ମହିଳା ଏସିଆନ ଚାମ୍ପିଅନସ ଟ୍ରଫି ହକି : ଜାପାନକୁ ହରାଇ ଭାରତର ଲଗାତର ଚତୁର୍ଥ ବିଜୟ, ସେମିରେ ପ୍ରବେଶ | News Room Odisha

ମହିଳା ଏସିଆନ ଚାମ୍ପିଅନସ ଟ୍ରଫି ହକି : ଜାପାନକୁ ହରାଇ ଭାରତର ଲଗାତର ଚତୁର୍ଥ ବିଜୟ, ସେମିରେ ପ୍ରବେଶ

ରାଞ୍ଚି – ମହିଳା ଏସିଆନ ଚାମ୍ପିଅନସ ଟ୍ରଫି ହକିରେ ଭାରତ ସେମିଫାଇନାଲରେ ପ୍ରବେଶ କରିଛି । ଆଜି ଖେଳାଯାଇଥିବା ଏକ ମ୍ୟାଚରେ ଭାରତୀୟ ଦଳ ଜାପାନ ବିରୋଧରେ ଏକ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି। ରୋମାଞ୍ଚକର ମ୍ୟାଚରେ ଭାରତ ଜାପାନକୁ ୨-୧ ଗୋଲରେ ହରାଇଥିଲା। ପ୍ରଥମ ଦୁଇଟି କ୍ୱାର୍ଟର ଗୋଲଶୂନ୍ଯ ରହିବା ପରେ ମ୍ୟାଚର ୩୧ତମ ମିନିଟରେ ନବନୀତ କଉର ଗୋଲ୍ ସ୍କୋର କରି ଭାରତକୁ ଆଗୁଆ କରିଥିଲେ। କିନ୍ତୁ ୩୭ତମ ମିନିଟରେ ଜାପାନର କାନା ଉରାତା ଗୋଲ ଦେଇ ମ୍ୟାଚକୁ ସମାନ ସ୍ଥିତିକୁ ଆଣିଥିଲେ । ହେଲେ ୪୭ ତମ ମିନିଟରେ ଭାରତର ଦୀପିକା ଦଳ ପକ୍ଷରୁ ଦ୍ୱିତୀୟ ଗୋଲ୍ ଦେଇଥିଲେ । ଭାରତ ୨-୧ ଗୋଲରେ ବିଜୟୀ ହେବା ସହ ସେମିଫାଇନାଲରେ ପ୍ରବେଶ କରିଛି। ଭାରତ ଟୁର୍ଣ୍ଣାମେଣ୍ଟରେ ଏ ପର୍ଯ୍ୟନ୍ତ ଅପରାଜେୟ ରହିଛି। ଭାରତ ନିଜର ପ୍ରଥମ ମ୍ୟାଚରେ ଥାଇଲାଣ୍ଡକୁ ୭-୧ ଗୋଲରେ ହରାଇଥିଲା । ଏହା ପରେ ଦଳ ମାଲେସିଆକୁ ୫-୦ ଓ ଚୀନକୁ ୨-୧ ଗୋଲରେ ହରାଇଥିଲା । ଆଜିର ମ୍ୟାଚ ଥିଲା ଭାରତର ବନ୍ଦନା କଟାରିୟାଙ୍କ ୩୦୦ତମ ଆନ୍ତର୍ଜାତିକ ମ୍ୟାଚ । ୩୦୦ ଆନ୍ତର୍ଜାତିକ ହକି ମ୍ୟାଚ ଖେଳିବାରେ ବନ୍ଦନା ହେଉଛନ୍ତି ଭାରତର ପ୍ରଥମ ମହିଳା ହକି ଖେଳାଳି । ଆଜି ତାଙ୍କୁ ହକି ଇଣ୍ଡିଆ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।