ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଆଜିଠୁ ନଭେମ୍ବର ୧୭ ଯାଏଁ ଆବେଦନ ପ୍ରକ୍ରିୟା | News Room Odisha

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଆଜିଠୁ ନଭେମ୍ବର ୧୭ ଯାଏଁ ଆବେଦନ ପ୍ରକ୍ରିୟା

ଭୁବନେଶ୍ୱର – ରାଜ୍ୟ ସରକାରଙ୍କ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ପାଇଁ ଆଜିଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଅଧୀନରେ ୧୪ଟି ବିଭାଗରେ ପୁରସ୍କାର ଦିଆଯିବ । ଆଜିଠାରୁ ଆରମ୍ଭ ହୋଇଥିବା ଆବେଦନପ୍ରକ୍ରିୟା ନଭେମ୍ବର ୧୭ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ପୁରସ୍କାର ପାଇଁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରର ୱେବସାଇଟ୍ www.msp.odisha.gov.in ରେ ଆବେଦନ କରିହେବ ।

ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ତଥା ଶିକ୍ଷା ବ୍ୟବସ୍ଥା ସହ ଜଡ଼ିତ ସମସ୍ତ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରିବା ସହ ଆଗକୁ ଆହୁରି ସଫଳତା ହାସଲ କରିବାକୁ ପ୍ରୋତ୍ସାହିତ କରିବା ହେଉଛି ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ର ଉଦ୍ଦେଶ୍ୟ । ଏହି ପଦକ୍ଷେପ ମାଧ୍ୟମରେ ନୂତନ ଓଡ଼ିଶାର ସ୍ୱପ୍ନକୁ ବାସ୍ତବ ରୂପ ଦେବାରେ ଶିକ୍ଷକ, ପ୍ରଧାନ ଶିକ୍ଷକ, ପୁରାତନ ଛାତ୍ରଛାତ୍ରୀ ଏବଂ ଶିକ୍ଷା ପ୍ରଶାସକଙ୍କ ସକ୍ରିୟ ଅଂଶଗ୍ରହଣ ଏବଂ ସହଯୋଗକୁ ଉତ୍ସାହିତ କରାଯିବ ।

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଅଧୀନରେ ମାଧ୍ୟମିକ ସ୍କୁଲ ଓ ମାଧ୍ୟମିକ ସ୍କୁଲର ପ୍ରଧାନଶିକ୍ଷକ ଓ ଶିକ୍ଷକ ପୁରସ୍କାର, ପ୍ରାଥମିକ ସ୍କୁଲ, ପ୍ରାଥମିକ ସ୍କୁଲର ପ୍ରଧାନଶିକ୍ଷକ ଓ ଶିକ୍ଷକ ପୁରସ୍କାର, ପୁରାତନ ଛାତ୍ରଛାତ୍ରୀ କମିଟି ପୁରସ୍କାର, ପଂଚାୟତ ପୁରସ୍କାର, ଆଂଚଳିକ ସାଧନ କେନ୍ଦ୍ର ସଂଯୋଜନ ପୁରସ୍କାର, ଜିଲ୍ଲା ଶିକ୍ଷା ଅଧିକାରୀ ପୁରସ୍କାର, ବ୍ଲକ ଶିକ୍ଷା ଅଧିକାରୀ ପୁରସ୍କାର, ଜିଲ୍ଲା ଓ ବ୍ଲକ ପୁରସ୍କାର ଆଦି ପାଇଁ ଆବେଦନ କରିପାରିବେ ।