ସିଙ୍ଗୁର୍ ମାମଲାରେ ଟାଟା ଗ୍ରୁପର ବିଜୟ, ୭୬୬ କୋଟି କ୍ଷତିପୂରଣ ଦେବେ ପଶ୍ଚିମବଙ୍ଗ ସରକାର | News Room Odisha

ସିଙ୍ଗୁର୍ ମାମଲାରେ ଟାଟା ଗ୍ରୁପର ବିଜୟ, ୭୬୬ କୋଟି କ୍ଷତିପୂରଣ ଦେବେ ପଶ୍ଚିମବଙ୍ଗ ସରକାର

ନୂଆଦିଲ୍ଲୀ: ସିଙ୍ଗୁର୍ ନାନୋ ପ୍ରକଳ୍ପ ମାମଲାରେ ଟାଟା ଗ୍ରୁପର ବଡ଼ ବିଜୟ । ସୁପ୍ରିମକୋର୍ଟର ତିନି ସଦସ୍ୟ ବିଶିଷ୍ଟ ଆର୍ବିଟ୍ରେସନ୍ ଟ୍ରିବ୍ୟୁନାଲ୍ ଟାଟା ଗ୍ରୁପର କମ୍ପାନୀ ‘ଟାଟା ମୋଟର୍ସ ଲିମିଟେଡ୍’କୁ ୭୬୬ କୋଟି ଟଙ୍କା କ୍ଷତିପୂରଣ ଦେବାକୁ ପଶ୍ଚିମବଙ୍ଗ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଟାଟା ମୋଟର୍ସ ଲିମଟେଡ୍ ସପକ୍ଷରେ ରାୟ ଦେଇ ଟ୍ରିବ୍ୟୁନାଲ୍ କହିଛନ୍ତି, ଟାଟା ମୋଟର୍ସ ପଶ୍ଚିମବଙ୍ଗ ଶିଳ୍ପ ବିକାଶ ନିଗମ (ଡବ୍ଲୁବିଡିସି) ରୁ ବାର୍ଷିକ ୧୧ ପ୍ରତିଶତ ସୁଧ ସହିତ ୭୬୫.୭୮ କୋଟି ଟଙ୍କା ଫେରସ୍ତ ପାଇବାକୁ ହକଦାର ।

ସୂଚନାଯୋଗ୍ୟ ଯେ ପଶ୍ଚିମବଙ୍ଗର ତତ୍କାଳୀନ ବାମପନ୍ଥୀ ସରକାର ରାଜ୍ୟର ସିଙ୍ଗୁର ଠାରେ ଲକ୍ଷେ ଟଙ୍କିଆ ‘ନାନୋ କାର୍’ କାରଖାନା ପାଇଁ ଟାଟାକୁ ଜମି ଦେଇଥିଲେ। ହେଲେ ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ ଟାଟା ମୋଟର୍ସର ଏହି ପ୍ରକଳ୍ପକୁ ବିରୋଧ କରିଥିଲା । ବାମପନ୍ଥୀ ସରକାର ସିଙ୍ଗୁରରେ ଟାଟା ପାଇଁ ଲୋକଙ୍କ ଠାରୁ ଜୋର୍ ଜବରଦସ୍ତି ଜମି ଅଧିଗ୍ରହଣ କରିଥିବା ଅଭିଯୋଗ କରି ମମତା ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ।

ତୃଣମୂଳ କଂଗ୍ରେସର ଜୋରଦାର ବିରୋଧ ଯୋଗୁଁ ଟାଟା ୨୦୦୮ରେ ଏହାର ନାନୋ କାର୍ ପ୍ଲାଣ୍ଟକୁ ଗୁଜରାଟର ସାନନ୍ଦକୁ ସ୍ଥାନାନ୍ତର କରିଥିଲା । ଏହି ପ୍ଲାଣ୍ଟକୁ ଗୁଜରାଟର ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଟାଟା ଗ୍ରୁପ୍ ଚେୟାରମ୍ୟାନ୍ ରତନ ଟାଟା ଉଦଘାଟନ କରିଥିଲେ। ଟାଟା ୨୦୧୦ରେ ସାନନ୍ଦରେ ଆଉ ଏକ ପ୍ଲାଣ୍ଟ ଖୋଲିଥିଲା |

ଟାଟା ସିଙ୍ଗୁର ପ୍ଲାଣ୍ଟ ପାଇଁ ୧୦୦୦ କୋଟି ଟଙ୍କା ନିବେଶ କରିସାରିଥିଲା। ମମତା ବାନାର୍ଜୀଙ୍କ ନେତୃତ୍ଵାଧୀନ ତୃଣମୂଳ କଂଗ୍ରେସ କ୍ଷମତାକୁ ଫେରିବା ପରେ ଟାଟାର ସିଙ୍ଗୁର ପ୍ଲାଣ୍ଟ ପାଇଁ ଅଧିଗ୍ରହଣ ହୋଇଥିବା ଜମି ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଥିଲେ । ହେଲେ ମମତା ସରକାରଙ୍କ ନିଷ୍ପତ୍ତିକୁ ଟାଟା ୨୦୧୧ରେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲା ।