ଜମାନଙ୍କ ବିସ୍ଫୋରଣ:ଡିଏଲ୍ ନିୟମରେ ନ୍ୟୁଜିଲ୍ୟାଣ୍ଡକୁ ହରାଇ ସେମିଫାଇନାଲ ଦୌଡ଼ରେ ପାକିସ୍ତାନ | News Room Odisha

ଜମାନଙ୍କ ବିସ୍ଫୋରଣ:ଡିଏଲ୍ ନିୟମରେ ନ୍ୟୁଜିଲ୍ୟାଣ୍ଡକୁ ହରାଇ ସେମିଫାଇନାଲ ଦୌଡ଼ରେ ପାକିସ୍ତାନ

ବେଙ୍ଗାଲୁରୁ: ଦିନିକିଆ ବିଶ୍ୱକପରେ ଶନିବାର ଏକ ବର୍ଷା ପ୍ରଭାବିତ ମ୍ୟାଚରେ ପାକିସ୍ତାନ ଡକୱର୍ଥ-ଲୁଇସ୍ ନିୟମ ଅନୁଯାୟୀ ନ୍ୟୁଜିଲ୍ୟାଣ୍ଡକୁ ୨୧ ରନରେ ହରାଇ ଦେଇଛି । ଏହି ବିଜୟ ସହ ପାକିସ୍ତାନ ଦଳ ପଏଣ୍ଟ ଟେବୁଲରେ ପଞ୍ଚମ ସ୍ଥାନକୁ ଉଠି ସେମିଫାଇନାଲ ଆଶା ବଜାୟ ରଖିଛି । ଫଖର ଜମାନଙ୍କ ୮୧ ବଲରେ ବିସ୍ଫୋରକ ତଥା ଅପରାଜିତ ୧୨୬ ରନ ଏବଂ ଅଧିନାୟକ ବାବର ଆଜମଙ୍କ ୬୩ ବଲ୍ ୬୬ ରନର ଇନିଂସ୍ ବଳରେ ପାକିସ୍ତାନ ଏହି ଗୁରୁତ୍ୱପୂର୍ଣ୍ଣ ବିଜୟ ସହ ସେମିଫାଇନାଲ ଦୌଡ଼ରେ ସାମିଲ ହୋଇଛି ।

ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଟସ୍ ହାରି ବ୍ୟାଟିଂ କରିଥିବା ନ୍ୟୁଜିଲ୍ୟାଣ୍ଡ ଯୁବ ଓପନର ରଚିନ୍ ରବୀନ୍ଦ୍ରଙ୍କ ପୁଣି ଏକ ଶତକ ସହାୟତାରେ ୬ ୱିକେଟ୍ ନେଇ ୪୦୧ ରନର ବିଶାଳ ସ୍କୋର୍ ଛିଡ଼ା କରିଥିଲା । ଏହାର ଜବାବରେ ପାକିସ୍ତାନକୁ ଧମାକାଦାର ଷ୍ଟାର୍ଟ ଦେଇଥିଲେ ଜମାନ । ପାକିସ୍ତାନ ୨୧.୩ ଓଭରରେ ଗୋଟିଏ ୱିକେଟ୍ ହରାଇ ୧୬୦ ରନ୍ କରିଥିବା ବେଳେ ବର୍ଷା ବାଧକ ସାଜିଥିଲା । ​​ବର୍ଷା ବିରତି ପରେ ଡକୱର୍ଥ-ଲୁଇସ୍ ନିୟମ ଅନୁଯାୟୀ ପାକିସ୍ତାନ ପାଇଁ ୪୧ ଓଭରରେ ୩୪୨ ରନର ବିଜୟଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ଅର୍ଥାତ୍ ପାକିସ୍ତାନକୁ ୧୯.୩ ଓଭରରେ ଆଉ ୧୮୨ ରନ୍ କରିବାକୁ ଥିଲା। ଯେତେବେଳେ ଖେଳ ପୁଣି ଆରମ୍ଭ ହେଲା ପାକିସ୍ତାନ ପରବର୍ତ୍ତୀ ୩.୩ ଓଭରରେ ୪୦ ରନ୍ ସଂଗ୍ରହ କରିଥିଲା। ତେବେ ୨୫.୩ ଓଭର ପରେ ପୁଣି ବର୍ଷା ଯୋଗୁଁ ଖେଳ ବନ୍ଦ ହୋଇଥିଲା ।ପାକିସ୍ତାନ ସେତେବେଳକୁ ଗୋଟିଏ ୱିକେଟ୍ ହରାଇ ୨୦୦ ରନ୍ କରିଥିଲା । ଖେଳ ଆଉ ସମ୍ଭବ ହୋଇପାରିନଥିଲା । ଡକଓ୍ବର୍ଥ ଲୁଇସ୍ ନିୟମାନୁଯାୟୀ ୨୧ ରନରେ ବିଜୟୀ ହୋଇଥିଲା ପାକିସ୍ତାନ । ୪୦୦ ରନ୍ କରି ବି ଏପରି ଭାବେ ହାରିଥିବାରୁ ନ୍ୟୁଜିଲ୍ୟାଣ୍ଡକୁ ନିରାଶ ହେବାକୁ ପଡ଼ିଥିଲା ।

