମଚାରୀଙ୍କୁ ଶପଥ ପାଠ କରାଇଥିବା ବେଳେ ଭର୍ଚୁଆଲ ମାଧ୍ୟମରେ ଯୋଗଦେଇ ବିଭାଗୀୟ କମିଶନର ତଥା ଶାସନ ସଚିବ ଆର. ଭିନୀଲ କ୍ରିଷ୍ଣାଙ୍କ ସମେତ ନିର୍ଦ୍ଦେଶକ ସିଦ୍ଧାର୍ଥ ଦାସ ଏବଂ ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଶପଥ ପାଠ କରିଥିଲେ ।

ଦୁର୍ନୀତି ରୂପକ ରାକ୍ଷସର ମୁଳୋତ୍ପାଟନ ନେଇ ସମସ୍ତେ ଏକତ୍ର ହୋଇ କାର୍ଯ୍ୟ କରିବା ସହିତ କାର୍ଯ୍ୟାଳୟରେ ସାଧୁତା ଓ ସତ୍ୟନିଷ୍ଠ ହୋଇ କାର୍ଯ୍ୟ କରିବାକୁ ସମସ୍ତେ ଶପଥ ନେଇଥିଲେ । ପ୍ରତ୍ୟେକ କ୍ଷେତ୍ରରେ ସଚ୍ଚୋଟତା ଅବଲମ୍ବନ, ଆଇନର ଶାସନକୁ ଅନୁପାଳନ ସହିତ ଉତ୍କୋଚ ନେବା ଓ ଦେବାକୁ ନିଜ ନିଜ ଜୀବନରେ ସାମିଲ ନ କରିବା ଏବଂ ଦୁର୍ନୀତି ସମ୍ପର୍କରେ ଯେ କୌଣସି ଘଟଣା କର୍ତ୍ତୃପକ୍ଷଙ୍କ ନଜରକୁ ଆଣିବା ନେଇ ଅଧିକାରୀ ଓ କର୍ମଚାରୀମାନେ ଶପଥ ନେଇଥିଲେ ।

ଏହି ଶପଥ ପାଠ ଉତ୍ସବରେ ବିଭାଗ ଯୁଗ୍ମ ଶାସନ ସଚିବ ବିଜୟାନନ୍ଦ ନାୟକ, ଏଫଏ ତଥା ଯୁଗ୍ମ ଶାସନ ସଚିବ ଦିଲ୍ଲୀପ କୁମାର ଜେନା, ଏଏଫଏ ଗୀତା ଦାସ, ଓଏସଡି ସିଦ୍ଧାର୍ଥ ଶଙ୍କର ସାହୁ ଓ ସ୍ୱରୂପାନନ୍ଦ ସାହୁଙ୍କ ସମେତ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ସାଧୁତାର ଶପଥ ପାଠ କରିଥିଲେ ।