ବାଇକକୁ ଧକ୍କା ଦେଲା କାର୍ : ସ୍ୱାମୀ ମୃତ ଓ ସ୍ତ୍ରୀ ଗୁରୁତର , କାରରେ ଥିବା ଆଇଆଇସି ଆହତ | News Room Odisha

ବାଇକକୁ ଧକ୍କା ଦେଲା କାର୍ : ସ୍ୱାମୀ ମୃତ ଓ ସ୍ତ୍ରୀ ଗୁରୁତର , କାରରେ ଥିବା ଆଇଆଇସି ଆହତ

ବଲାଙ୍ଗୀର – ବଲାଙ୍ଗୀର ୨୬ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା । ଏକ ବାଇକକୁ କାର ଧକ୍କା ଦେବା ଯୋଗୁଁ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ବାଇକକୁ ଧକ୍କା ଦେଇଥିବା କାରରେ ଥିବା ଥାନା ଆଇଆଇସି ମଧ୍ୟ ଆହତ ହୋଇଛନ୍ତି।

ଆଜି ଅପରାହ୍ନରେ ଘଟିଛି ଦୁର୍ଘଟଣା । ଟିଟିଲାଗଡ଼ ଥାନା ଆଇଆଇସି ମନୋଜ ପ୍ରଧାନ ଆଜି ଗୋଟିଏ କାର୍‌ ଭଡ଼ା କରି ବରଗଡ଼ରୁ ଅଫିସ୍‌ ଆସୁଥିଲେ। ୨୬ ନମ୍ୱର ଜାତୀୟ ପଥର ଛାତମଖନା ଛକରେ ସମ୍ମୁଖରୁ ଆସିଥିବା ଏକ ବାଇକ୍‌କୁ ଧକ୍କା ଦେଇଥିଲା କାର୍‌। ଘଟଣା ସ୍ଥଳରେ ବାଇକ୍‌ ଚାଳକ ଦୁର୍ଗାପାଲି ଗାଁର ପାଲେଶ୍ୱର ଘିବେଲାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଏଥିରେ ତାଙ୍କ ସ୍ତ୍ରୀ ପିଙ୍କି ଗୁରୁତର ଆହତ ହୋଇଛନ୍ତି । ଉଭୟ ପିଙ୍କି ଓ କାରରେ ଥିବା ଆଇଆଇସି ମନୋଜ ପ୍ରଧାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପିଙ୍କିଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା, ସେ ନେଇ ତଦନ୍ତ କରୁଛି ପୋଲିସ।