ପଛୁଆ ବର୍ଗ ତାଲିକାରେ ବସନ୍ତିଆ ସମ୍ପ୍ରଦାୟ, ମୁଖ୍ୟମନ୍ତ୍ରୀଙ୍କୁ ସାଧୁବାଦ | News Room Odisha

ପଛୁଆ ବର୍ଗ ତାଲିକାରେ ବସନ୍ତିଆ ସମ୍ପ୍ରଦାୟ, ମୁଖ୍ୟମନ୍ତ୍ରୀଙ୍କୁ ସାଧୁବାଦ

ଛତ୍ରପୁର: ଦୀର୍ଘ ବର୍ଷର ଦାବି ପୂରଣ ହୋଇଛି। ଗଞ୍ଜାମ ଜିଲ୍ଲାର ଛତ୍ରପୁର, ଖଲ୍ଲିକୋଟ, ଆଠଗଡ଼ ଓ ଘୁମୁସର ସମେତ କୋରାପୁଟ ଜିଲ୍ଲାର କୋଟପାଡ଼ ଅଞ୍ଚଳରେ ବାସବାସ କରୁଥିବା ଓଡ଼ିଆ ବସନ୍ତିଆ ସମାଜର ବାସିନ୍ଦା ଏବେ ବେଶ୍ ଉପକୃତ ହେବାକୁ ଯାଉଛନ୍ତି। ଆର୍ଥିକ ସ୍ଥିତି ଓ ଶିକ୍ଷା କ୍ଷେତ୍ରରେ ଅପେକ୍ଷାକୃତ ପଛୁଆ ଥିବା ଏହି ବର୍ଗର ଜନସାଧାରଣ, ଛାତ୍ରଛାତ୍ରୀମାନେ ଏବେ ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ଦ୍ବାରା ଶିକ୍ଷା ଓ ଅର୍ଥନୈତିକ କ୍ଷେତ୍ରରୁ ଆରମ୍ଭ କରି ଅନ୍ୟାନ୍ୟ କ୍ଷେତ୍ରରେ ଏହାର ସୁବିଧା ପାଇପାରିବେ ବୋଲି ଆଶା କରାଯାଉଛି। ଏ ନେଇ ସମାଜର ସାଧାରଣ ଜନତା ବେଶ୍ ଖୁସି ଅନୁଭବ କରିଥିବା କହିଛନ୍ତି।

ତେବେ ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ପରେ ବସନ୍ତିଆ ସମ୍ପ୍ରଦାୟ ନେତୃବୃନ୍ଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାଧୁବାଦ ଜ୍ଞାପନ କରିଛନ୍ତି। ଗତ କିଛି ବର୍ଷ ଧରି ରାଜ୍ୟ ସରକାରଙ୍କ ପଛୁଆ ବର୍ଗ ତାଲିକାରେ ସ୍ଥାନ ପାଇବା ପାଇଁ ବିଭିନ୍ନ ଫୋରମରେ ଦାବି ଉପସ୍ଥାପନ କରି ଆସୁଥିଲା ଏହି ସମାଜ। ବର୍ତ୍ତମାନ ସରକାର ଏହି ବର୍ଗର ବ୍ୟକ୍ତିବିଶେଷଙ୍କୁ ପଛୁଆ ବର୍ଗ ତାଲିକାରେ ସ୍ଥାନ ପ୍ରଦାନ କରିଥିବାରୁ ଏହାକୁ ନେଇ ସେମାନେ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି। ଛତ୍ରପୁର ବ୍ଲକ୍ ଭିକାରୀପଲ୍ଲୀ ଶିବ ମନ୍ଦିରରେ ବସନ୍ତିଆ ଓଡ଼ିଆ ଯୁବ ସମାଜର ଏକ ସମାବେଶ ସଭାପତି ଭାସ୍କର ନାହାକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା। ସମ୍ପାଦକ ଭିକାରୀ ଚରଣ ନାୟକଙ୍କ ସମେତ ବହୁ ନେତୃବୃନ୍ଦ ଉପସ୍ଥିତ ଥିଲେ।