ଡାକ୍ତରଖାନା ପରିସରକୁ ମଶାମୁକ୍ତ କରିବା ପାଇଁ ସ୍ୱାସ୍ଥ୍ୟ ସଚିବଙ୍କ ନିର୍ଦ୍ଦେଶ | News Room Odisha

ଡାକ୍ତରଖାନା ପରିସରକୁ ମଶାମୁକ୍ତ କରିବା ପାଇଁ ସ୍ୱାସ୍ଥ୍ୟ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର – ରୋଗୀମାନଙ୍କୁ ସନ୍ତୋଷଜନକ ଜନସ୍ଵାସ୍ଥ୍ୟ ସୁବିଧା ସହିତ ସରକାରୀ ଡାକ୍ତରଖାନା ପରିସରକୁ ମଶାମୁକ୍ତ ଏବଂ ପରିବେଶ ଅନୁକୂଳ କରିବା ପାଇଁ ରାଜ୍ୟ ସରକାର ଧ୍ୟାନ ଦେଇ ଆସୁଛନ୍ତି । ଏହି ପରିପ୍ରେକ୍ଷୀରେ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଶାଳିନୀ ପଣ୍ଡିତ ଡାକ୍ତରଖାନା ପରିସରକୁ ମଶାମୁକ୍ତ ସୁନିଶ୍ଚିତ କରିବା ପାଇଁ କ୍ୟାପିଟାଲ୍ ହସପିଟାଲ୍ ଏବଂ ରାଉରକେଲା ସରକାରୀ ଡାକ୍ତରଖାନାର ନିର୍ଦ୍ଦେଶକଙ୍କ ସମେତ ସମସ୍ତ ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଓ ଜନସ୍ୱାସ୍ଥ୍ୟ ଅଧିକାରୀ ( ପିଏଚ୍ଓ ) ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି କାର୍ଯ୍ୟଗୁଡ଼ିକ ଆମ ହସ୍‌ପିଟାଲ୍ ଏବଂ କାୟାକଳ୍ପ ଅଭିଯାନର ଏକ ଅଂଶ ଭାବେ ଗ୍ରହଣ କରାଯାଇଛି । ଏହି ସଂପର୍କରେ ଛଅଗୋଟି ବିଷୟକୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ତାହା ହେଲା – ୧ . ଆମ ହସ୍‌ପିଟାଲ୍ ପାଣ୍ଠିରୁ ସମସ୍ତ ଆମ ହସ୍‌ପିଟାଲ୍ ଝରକାରେ ତାରଜାଲି ଲଗାଯିବ । ୨ . ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ଉପଖଣ୍ଡ ଚିକିତ୍ସାଳୟ ପାଇଁ ମଶାଧୂଆ ମେସିନ୍ କ୍ରୟ କରାଯିବ । ୩ . ଡେଜଟ୍ କୁଲର ଏବଂ ଜଳଭଣ୍ଡାର ନିୟମିତ ସଫା କରାଯିବା ସହ ନିର୍ମଳ ଅଧୀନରେ ନିୟୋଜିତ ଆଉସିଂ ସଂସ୍ଥା ଦ୍ଵାରା ମଶାମରା ତେଲ ଛିଞ୍ଚାଯିବ । ୪ . ହସ୍‌ପିଟାଲ ପରିସରରେ ଜଳ ନ ଜମିବା ପାଇଁ ନିର୍ମଳ ଅଧୀନରେ ନିୟୋଜିତ ଆଉସିଂ ସଂସ୍ଥା ଦ୍ଵାରା ଅନାବନା ଗଛ କାଟିବା କାର୍ଯ୍ୟ ଏବଂ ପରିଷ୍କାର ପରିଚ୍ଛନ କାର୍ଯ୍ୟ କରାଯିବ । ୫ . ଗ୍ରାମୀଣ ଏବଂ ସହରୀ ସଂସ୍ଥାଗୁଡ଼ିକର ସମନ୍ୱୟରେ ସ୍ୱାସ୍ଥ୍ୟସେବା ସୁବିଧା କେନ୍ଦ୍ର ଚାରିପାଖରେ ସମୂହ ସଫେଇ କାର୍ଯ୍ୟ ବାରମ୍ବାର କରାଯିବ । ୬ . ଆମ ହସ୍‌ପିଟାଲ୍ ପାଣ୍ଠିରୁ ଜିଲ୍ଲା ମୁଖ୍ୟ ପ୍ରତିରୋଧ ସ୍ଥାପନ କରାଯିବ ।