ତ୍ରିଭେନ୍ଦ୍ରମ୍ ଗଲେ ୫ ଜିଲ୍ଲାର ବୟୋଜ୍ୟେଷ୍ଠ ତୀର୍ଥଯାତ୍ରୀ  | News Room Odisha

ତ୍ରିଭେନ୍ଦ୍ରମ୍ ଗଲେ ୫ ଜିଲ୍ଲାର ବୟୋଜ୍ୟେଷ୍ଠ ତୀର୍ଥଯାତ୍ରୀ 

ବ୍ରହ୍ମପୁର: ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ଅନ୍ତର୍ଗତ ୫ଟି ଜିଲ୍ଲାର ପ୍ରାୟ ୯୭୦ ଜଣ ତୀର୍ଥଯାତ୍ରୀ ମଙ୍ଗଳବାର କନ୍ୟାକୁମାରୀ ଓ ତ୍ରିଭେନ୍ଦ୍ରମ ଯାତ୍ରା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ଯୋଗେ ତୀର୍ଥାଟନର ଶୁଭାରମ୍ଭ କରିଥିଲେ। ତୀର୍ଥଯାତ୍ରାର ଆନନ୍ଦ ଉଠାଇ ମନ ଓ ଶରୀରକୁ ପ୍ରଫୁଲ୍ଲିତ ରଖିବାକୁ ପରାମର୍ଶ ଦେଇଥିଲେ। ବୟୋଜ୍ୟେଷ୍ଠ ତୀର୍ଥଯାତ୍ରୀମାନେ ମଧ୍ୟ ଏଭଳି ଯୋଜନା ସକାଶେ ମୁଖ୍ୟମନ୍ତ୍ରୀଙ୍କୁ ସାଧୁବାଦ ଜଣାଇଥିଲେ।

ବୟସର ସାୟାହ୍ନରେ କୌଣସି ଆର୍ଥିକ ଚାପ ବିନା ରାଜ୍ୟ ସରକାରଙ୍କ ମାଗଣା ତୀର୍ଥଯାତ୍ରା ଯୋଜନାର ସୁବିଧା ଉଠାଇ ଏହି ବୃଦ୍ଧ ବୃଦ୍ଧାମାନେ କନ୍ୟାକୁମାରୀ ଓ ତ୍ରିଭନ୍ଦ୍ରମ ଭଳି ଆଧ୍ୟାତ୍ମିକ ଓ ପୌରାଣିକ ମହତ୍ତ୍ବ ସମ୍ବଳିତ ସ୍ଥାନ ବୁଲିବାର ସୁଯୋଗ ପାଇପାରିଛନ୍ତି। ବ୍ରହ୍ମପୁର ରେଳ ଷ୍ଟେସନରୁ ଏହାର ଶୁଭାରମ୍ଭ କରାଯାଇଥିଲା। ଗଞ୍ଜାମ, ଗଜପତି, ବୌଦ୍ଧ, କନ୍ଧମାଳ ଓ ନୟାଗଡ଼ ଜିଲ୍ଲାର ୯୭୦ ଜଣ ବରିଷ୍ଠ ନାଗରିକଙ୍କୁ ସାଥିରେ ନେଇ ୩୦ ଜଣ ଅଧିକାରୀ କନ୍ୟାକୁମାରୀ ଠାରୁ ତ୍ରିଭେନ୍ଦ୍ରମ୍ ପର୍ଯ୍ୟନ୍ତ ତୀର୍ଥ ଯାତ୍ରା କରିଛନ୍ତି। ଏହି ଯାତ୍ରୀମାନେ ନଭେମ୍ବର ୫ ତାରିଖରେ ଫେରିବାର କାର୍ଯ୍ୟକ୍ରମ ରହିଛି।

ଗଞ୍ଜାମ ଜିଲ୍ଲାରୁ ୫୪୮, ନୟାଗଡ଼ରୁ ୧୫୦, କନ୍ଧମାଳରୁ ୧୧୪, ଗଜପତିରୁ ୯୦ ଓ ବୌଦ୍ଧ ଜିଲ୍ଲାରୁ ୬୮ ଜଣ ଏହି ତୀର୍ଥାଟନରେ ସାମିଲ ହୋଇଛନ୍ତି। ସୋମବାର ସନ୍ଧ୍ୟାରେ ବ୍ରହ୍ମପୁରରେ ପହଞ୍ଚିବା ପରେ ସେମାନଙ୍କୁ ସ୍ବାଗତ କରାଯିବା ସହ ରହଣୀ, ଖାଦ୍ୟ, ସ୍ଵାସ୍ଥ୍ୟ ପରୀକ୍ଷା, ଭଜନ ସନ୍ଧ୍ୟାର ବ୍ୟବସ୍ଥା କରାଯାଇଥିଲା।

ତୀର୍ଥଯାତ୍ରା ଶୁଭାରମ୍ଭ ବେଳେ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ, ବ୍ରହ୍ମପୁର ଓ ଆସିକା ସାଂସଦ ଚନ୍ଦ୍ରଶେଖର ସାହୁ ଓ ପ୍ରମିଳା ବିଷୋୟୀ, ବ୍ରହ୍ମପୁର ମେୟର୍ ସଂଘମିତ୍ରା ଦଳେଇଙ୍କ ସମେତ ବହୁ ବିଧାୟକ ଓ ବିଧାୟିକା, ବିଜେଡି ନେତୃବୃନ୍ଦ ଉପସ୍ଥିତ ଥିଲେ।