ମୁଖ୍ୟମନ୍ତ୍ରୀ ମକା ମିଶନ କ୍ରେତା - ବିକ୍ରେତା ବୈଠକ : ୨ଟି ସଂସ୍ଥା ସହ ଓରମାସ୍‌ର ବୁଝାମଣା ପତ୍ର , ଉଚିତ ଦରରେ ଏଫପିଓ ଜରିଆରେ ମକା ବିକ୍ରି ଉପରେ ଗୁରୁତ୍ୱାରୋପ | News Room Odisha

ମୁଖ୍ୟମନ୍ତ୍ରୀ ମକା ମିଶନ କ୍ରେତା – ବିକ୍ରେତା ବୈଠକ : ୨ଟି ସଂସ୍ଥା ସହ ଓରମାସ୍‌ର ବୁଝାମଣା ପତ୍ର , ଉଚିତ ଦରରେ ଏଫପିଓ ଜରିଆରେ ମକା ବିକ୍ରି ଉପରେ ଗୁରୁତ୍ୱାରୋପ

ଭୁବନେଶ୍ୱର -ଏଣିକି ନବରଙ୍ଗପୁର ଜିଲ୍ଲା ମକା ଚାଷୀମାନେ ସେମାନଙ୍କ ଉତ୍ପାଦିତ ମକା ଉଚିତ ଦରରେ ସିଧାସଳଖ ବଡ଼ ଘରୋଇ ସଂସ୍ଥାକୁ ବିକ୍ରି କରିପାରିବେ । ଏପରିକି ଅମଳ ମକା ସଂଗ୍ରହ , ଷ୍ଟୋରେଜ ଏବଂ ପରିବହନ ଆଦି ଦିଗ ପ୍ରତି ମଧ୍ୟ ଉପଯୁକ୍ତ ଧ୍ୟାନ ଦିଆଯିବ । ଏ ନେଇ ଆଜି ଭୁବନେଶ୍ଵର ୟୁନିଟ – ୮ ସ୍ଥିତ ଏସ୍.ଆଇ.ଆର.ଡି ଏବଂ ପଞ୍ଚାୟତିରାଜ କ୍ୟାମ୍ପସ ପରିସରରେ ଥିବା ମନରେଗା ସମ୍ମିଳନୀ କକ୍ଷରେ ଆୟୋଜିତ ‘ମୁଖ୍ୟମନ୍ତ୍ରୀ ମକା ମିଶନ’ ଅନ୍ତର୍ଗତ କ୍ରେତା ବିକ୍ରେତା ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏହି ଅବସରରେ ଓରମାସ ତରଫରୁ ଆନ୍ଧ୍ରପ୍ରଦେଶର ବିଜୟନଗରମ ବାୟୋଟେକ୍ ଏବଂ ବିହାର ପାଟନାର ଡିହା ସଂସ୍ଥା ସହିତ ଦୁଇଟି ବୁଝାମଣାପତ୍ର ସ୍ବାକ୍ଷର କରାଯାଇଥିଲା । ଓରମାସ ତରଫରୁ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଗୁହା ପୁନମ ତାପସ କୁମାର ଏହି ବୁଝାମଣା ପତ୍ରରେ ସ୍ବାକ୍ଷର କରିଥିଲେ । ଏହି ଅବସରରରେ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନି ଓ ନବରଙ୍ଗପୁର ଜିଲ୍ଲାପାଳ କମଳ ଲୋଚନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ରାଜ୍ୟ କ୍ଷେତ୍ରୀୟ ଯୋଜନା ଜରିଆରେ ଓରମାସ ନବରଙ୍ଗପୁର ଜିଲ୍ଲାରେ ମକା ଉତ୍ପାଦନ , ସଂଗ୍ରହ ଏବଂ ବିକ୍ରି ପାଇଁ ମହିଳାଙ୍କ ନେତୃତ୍ୱାଧୀନ ୧୪ଟି ଉତ୍ପାଦକ ସଂଗଠନ ପ୍ରତିଷ୍ଠା ଏବଂ ବିକଶିତ କରିବା ସହ ଗୋଟିଏ ମିଳିତ କୃଷକ ଉତ୍ପାଦକ ସଂଗଠନ ଗଠନ କରିଛି । ସେଥିମଧ୍ୟରୁ ୧୨ଟି କୃଷକ ଉତ୍ପାଦକ ସଂଗଠନ ପଞ୍ଜୀକୃତ ହୋଇସାରିଥିବା ବେଳେ , ୭ଟି ଏଗ୍ରିମଲ୍ ଏବଂ ଗୋଟିଏ ଉତ୍ପାଦକ ଉଦ୍ୟୋଗ ପ୍ରତିଷ୍ଠା କରାଯାଇଛି । ଏହି ଚୁକ୍ତିନାମା ଅନୁସାରେ , ବିଜୟନଗରମ ବାୟୋଟେକ ଏବଂ ଡିହାଟ୍‌- ଏହି ଦୁଇଟି ସଂସ୍ଥା , ନବରଙ୍ଗପୁର ଜିଲ୍ଲାରେ ଓରମାସ ଦ୍ଵାରା ଗଠିତ ଏବଂ ପରିଚାଳିତ ବିଭିନ୍ନ କୃଷକ ଉତ୍ପାଦକ ସଂଗଠନ ଗୁଡ଼ିକଠାରୁ ଉଚିତ ଦର ଦେଇ ମକା ସଂଗ୍ରହ କରିବେ । ଏ ଦିଗରେ ଉଭୟ ସଂସ୍ଥା ଏବଂ ଉତ୍ପାଦକ ସଂଗଠନଗୁଡ଼ିକୁ ଓରମାସ ତରଫରୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରାଯିବ । ଏହି ବୁଝାମଣାପତ୍ର ନବରଙ୍ଗପୁର ଜିଲ୍ଲାର ଚାଷୀମାନଙ୍କୁ , କୃଷକ ଉତ୍ପାଦକ ସଂଗଠନ ମାଧ୍ୟମରେ ସେମାନଙ୍କ ଉତ୍ପାଦିତ ମକାକୁ ଉଚିତ ଦରରେ ପ୍ରତିଷ୍ଠିତ ସଂସ୍ଥାକୁ ବିକ୍ରି କରିବାକୁ ସୁଯୋଗ ପ୍ରଦାନ କରିବ । ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନି ଏ ଦିଗରେ କ୍ରମାଗତ ଦକ୍ଷତା ବୃଦ୍ଧି , ଆବଶ୍ୟକ ସହାୟତା ପ୍ରଦାନ , ମକା ସଂଗ୍ରହ ଆଦି କାର୍ଯ୍ୟଗୁଡ଼ିକୁ ଓରମାସ ଦ୍ଵାରା ନିୟମିତ ତଦାରଖ କରାଯାଉଛି ବୋଲି ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରତିଷ୍ଠିତ ଘରୋଇ ସଂସ୍ଥା , ବିଜୟନଗରମ ବାୟୋଟେକ୍ ଡି – ହାଟ , ସୁଗୁନା , ଟି . ଫାର୍ମ ପ୍ରାଇଭେଟ ଲିମିଟେଡ , ଜାପଫା କମଫିଡ୍‌ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ , ଭେଙ୍କଟେଶ୍ଵର ହ୍ୟାଚେରିଜ୍‌ , ଗୋ – ଗ୍ରୀନ ୱେୟାର ହାଉସେସ୍ ପ୍ରାଇଭେଟ୍ ଲିମିଟେଡ ଏବଂ ସେଣ୍ଟ୍ରାଲ ୱେୟାର ହାଉସିଂ କର୍ପୋରେସନର ପ୍ରତିନିଧିଙ୍କ ସହିତ ଆଇ.ସି.ଏ.ଆର ଅଧୀନସ୍ଥ – ଭାରତୀୟ ମକା ଗବେଷଣା ପ୍ରତିଷ୍ଠାନର ବରିଷ୍ଠ ବୈଜ୍ଞାନିକ ଡକ୍ଟର ଶଙ୍କରଲାଲ ଜାଠ୍ , ନବରଙ୍ଗପୁର ଜିଲ୍ଲାର ୧୪ଟି କୃଷକ ଉତ୍ପାଦକ ସଂଗଠନର ବୋର୍ଡ ଅଫ୍ ଡାଇରେକ୍ଟର୍ସ ସଦସ୍ୟା , ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ଓରମାସ ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ ।