ଦକ୍ଷିଣ ଆଫ୍ରିକାକୁ ୨୪୩ ରନ୍‌ରେ ହରାଇଲା ଭାରତ, ୮ରୁ ୮ ବିଜୟ ସହ ଶୀର୍ଷ ସ୍ଥାନ ବଜାୟ ରଖିଲା | News Room Odisha

ଦକ୍ଷିଣ ଆଫ୍ରିକାକୁ ୨୪୩ ରନ୍‌ରେ ହରାଇଲା ଭାରତ, ୮ରୁ ୮ ବିଜୟ ସହ ଶୀର୍ଷ ସ୍ଥାନ ବଜାୟ ରଖିଲା

କୋଲକାତା: ଚଳିତ ଦିନିକିଆ ବିଶ୍ୱକପର ଦୁଇ ଟପ୍ ଦଳ ମଧ୍ୟରେ ଭାରତର ବୃହତ ବିଜୟ । ବିରାଟ କୋହଲିଙ୍କ ରେକର୍ଡ ୪୯ତମ ଶତକ ପରେ ରବୀନ୍ଦ୍ର ଜାଡେଜାଙ୍କ ଯାଦୁକରୀ ସ୍ପିନ୍ ବୋଲିଂ ସହାୟତାରେ ଭାରତ ରବିବାର ଇଡେନ୍ ଗାର୍ଡେନ୍ସରେ ଦକ୍ଷିିଣ ଆଫ୍ରିକାକୁ ୨୪୩ ରନ୍‌ରେ ଧରାଶାୟୀ କରିଛି । ଏହି ଜବରଦସ୍ତ ବିଜୟ ସହ କୋହଲିଙ୍କୁ ଉପଯୁକ୍ତ ଜନ୍ମଦିନ ଉପହାର ମିଳିଛି । ସେମିଫାଇନାଲ୍‌ରେ ସ୍ଥାନ ପକ୍କା କରିସାରିଥିବା ଭାରତ ୮ ମ୍ୟାଚରୁ ୮ ବିଜୟ ସହ ଅପରାଜେୟ ଧ।।ର ଜାରି ରଖି ପଏଣ୍ଟ ଟେବୁଲରେ ପ୍ରଥମ ସ୍ଥାନ ବଜାୟ ରଖିଛି । ବିଶ୍ୱକପ୍ ଇତିହାସରେ ଦ୍ୱିତୀୟ ଥର ପାଇଁ ଭାରତ କ୍ରମାଗତ ୮ଟି ମ୍ୟାଚ୍ ଜିତିଛି । ଗତ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ୩୦୨ ରନ୍‌ରେ ହରାଇବା ପରେ ଚଳିତ ଟୁର୍ଣ୍ଣାମେଣ୍ଟର ନମ୍ବର ଦୁଇ ଦଳ ଦକ୍ଷିଣ ଆଫ୍ରିକାକୁ ୨୦୦ରୁ ଊର୍ଦ୍ଧ୍ୱ ରନ୍‌ରେ ହରାଇଛି ଭାରତ । ଏଥିରୁ ବିପକ୍ଷ ଦଳମାନଙ୍କ ଉପରେ ଭାରତର ପ୍ରାଧାନ୍ୟ ସ୍ପଷ୍ଟ ବାରି ହୋଇପଡ଼ୁଛି । ଭାରତର ଏଭଳି ପ୍ରଦର୍ଶନ ବିପକ୍ଷ ଦଳଙ୍କ ଶିବିରରେ ଭୟ ସୃଷ୍ଟି କରିଛି ।

ନିଜ ଜନ୍ମଦିନରେ କୋହଲି ନିଜ ଆଦର୍ଶ ସଚିନ ତେନ୍ଦୁଲକରଙ୍କ ଶତକ ରେକର୍ଡର ସମକକ୍ଷ ହୋଇଥ୍‌ôବା ବେଳେ ଭାରତ ପ୍ରଥମେ ବ୍ୟାଟିଂ କରି ୫ ୱିକେଟ୍‌ରେ ୩୨୬ ରନ୍ କରିଥିଲା । ଏହି ଲକ୍ଷ୍ୟର ଜବାବରେ ଦକ୍ଷିଣ ଆଫ୍ରିକା ଶ୍ରୀଲଙ୍କା ଦଶା ଭୋଗିଥିଲା । ଏପରିକି ଦକ୍ଷିଣ ଆଫ୍ରିକା କୋହଲିଙ୍କ ବ୍ୟକ୍ତିଗତ ସ୍କୋରକୁ ବି ଟପିପାରିନଥିଲା । ଶ୍ରୀଲଙ୍କା ଭଳି ଭାରତୀୟ ବୋଲରଙ୍କ ଆଗରେ ଆତ୍ମସମର୍ପଣ କରିଥିଲେ ଦକ୍ଷିଣ ଆଫ୍ରିକାର ଶକ୍ତିଶାଳୀ ବ୍ୟାଟର । ଦକ୍ଷିଣ ଆଫ୍ରିକା ୨୭.୧ ଓଭରରେ ମାତ୍ର ୮୩ ରନ୍ କରି ଅଲ୍‌ଆଉଟ୍ ହୋଇଯାଇଥିଲା । ବିଶ୍ୱକପରେ ଦକ୍ଷିଣ ଆଫ୍ରିକାର ଏହା ସର୍ବନିମ୍ନ ସ୍କୋର । ଭାରତ ପକ୍ଷରୁ ଜାଡେଜା ୫ଟି ୱିକେଟ୍ ନେଇଥିଲେ । ମହମ୍ମଦ ସାମି ଓ କୁଳଦୀପ ଯାଦବ ୨ଟି ଲେଖାଏଁ ୱିକେଟ୍ ହାସଲ କରିଥିବା ବେଳେ ମହମ୍ମଦ ସିରାଜ୍ ଗୋଟିଏ ୱିକେଟ୍ ପାଇଥିଲେ । ଦକ୍ଷିଣ ଆଫ୍ରିକା ତରଫରୁ ଅଧିନାୟକ ତେମ୍ବା ବାଭୁମା (୧୧)ଙ୍କ ସହ ରାସି ଭାନ୍ ଡର ଡୁସେନ୍ (୧୩), ଡେଭିଡ୍ ମିଲର (୧୧) ଓ ମାର୍କୋ ୟାନସେନ୍ (୧୪) ହିଁ ଦୁଇଅଙ୍କ ଛୁଇଁପାରିଥିଲେ । ରେକର୍ଡ ବରାବର ସୂଚକ ଶତକ ହାସଲ କରିଥିବା କୋହଲି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ ।

ସେମିଫାଇନାଲରେ ସ୍ଥାନ ପକ୍କା କରିସାରିଥିବା ଦକ୍ଷିଣ ଆଫ୍ରିକାର ଏହା ୮ଟି ମ୍ୟାଚରୁ ଦ୍ବିତୀୟ ପରାଜୟ । ଦଳ ପୂର୍ବରୁ ନେଦରଲାଣ୍ଡସ ଠାରୁ ହାରିଥିଲା। ତେବେ ଭାରତ ବିପକ୍ଷରେ ଶୋଚନୀୟ ପରାଜୟ ସତ୍ତ୍ୱେ ଦକ୍ଷିଣ ଆଫ୍ରିକା ୧୨ ପଏଣ୍ଟ୍ ସହ ଦ୍ବିତୀୟ ସ୍ଥାନରେ ରହିଛି ।

ନିଜ ଜନ୍ମଦିନରେ ବିରାଟ କୋହଲି ଐତିହାସିକ ଇଡେନ୍ ଗାର୍ଡେନ୍ସରେ ୬୫,୦୦୦ ଦର୍ଶକଙ୍କ ସାମ୍ନାରେ ନିଜ ଆଦର୍ଶ ସଚିନ୍ ତେନ୍ଦୁଲକରଙ୍କ ୪୯ ଶତକ ରେକର୍ଡର ସମକକ୍ଷ ହୋଇଥିଲେ। ଏହି ଷ୍ଟାର ବ୍ୟାଟର ୧୨୧ ବଲରେ ୧୦ଟି ଚୌକା ସହ ୧୦୧ ରନ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ଜନ୍ମଦିନରେ ବିଶ୍ୱକପ୍ ଶତକ ହାସଲ କରିବାରେ କୋହଲି ଭାରତର ପ୍ରଥମ ଓ ବିଶ୍ଵର ତୃତୀୟ ବ୍ୟାଟ୍ସମ୍ୟାନ୍ ।