ପାକିସ୍ତାନର ଏହି ବିଜୟରେ ଜମାନ ହିରୋ ସାଜିଥିଲେ । ଦଳ ଶୀଘ୍ର ଅବଦୁଲ୍ଲା ସଫିକ (୪)ଙ୍କ ଓ୍ବିକେଟ୍ଋ ହରାଇଥିଲେ ବି ଜମାନ ନିର୍ଭୀକ ପ୍ରଦର୍ଶନ ସହ ନ୍ୟୁଜିଲ୍ୟାଣ୍ଡ ବୋଲରଙ୍କୁ ନିର୍ଧୁମ ପ୍ରହାର କରିଥିଲେ । ସେ ୬୩ ବଲରେ‌ ଶତକ ପୂରଣ କରିଥିଲେ, ଯାହା‌ ଦିନିକିଆ ବିଶ୍ୱକପରେ ପାକିସ୍ତାନ ପକ୍ଷରୁ ଦ୍ରୁତତମ ଶତକ । ତାଙ୍କର ଏହି ମ୍ୟାଚ୍ ବିଜୟୀ ଇନିଂସରେ ଜମାନ୍ ୮ଟି ଚୌକା ଓ ୧୧ଟି ଛକା ମାରିଥିଲେ ।

ନ୍ୟୁଜିଲ୍ୟାଣ୍ଡ ଉପରେ ବିଜୟ ପରେ ପାକିସ୍ତାନ ୮ ପଏଣ୍ଟ ସହ ପଏଣ୍ଟ ଟେବୁଲରେ ପଞ୍ଚମ ସ୍ଥାନରେ ପହଞ୍ଚିଥିବାବେଳେ ନ୍ୟୁଜିଲ୍ୟାଣ୍ଡ ସମାନ ସଂଖ୍ୟକ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଛି କାରଣ ସେମାନଙ୍କ ରନ୍ ରେଟ୍ ପାକିସ୍ତାନ ଠାରୁ ସାମାନ୍ୟ ଭଲ ଅଛି। ପାକିସ୍ତାନ ଶେଷ ଲିଗ୍ ମ୍ୟାଚରେ ଇଂଲଣ୍ଡକୁ ଭେଟିବ। ଯଦି ପାକିସ୍ତାନ ଏହି ମ୍ୟାଚ ଜିତେ ତେବେ ଦଳର ୧୦ ପଏଣ୍ଟ ହୋଇଯିବ | ଅନ୍ୟପକ୍ଷରେ ଯଦି ନ୍ୟୁଜିଲ୍ୟାଣ୍ଡ ଶ୍ରୀଲଙ୍କା ବିପକ୍ଷ ଶେଷ ମ୍ୟାଚ୍ ହାରିଯାଏ ତେବେ ପାକିସ୍ତାନ ଚତୁର୍ଥ ସ୍ଥାନ ହାସଲ କରି ନକ୍ଆଉଟ୍ ପର୍ଯ୍ୟାୟ ପାଇଁ ଯୋଗ୍ୟତା ଅର୍ଜନ କରିବ।

ଯଦି ଶ୍ରୀଲଙ୍କା ବିପକ୍ଷ ଶେଷ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ଜିତେ, ତା’ହେଲେ ପାକିସ୍ତାନକୁ ଇଂଲଣ୍ଡ ବିପକ୍ଷ ମ୍ୟାଚକୁ ଏକ ବୃହତ ବ୍ୟବଧାନରେ ଜିତିବାକୁ ପଡିବ । ଉଭୟ ଦଳ ଯଦି ନିଜ ଶେଷ ଲିଗ୍ ମ୍ୟାଚ୍ ଜିତନ୍ତି, ତେବେ ନେଟ୍ ରନ୍ ରେଟ୍ ବିଚାରକୁ ନିଆଯିବ ।

ଅନ୍ୟପକ୍ଷରେ ଏହି ଫଳାଫଳ ସହିତ ଦକ୍ଷିଣ ଆଫ୍ରିକା ଦଳ ସେମିଫାଇନାଲରେ ପ୍ରବେଶ କରିଛି। ଟପ୍-୪ରେ ସ୍ଥାନ ସୁରକ୍ଷିତ କରିବାରେ ଆଫ୍ରିକା ଦ୍ୱିତୀୟ ଦଳ ହୋଇପାରିଛି।

ପୂର୍ବରୁ ରଚିନ୍ ରବୀନ୍ଦ୍ର ତାଙ୍କ ଜବରଦସ୍ତ ଫର୍ମ ଜାରି ରଖି ଚଳିତ ବିଶ୍ୱକପରେ ତୃତୀୟ ଶତକ ହାସଲ କରିଥିଲେ । ଏହି ଉଦୀୟମାନ ବ୍ୟାଟ୍ସମ୍ୟାନ୍ ୯୪ ବଲରେ ୧୫ଟି ଚୌକା ଓ ଗୋଟିଏ ଛକା ସହ ୧୦୮ ରନ୍ କରିଥିଲେ। ଆଘାତରୁ ଫେରିଥିବା ଅଧିନାୟକ କେନ୍ ଓ୍ବିଲିୟମସନ ଶତକରୁ ବଞ୍ଚିତ ହୋଇଥିଲେ । ସେ ୭୯ ବଲରେ ୧୦ଟି ଚୌକା ଓ ୨ଟି ଛକା ସହ ୯୫ ରନ୍ କରିଥିଲେ । ଉଭୟ ଦ୍ବିତୀୟ ଓ୍ବିକେଟରେ ୧୮୦ ରନ୍ ଯୋଗକରି ନ୍ୟୁଜିଲ୍ୟାଣ୍ଡର ବଡ଼ ସ୍କୋର୍ ପାଇଁ ମୂଳଦୁଆ ପକାଇଥିଲେ । ନ୍ୟୁଜିଲ୍ୟାଣ୍ଡ ୬ ୱିକେଟ୍ ନେଇ ୪୦୧ ରନ୍ କରିଥିଲା। ବିଶ୍ୱକପ୍‌ରେ ଏହା ନ୍ୟୁଜିଲ୍ୟାଣ୍ଡର ସବୁଠାରୁ ବଡ଼ ସ୍କୋର। ବିଶ୍ଵକପରେ ପାକିସ୍ତାନ ବିପକ୍ଷରେ ମଧ୍ୟ ଏହା କୌଣସି ଦଳ ପକ୍ଷରୁ ସର୍ବବୃହତ ସ୍କୋର୍ । ଚଳିତ ବିଶ୍ୱକପରେ ଦ୍ୱିତୀୟ ଥର ପାଇଁ ୪୦୦+ ସ୍କୋର ହୋଇଛି | ଦକ୍ଷିଣ ଆଫ୍ରିକା ଦିଲ୍ଲୀରେ ଶ୍ରୀଲଙ୍କା ବିପକ୍ଷରେ ୪୨୮ ରନ୍ କରିଥିଲା।