ସବୁ କଲେଜରେ ଏନଏସଏସ ଶାଖା ଖୋଲିବା ସହିତ ଏହାକୁ ଅଧିକ କ୍ରିୟାଶୀଳ କରାଯିବ : ଉଚ୍ଚଶିକ୍ଷା ମନ୍ତ୍ରୀ | News Room Odisha

ସବୁ କଲେଜରେ ଏନଏସଏସ ଶାଖା ଖୋଲିବା ସହିତ ଏହାକୁ ଅଧିକ କ୍ରିୟାଶୀଳ କରାଯିବ : ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର – ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସେବା ଭାବନା ଜାଗ୍ରତ କରିବା ପାଇଁ ଜାତୀୟ ସେବା ଯୋଜନା -ଏନଏସଏସର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି। ରାଜ୍ୟର ସମସ୍ତ କଲେଜରେ ଏନଏସଏସର ଶାଖା ଖୋଲିବା ସହିତ ଏହାକୁ ଅଧିକ କ୍ରିୟାଶୀଳ କରାଯିବ । ଓଡିଶାର ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡିକ ଏ ଦିଗରେ ଅଧିକ ଧ୍ୟାନ ଦେଲେ ଯୁବ ସମାଜ ମଧ୍ୟରେ ଅଦ୍ଭୁତପୂର୍ବ ଜାଗରଣ ସୃଷ୍ଟି ହୋଇପାରିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି। ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ଜାତୀୟ ସେବା ଯୋଜନାର ରାଜ୍ୟ ପରାମର୍ଶଦାତା କମିଟିର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଉଚ୍ଚଶିକ୍ଷା ବିଭାଗ ଶାସନ ସଚିବ ଅରବିନ୍ଦ ଅଗ୍ରୱାଲ, ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତି, ସମସ୍ତ ବିଶ୍ୱବିଦ୍ୟାଳୟର ଏନଏସଏସ କାର୍ଯ୍ୟକ୍ରମ ସଂଯୋଜକ, ଆଞ୍ଚଳିକ ନିର୍ଦ୍ଦେଶକଙ୍କ ସମେତ ବହୁ ପଦାଧିକାରୀ ଓ ପରାମର୍ଶଦାତା କମିଟିର ବେସରକାରୀ ସଭ୍ୟମାନେ ଯୋଗ ଦେଇଥିଲେ।

ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ଯେ ମହାତ୍ମା ଗାନ୍ଧୀଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ଜାତିର ଜନକଙ୍କ ପ୍ରତି କୃତଜ୍ଞତା ସ୍ୱରୂପ ଏନ ଏସଏସ ଆରମ୍ଭ ହୋଇଥିଲା। ୫୦ ବର୍ଷ ଭିତରେ ଓଡିଶାର ବହୁ ଏନ ଏସଏସ ସ୍ଵେଚ୍ଛାସେବୀ ଓ ଅଧିକାରୀ ରାଜ୍ୟ,ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଛନ୍ତି। ସାମାଜିକ ପରିବର୍ତ୍ତନ କ୍ଷେତ୍ରରେ ସମାଜସେବାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଯୁକ୍ତ ଦୁଇ, ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀମାନଙ୍କୁ ଏନଏସଏସ ସେବା କରିବାର ଯେଉଁ ସୁଯୋଗ ଦେଉଛି ସେଥିରେ ଅନେକ ଭବିଷ୍ୟତ ଜୀବନ ସମାଜସେବୀ ହେବା ସହିତ ରାଷ୍ଟ୍ର ଓ ରାଜ୍ଯ ପାଇଁ ମଧ୍ୟ ସମର୍ପିତ ସମାଜସେବୀ ସୃଷ୍ଟି ହୋଇପାରିବ। ଏହି ଧାରାକୁ ଅବ୍ୟାହତ ରଖିବା ଲାଗି ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତି , ଉଚ୍ଚଶିକ୍ଷା ପରିଷଦ , ମହାବିଦ୍ୟାଳୟ ଅଧ୍ୟକ୍ଷ ଓ ଏନଏସ୍ଏସ ଅଧିକାରୀ ମାନେ ସମର୍ପିତ ହୋଇ କାର୍ଯ୍ୟ କଲେ ଯୁବ ଓ ଛାତ୍ର ସମାଜକୁ ସଂସ୍କାର ମୂଳକ କାର୍ଯ୍ୟରେ ବିନିଯୋଗ କରାଯାଇ ବ୍ୟକ୍ତି ଓ ସାମାଜିକ ଜୀବନରେ ପରିବର୍ତ୍ତନ ଅଣାଯାଇପାରିବ।

