ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ପରିକ୍ରମା ପ୍ରକଳ୍ପ ଉଦଘାଟନ ଉତ୍ସବ ପ୍ରସ୍ତାବକୁ ଅନୁମୋଦନ ସମ୍ଭାବନା  | News Room Odisha

ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ପରିକ୍ରମା ପ୍ରକଳ୍ପ ଉଦଘାଟନ ଉତ୍ସବ ପ୍ରସ୍ତାବକୁ ଅନୁମୋଦନ ସମ୍ଭାବନା 

ପୁରୀ – ଆଜି ପୁରୀରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ବସିବ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ସମ୍ପର୍କିତ ପ୍ରସ୍ତାବକୁ ବୈଠକରେ ଅନୁମୋଦନ ମିଳିବା ସମ୍ଭାବନା ରହିଛି। ଜାନୁଆରୀ ୧୭ ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର‌ ଉଦଘାଟନ ହେବ । ଏହା ପୂର୍ବରୁ ତ୍ରିଦିନାତ୍ମକ ପୂଜାର୍ଚ୍ଚନା ଓ ହୋମଯଜ୍ଞ ଆରମ୍ଭ ହେବ । ପୂର୍ଣ୍ଣାହୂତି ଦେବେ ଗଜପତି ମହାରାଜା । ଏହି ସମୟରେ ଶ୍ରୀମନ୍ଦିର ଚାରିଦ୍ବାରରେ ବେଦ ପାରାୟଣ ପଠନ କରାଯିବ । ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ଜାନୁଆରୀ ୧୨ ତାରିଖରୁ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହେବ ବୋଲି ଗତକାଲି ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବସିଥିବା ଶ୍ରୀମନ୍ଦିର ନୀତି ସବ୍ କମିଟି ବୈଠକରେ ଏସବୁ ନିଷ୍ପତ୍ତି ନିଆଯାଇଛି।

ଜାନୁଆରୀ ୧୫ ତାରିଖରୁ ଶ୍ରୀମନ୍ଦିର ଐଶାନ୍ୟ କୋଣରେ ସକାଳ ୭ଟା ୩୦ରୁ ଦୀପ ପ୍ରଜ୍ବଳନ କରାଯାଇ ପୂଜାର୍ଚ୍ଚନା ଓ ହୋମଯଜ୍ଞ ଆରମ୍ଭ ହେବ । ଏହି ଅବସରରେ ସମସ୍ତ ମଠର ମଠାଧୀଶ, ବରିଷ୍ଠ ବ୍ୟକ୍ତିବିଶେଷ, ସେବାୟତ, ଛତିଶା ନିଯୋଗ ମହାନାୟକ, ଶ୍ରୀମନ୍ଦିର ପୁରୋହିତ, ମୁକ୍ତିମଣ୍ଡପ ବ୍ରାହ୍ମଣ ଉପସ୍ଥିତ ରହିବେ । ନୃସିଂହ ମନ୍ତ୍ରରେ ସମସ୍ତ ପୂଜାବିଧି କରାଯିବ ।

ପୂର୍ଣ୍ଣାହୂତି ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ।