ଆରପାରିରେ ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତି  | News Room Odisha

ଆରପାରିରେ ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତି 

ଭୁବନେଶ୍ୱର – ବରିଷ୍ଠ ବିଜେଡି ନେତା, ପୂର୍ବତନ ମନ୍ତ୍ରୀ ତଥା ବାଚସ୍ପତି ମହେଶ୍ବର ମହାନ୍ତିଙ୍କ ପରଲୋକ ହୋଇଯାଇଛି । ୬୭ ବର୍ଷ ବୟସରେ ଆଖି ବୁଜିଛନ୍ତି ମହେଶ୍ୱର ମହାନ୍ତି। ଭୁବନେଶ୍ୱରରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ମହେଶ୍ୱର ମହାନ୍ତି। ରାତି ୩ଟା ୨୫ ମିନିଟରେ ତାଙ୍କ ଦେହାନ୍ତ ହୋଇଛି । ଗୁରୁତର ଅସୁସ୍ଥ ହେତୁ ଅକ୍ଟୋବର ୩୧ ତାରିଖରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

୧୯୫୬ ମସିହା ଫେବ୍ରୁଆରୀ ୨୬ ତାରିଖରେ ଜନ୍ମ ଗ୍ରହଣ କରିଥିବା ମହେଶ୍ବର ମହାନ୍ତି ଉତ୍କଳ ବିଶ୍ଵବିଦ୍ୟାଳୟରୁ ଆଇନରେ ସ୍ନାତକ ଓ ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ । ଛାତ୍ର ଜୀବନରୁ ହିଁ ସେ ରାଜନୀତି ପ୍ରତି ଆକୃଷ୍ଟ ହୋଇଥିଲେ । ସ୍ଥାନୀୟ ରାଜନୀତିରେ ସକ୍ରିୟ ଥିଲେ ମହେଶ୍ୱର। ୧୯୭୫ ମସିହାରେ ପୁରୀ ମ୍ଯୁନିସିପାଲିଟିକୁ କାଉନସିଲର ଭାବେ ସେ ନିର୍ବାଚିତ ହୋଇଥିଲେ । ଏହାଛଡା ୧୯୮୫ରୁ ୧୯୯୦ ପର୍ଯ୍ୟନ୍ତ ପୁରୀ ମ୍ୟୁନିସିପାଲିଟିର ଅଧ୍ୟକ୍ଷ ଥିଲେ ମହେଶ୍ୱର ମହାନ୍ତି।

ପୁରୀ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୫ ଥର ନିର୍ବାଚିତ ହୋଇଥିଲେ ମହେଶ୍ୱର । ୧୯୯୫ରୁ ୨୦୧୯ ଯାଏଁ ସେ ବିଧାୟକ ଥିଲେ । ଥରେ ସେ ଜନତା ଦଳ ଟିକେଟରେ ଓ ଲଗାତର ଚାରିଥର ବିଜେଡି ଟିକେଟରେ ନିର୍ବାଚନ ଲଢ଼ି ବିଧାନସଭାକୁ ନିର୍ବାଚିତ ହୋଇଥିଲେ ମହେଶ୍ୱର ମହାନ୍ତି। ବିଜେଡି ସରକାରରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଥିଲେ ମହେଶ୍ୱର ମହାନ୍ତି । ୨୦୧୧ରେ ପଞ୍ଚାୟତିରାଜ ମନ୍ତ୍ରୀ, ୨୦୧୨ରେ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ସହ ଯୋଜନା ଏବଂ ସମନ୍ୱୟ ମନ୍ତ୍ରୀ ଥିଲେ । ୨୦୧୩ରେ ଆଇନ ମନ୍ତ୍ରୀ ଭାବେ ମଧ୍ୟ ସେ କାର୍ଯ୍ୟ କରିଥିଲେ । ୨୦୧୭ରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସମ୍ଭାଳିଥିଲେ ମହେଶ୍ୱର ।

୨୦୦୪ରୁ ୨୦୦୮ ମସିହା ଯାଏଁ ବିଧାନସଭାର ବାଚସ୍ପତି ଥିଲେ ମହେଶ୍ୱର ମହାନ୍ତି।