ଆସିବେ ଅଲିଭରିଡଲେ: ମାଛ ଧରା କଟକଣା, ସମୁଦ୍ରରେ ପାଟ୍ରୋଲିଂ | News Room Odisha

ଆସିବେ ଅଲିଭରିଡଲେ: ମାଛ ଧରା କଟକଣା, ସମୁଦ୍ରରେ ପାଟ୍ରୋଲିଂ

ବ୍ରହ୍ମପୁର: ବିରଳ ସାମୁଦ୍ରିକ କଇଁଛ ଅଲିଭରିଡଲେ ବହୁ ସଂଖ୍ୟାରେ ଶୀଘ୍ର ଗଞ୍ଜାମ ଜିଲ୍ଲା ରଷିକୁଲ୍ୟା ମୁହାଣରେ ଦେଖିବାକୁ ମିଳିବେ। ବଙ୍ଗୋପସାଗର ସମୁଦ୍ର ମଧ୍ୟରେ ସେମାନଙ୍କ ସମାଗମ ଓ ମିଳନ ହେବ। ଏହାପରେ ସାମୂହିକ ଭାବେ ଅଣ୍ଡାଦାନ ପାଇଁ ସେମାନେ ମୁହାଣ ନିକଟ ବାଲୁକା ଶଯ୍ୟାକୁ ଆସିବେ। ଏହି ପ୍ରକ୍ରିୟା ଚଳିତ ମାସ ମଧ୍ୟଭାଗରୁ ଆରମ୍ଭ ହୋଇ ଡିସେମ୍ବର- ଜାନୁଆରୀ ମାସ ପର୍ଯ୍ୟନ୍ତ ଚାଲିବ। ପ୍ରାୟ ଦେଢ଼ ମାସ ବ୍ୟବଧାନରେ ଅଲିଭ୍‌ ରିଡ୍‌ଲେ ଛୁଆ ଅଣ୍ଡାରୁ ବାହାରି ସମୁଦ୍ରମୁହାଁ ହେବେ। ଗତ ବର୍ଷ ଋଷିକୁଲ୍ୟା ମୁହାଣରେ ସର୍ବକାଳୀନ ରେକର୍ଡ ସ୍ବରୂପ ୬ ଲକ୍ଷ ୩୭ ହଜାର ଅଲିଭ୍‌ ରିଡ୍‌ଲେ କଇଁଛ ଅଣ୍ଡାଦାନ କରିଥିଲେ।

ଏହି ବିରଳ ତଥା ସଂରକ୍ଷିତ ପ୍ରଜାତିର ସାମୁଦ୍ରିକ କଇଁଛଙ୍କ ଆଗମନ ସମୟ ଉପନୀତ। ଏଣୁ ବ୍ରହ୍ମପୁର ବନଖଣ୍ଡ ତରଫରୁ ଏବେଠାରୁ ବଙ୍ଗୋପସାଗର ସମୁଦ୍ରରେ ମାଛଧରା ଉପରେ କଟକଣା ଲାଗୁ କରାଯାଇଛି। ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ ବେଳାଭୂମିର ସମ୍ଭାବ୍ୟ ଅଣ୍ଡାଦାନ ସ୍ଥଳ ଓ ସମୁଦ୍ର ମଧ୍ୟରେ ମିଳନସ୍ଥଳରେ ୨୦୨୪ ମେ ୩୧ ତାରିଖ ପର୍ଯ୍ୟନ୍ତ ପ୍ରବେଶ କଟକଣା ଜାରି କରାଯାଇଛି। ବିଶେଷକରି ମେକାନାଇଜ୍‌ ଫିସିଂକୁ ବାରଣ କରାଯାଇଛି। ଏହାକୁ କଡ଼ାକଡ଼ି ଲାଗୁ କରିବା ତଥା ଟ୍ରେଲର୍ ଓ ମାଛଧରା ବୋଟ୍ ବା ଡଙ୍ଗାର ଅନୁପ୍ରବେଶ ରୋକିବାକୁ ସମୁଦ୍ର ମଧ୍ଯରେ ପାଟ୍ରୋଲିଂ ମଧ୍ଯ ଆରମ୍ଭ ହୋଇଛି। ବ୍ରହ୍ମପୁର ବନଖଣ୍ଡ ଡିଏଫଓ ସନ୍ନି ଖୋକର୍‌ ନିଜେ ପୁରୁଣାବନ୍ଧ ଅଞ୍ଚଳ ଗସ୍ତ କରି ସେଠାରେ ସମୁଦ୍ର ପାଟ୍ରୋଲିଂ ବ୍ୟବସ୍ଥା ପରଖିଛନ୍ତି। ପ୍ରତିଦିନ ଏହି ପାଟ୍ରୋଲିଂ ଦାୟିତ୍ଵରେ ଜଣେ ବନ ଅଧିକାରୀ ରହିବେ। ଆଗାମୀ ଦିନରେ ସମସ୍ତ ମତ୍ସ୍ୟଜୀବୀ ଓ ସମୁଦ୍ର ଉପକୂଳବର୍ତ୍ତୀ ଗାଁରେ ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ସେ କହିଛନ୍ତି।

ପ୍ରତି ବର୍ଷ ଗଞ୍ଜାମ ଜିଲ୍ଲା ରଷିକୁଲ୍ୟା ମୁହାଣକୁ ଗଣ ଅଣ୍ଡାଦାନ ପାଇଁ ବିରଳ ଅଲିଭ ରିଡ୍‌ଲେ କଇଁଛଙ୍କ ଆଗମନ ହୁଏ। ଏହି ସମୟରେ କଇଁଛଙ୍କ ସୁରକ୍ଷା ଦୃଷ୍ଟିରୁ ବନ ବିଭାଗ ପ୍ରୟାଗୀ ବେଳାଭୂମିର ଉତ୍ତର ମୁହାଣରୁ ଆର୍ଜିପଲ୍ଲୀର ଦକ୍ଷିଣ ମୁହାଣ ପର୍ଯ୍ୟନ୍ତ ନିଷିଦ୍ଧାଞ୍ଚଳ ଲାଗୁ କରିଥାଏ। ଏହି ଅଞ୍ଚଳରେ ବନ ବିଭାଗ ନିଜର ଦୁଇଟି ଡଙ୍ଗା ଓ ଗୋଟିଏ ମୋଟର୍‌ ବୋଟ୍ ସମେତ ଗୋପାଳପୁର ପୋର୍ଟ ପ୍ରଦତ୍ତ ଗୋଟିଏ ବୋଟ ସାହାଯ୍ୟରେ ପାଟ୍ରୋଲିଂ କରିଥାଏ। ଏଥିସହ ମାଛ ଧରା ବନ୍ଦ ରଖାଯାଏ। ମତ୍ସ୍ୟଜୀବୀମାନଙ୍କୁ ଏଥିସକାଶେ କ୍ଷତିପୂରଣ ପ୍ରଦାନ କରିଥାନ୍ତି ରାଜ୍ୟ ସରକାର।