ପ୍ରତିଷ୍ଠା ଦିବସରେ କଳାହାଣ୍ଡି ଜିଲ୍ଲାକୁ ମୁଖ୍ୟମନ୍ତ୍ରୀଙ୍କ ଭେଟି, ଆରମ୍ଭ କଲେ ଲକ୍ଷ୍ମୀ ବସ୍ ସେବା, ୧୨୦୦ କୋଟି ଟଙ୍କା ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ | News Room Odisha

ପ୍ରତିଷ୍ଠା ଦିବସରେ କଳାହାଣ୍ଡି ଜିଲ୍ଲାକୁ ମୁଖ୍ୟମନ୍ତ୍ରୀଙ୍କ ଭେଟି, ଆରମ୍ଭ କଲେ ଲକ୍ଷ୍ମୀ ବସ୍ ସେବା, ୧୨୦୦ କୋଟି ଟଙ୍କା ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ

ଭବାନୀପାଟଣା – କଳାହାଣ୍ଡି ଜିଲ୍ଲାରେ ‘ଲକ୍ଷ୍ମୀ’ ଯୋଜନାରେ ବସ୍ ସେବାର ଶୁଭାରମ୍ଭ ହୋଇଛି । କଳାହାଣ୍ଡି ଜିଲ୍ଲା ଗସ୍ତରେ ଯାଇ ‘ଲକ୍ଷ୍ମୀ’ ବସ ଚଳାଚଳର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାଛଡ଼ା ସେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରିଛନ୍ତି । ଜିଲ୍ଲା ପ୍ରତିଷ୍ଠା ଦିବସରେ କଳାହାଣ୍ଡି ଜିଲ୍ଲାକୁ ୧୨୦୦ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଭବାନୀପାଟଣାରେ ନବନିର୍ମିତ ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି । ପାଠପଢ଼ା ସହିତ ସୁବିଧା ସୁଯୋଗ ସମ୍ପର୍କରେ ପଚାରି ବୁଝିଛନ୍ତି ମୁଖ୍ରମନ୍ତ୍ରୀ । ଦୀର୍ଘ ଦୁଇ ଦଶନ୍ଧି ଧରି ଜିଲ୍ଲାବାସୀଙ୍କ ମେଡିକାଲ କଲେଜ ଆଶା ପୂରଣ ହୋଇଛି । ୪୮୧ କୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣ ହୋଇଛି ଭବାନୀପାଟଣା ମେଡିକାଲ କଲେଜ ଓ ହସ୍ପିଟାଲ । ୧୦୦ ସିଟରେ ନାମଲେଖା ପାଇଁ ଏନ୍ଏମସି ଅନୁମତି ଦେଇଛି । ଏହି ମେଡିକାଲ କଲେଜ ଓ ହସ୍ପିଟାଲଟର ନାମ କଳାହାଣ୍ଡି ଜିଲ୍ଲାର ମହାନ ସ୍ଵାଧୀନତା ସଂଗ୍ରାମୀ ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜ ଓ ହସ୍ପିଟାଲ ରଖାଯାଇଛି ।