ମହିଳା ଏସିଆନ ଚାମ୍ପିଅନସ ଟ୍ରଫି ହକିରେ ଭାରତ ଚାମ୍ପିୟନ, ଫାଇନାଲରେ ଜାପାନକୁ ୪-୦ ଗୋଲରେ ଦେଲା ମାତ୍ | News Room Odisha

ମହିଳା ଏସିଆନ ଚାମ୍ପିଅନସ ଟ୍ରଫି ହକିରେ ଭାରତ ଚାମ୍ପିୟନ, ଫାଇନାଲରେ ଜାପାନକୁ ୪-୦ ଗୋଲରେ ଦେଲା ମାତ୍

ରାଞ୍ଚି – ମହିଳା ଏସିଆନ ଚାମ୍ପିଅନସ ଟ୍ରଫି ହକିରେ ଚାମ୍ପିୟନ ହୋଇଛି ଭାରତୀୟ ଦଳ । ଫାଇନାଲ ମ୍ୟାଚରେ ଭାରତ, ଜାପାନକୁ ୪-୦ ଗୋଲରେ ପରାସ୍ତ କରି ଦ୍ୱିତୀୟ ଥର ପାଇଁ ଏହି ଟାଇଟଲ ଜିତିଛି । ମ୍ୟାଚର ପ୍ରଥମାର୍ଦ୍ଧ ବେଳକୁ ଭାରତ ୧-୦ ଗୋଲରେ ଆଗୁଆ ଥିଲା । ୧୭ତମ ମିନିଟରେ ସଙ୍ଗୀତା କୁମାରୀଙ୍କ ଗୋଲ୍ ବଳରେ ଆଗୁଆ ରହିଥିଲା ଭାରତ । ୪୬ତମ ମିନିଟରେ ଏକ ପେନାଲଟି କର୍ଣ୍ଣରକୁ ଗୋଲରେ ପରିଣତ କରି ନେହା ଭାରତକୁ ୨-୦ ଗୋଲରେ ଆଗୁଆ କରିଥିଲେ। ମ୍ୟାଚର ୫୭ତମ ମିନିଟରେ ଲାଲ୍ମରେମସିଆମି ତୃତୀୟ ଗୋଲ୍ ଓ ୬୦ତମ ମିନିଟରେ ବନ୍ଦନା କଟାରିୟା ଚତୁର୍ଥ ଗୋଲ୍ ସ୍କୋର ଥିଲେ । ୪-୦ ଗୋଲରେ ବିଜୟୀ ହୋଇ ଚାମ୍ପିୟନ ହୋଇଛି ଭାରତ । ପୂର୍ବରୁ ତୃତୀୟ ସ୍ଥାନ ପାଇଁ ହୋଇଥିବା ମ୍ୟାଚରେ ଚୀନ୍, ଦକ୍ଷିଣ କୋରିଆକୁ ହରାଇଥିଲା ।

ସେମିଫାଇନାଲରେ ଏସିଆନ ଗେମ୍ସ ବ୍ରୋଞ୍ଜ ବିଜୟୀ ଭାରତୀୟ ଦଳ, ଦକ୍ଷିଣ କୋରିଆକୁ ୨-୦ ଗୋଲରେ ହରାଇଥିଲା । ଅନ୍ୟ ଏକ ସେମିଫାଇନାଲରେ ଜାପାନ, ଚୀନକୁ ୨-୧ ଗୋଲରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା । ଭାରତ ଲିଗ୍ ପର୍ଯ୍ୟାୟରେ ମଧ୍ୟ ଜାପାନକୁ ପରାସ୍ତ କରିଥିଲା । ଏହାଛଡା ଭାରତ ହାଙ୍ଗଝୁ ଏସୀୟ କ୍ରୀଡା ହକିରେ ଜାପାନକୁ ହରାଇ ବ୍ରୋଞ୍ଜ ପଦକ ହାସଲ କରିଥିଲା ।

ଲିଗ୍ ପର୍ଯ୍ୟାୟରେ ଭାରତୀୟ ଦଳ ସମସ୍ତ ମ୍ୟାଚ ଜିତି ଅପରାଜେୟ ରହିଥିଲା ।

ମହିଳା ଏସିଆନ ଚାମ୍ପିଅନସ ଟ୍ରଫି ରେ ଭାରତ ଆଗରୁ ତିନିଥର ଫାଇନାଲ ଖେଳିସାରିଛି । ୨୦୧୬ରେ ସିଙ୍ଗାପୁରରେ ଆୟୋଜିତ ଟୁର୍ଣ୍ଣାମେଣ୍ଟରେ ଭାରତ ଚୀନକୁ ହରାଇ ଚାମ୍ପିୟନ ହୋଇଥିଲା । ୨୦୧୩ ଓ ୨୦୧୮ ସଂସ୍କରଣରେ ଭାରତ ଯଥାକ୍ରମେ ଜାପାନ ଓ ଦକ୍ଷିଣ କୋରିଆ ଠାରୁ ଫାଇନାଲରେ ହାରି ରନର୍ସଅପ ହୋଇଥିଲା ।