ଶ୍ରୀଲଙ୍କା ବିପକ୍ଷ ଗତ ମ୍ୟାଚ୍‌ରେ ୧୨ ରନ୍ ପାଇଁ ଶତକରୁ ବଞ୍ଚିତ ହୋଇଥିବା କୋହଲି ଶେଷରେ ନିଜ ୨୮୯ତମ ମ୍ୟାଚର ୨୭୭ ତମ ଇନିଂସରେ ୪୯ତମ ଶତକ ହାସଲ କରିଥିଲେ। ତେନ୍ଦୁଲକର ୪୬୩ ଦିନିକିଆର ୪୫୨ତମ ଇନିଂସରେ ୪୯ ଶତକ ଓ ୯୬ ଅର୍ଦ୍ଧଶତକ ହାସଲ କରିଥିଲେ। ସଚିନ୍‌ଙ୍କ ନାମରେ ୧୦୦ଟି ଅନ୍ତର୍ଜାତୀୟ ଶତକ ଥିବାବେଳେ କୋହଲିଙ୍କ ଏହା ୭୯ ତମ ଅନ୍ତର୍ଜାତୀୟ ଶତକ । ସେ ଟେଷ୍ଟରେ ୨୯ ଓ ଟି-୨୦ରେ ମଧ୍ୟ ଗୋଟିଏ ଶତକ ହାସଲ କରିଛନ୍ତି ।

ତୃତୀୟ ୱିକେଟ୍ ଭାଗିଦାରୀରେ ଶ୍ରେୟସ୍ ଆୟର୍ (୭୭ ରନ୍)ଙ୍କ ସହ ୧୩୪ ରନ୍ କରି କୋହଲି ଭାରତର ବଡ଼ ସ୍କୋର ପାଇଁ ମୂଳଦୁଆ ପକାଇଥିଲେ। କେଶବ ମହାରାଜଙ୍କ ବ୍ୟତୀତ ଚଳିତ ବିଶ୍ୱକପର ଶ୍ରେଷ୍ଠ ଦୁଇ ଦଳ ମଧ୍ୟରେ ହୋଇଥିବା ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକାର ଅନ୍ୟ କୌଣସି ବୋଲର ଭାରତୀୟ ବ୍ୟାଟ୍ସମ୍ୟାନ୍ ବିଶେଷ କରି କୋହଲିଙ୍କ ଉପରେ ଅଙ୍କୁଶ ଲଗାଇ ପାରିନଥିଲେ ।

କୋହଲି ୪୯ ତମ ଓଭରରେ କାଗିସୋ ରାବାଡାଙ୍କ ବଲରେ ଏକ ସିଙ୍ଗଲ୍ ଚୋରାଇ ପ୍ରତୀକ୍ଷିତ ୪୯ତମ ଶତକ ପୂରଣ କରିବା ପରେ ସମଗ୍ର ଇଡେନ୍ ଗାର୍ଡେନ୍ସ ତାଙ୍କ ନାଁର ଧ୍ବନିରେ ପ୍ରକମ୍ପିତ ହୋଇଥିଲା। ସେ ହେଲମେଟ୍ କାଢ଼ି ଦର୍ଶକଙ୍କ ଏବଂ ଡ୍ରେସିଂ ରୁମର ଅଭିବାଦନ ଗ୍ରହଣ କରି ଆକାଶ ଆଡକୁ ଚାହିଁଥିଲେ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଆରମ୍ଭରୁ ଆଟାକିଂ ଖେଳିଥିଲା । ବିଶେଷକରି ଅଧିନାୟକ ରୋହିତ ଶର୍ମା ବିସ୍ଫୋରକ ଷ୍ଟାର୍ଟ ଦେଇଥିଲେ। ସେ ୨୪ ବଲରୁ ୬ଟି ଚୌକା ଓ ଦୁଇଟି ଛକା ସହ ଧୂଆଁଧାର ୪୦ ରନ୍ କରିଥିଲେ । ଶୁଭମାନ ଗିଲ୍ ୨୩ ରନ୍ କରିଥିବାବେଳେ ୭୭ ରନର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ ଶ୍ରେୟସ ଆୟର । ଆୟର ୮୭ ବଲର‌ ଇନିଂସରେ ୭ଟି ଚୌକା ଓ ଦୁଇଟି ଛକା ମାରିଥିଲେ। ସୂର୍ଯ୍ୟକୁମାର ୨୨ ରନ୍ କରି ଆଉଟ୍ ହୋଇଥିଲେ । ଜାଡେଜା ୩ଟି ଚୌକା ଓ ଗୋଟିଏ ଛକା ସହ ୧୫ଟି ବଲରେ ଅପରାଜିତ ୨୯ ରନ୍ । ଦକ୍ଷିଣ ଆଫ୍ରିକାର ସମସ୍ତ ବୋଲର ମହଙ୍ଗା ସାବ୍ୟସ୍ତ ହୋଇଥିଲେ ।