ଉଚ୍ଚଶିକ୍ଷା ବିଭାଗ ଶାସନ ସଚିବ ଅରବିନ୍ଦ ଅଗ୍ରୱାଲ କହିଛନ୍ତି ଯେ ବର୍ତ୍ତମାନ ଓଡ଼ିଶାର ୨୫ଟି ସରକାରୀ ଓ ବେସରକାରୀ ବିଶ୍ଵବିଦ୍ୟାଳୟ ସମେତ ଉଚ୍ଚଶିକ୍ଷା ପରିଷଦ ନିୟନ୍ତ୍ରଣରେ ଥିବା ଶିକ୍ଷାନୁଷ୍ଠାନମାନଙ୍କରେ ୧ ହଜାର ୨୪୧ ଏନଏସଏସ୍ ୟୁନିଟରେ ୧୨୪୦୦୦ରୁ ଅଧିକ ସ୍ଵେଚ୍ଛାସେବକ ଅଛନ୍ତି। ଏନଏସଏସ କାର୍ଯ୍ୟକ୍ରମକୁ ବ୍ୟାପକ ଓ ଆକର୍ଷଣୀୟ କରିବା ପାଇଁ ଅର୍ଥ ଆଦୌ ପ୍ରତିବନ୍ଧକ ନୁହେଁ ବୋଲି ଉଲ୍ଲେଖ କରି ଏ କ୍ଷେତ୍ରରେ ଏନଏସଏସର କାର୍ଯ୍ୟକ୍ରମ ଅଧିକାରୀ ମାନେ ଛାତ୍ରଛାତ୍ରୀମାନଙ୍କୁ ଜାଗ୍ରତ କରିବାକୁ ପଡିବ । ନିଜ ନିଜ ଅଞ୍ଚଳରେ ବିଭିନ୍ନ ପ୍ରକାର ସମସ୍ୟାର ସମାଧାନ ପାଇଁ ସ୍ଵତନ୍ତ୍ର ଶିବିରମାନ କରାଯିବା ସହ ନିଶାର ବିଲୋପ, ପରିବେଶ ସୁରକ୍ଷା, ମହିଳା ସଶକ୍ତିକରଣ,ରକ୍ତ ଦାନ, ସଡକ ସୁରକ୍ଷା ସ୍ଵଚ୍ଛତା ଓ ଶୃଙ୍ଖଳାକୁ ଏନ ଏସଏସ ସ୍ଵେଚ୍ଛାସେବୀମାନେ ଯେପରି ଅଧିକ କାମ କରନ୍ତି ଏବଂ ଜାତୀୟ ସ୍ତରରେ ଓଡିଶାର ଏନଏସ ଏସ ସର୍ବୋତ୍ତମ ହୁଏ ସେ ଦିଗରେ ସମସ୍ତ ବିଶ୍ୱବିଦ୍ୟାଳୟ ଓ ଉଚ୍ଚଶିକ୍ଷା ପରିଷଦ ସମର୍ପିତ କରିବାକୁ ପରାମର୍ଶ ଦେଇଥିଲେ।

ଏନଏସଏସ ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ସରିତା ପଟେଲ,ରାଜ୍ୟ ସରକାରଙ୍କ ଏନ ଏସଏସ ସଂଯୋଜକ ରମେଶ ଚନ୍ଦ୍ର ବେହେରାଙ୍କ ସମେତ କୁଳପତି ଓ ଏନଏସଏସ ଅଧିକାରୀମାନେ ମତ ଦେଇଥିଲେ।

ସ୍ଵତନ୍ତ୍ର ନିମନ୍ତ୍ରିତ ଅତିଥି ପଦ୍ମଶ୍ରୀ ସାବରମତି ଓ ଅନ୍ୟତମ ଗାନ୍ଧୀ ବାଦୀ ଚିନ୍ତକ ପ୍ରହଲାଦ କୁମାର ସିଂହ ଏନଏସଏସକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଅନେକ ସୁଚିନ୍ତିତ ପରାମର୍ଶ ଦେଇଥିଲେ।