ମ୍ୟାକ୍ସଓ୍ବେଲଙ୍କ ଅବିଶ୍ବସନୀୟ ଦ୍ୱିଶତକ, ସେମିଫାଇନାଲରେ ଅଷ୍ଟ୍ରେଲିଆ  | News Room Odisha

ମ୍ୟାକ୍ସଓ୍ବେଲଙ୍କ ଅବିଶ୍ବସନୀୟ ଦ୍ୱିଶତକ, ସେମିଫାଇନାଲରେ ଅଷ୍ଟ୍ରେଲିଆ 

ମୁମ୍ବାଇ: ଗ୍ଲେନ୍ ମ୍ୟାକ୍ସଓ୍ବେଲଙ୍କ ଅବିଶ୍ବସନୀୟ ଦ୍ୱିଶତକ ସହାୟତାରେ ଅଷ୍ଟ୍ରେଲିଆ ବିଶ୍ୱକପରେ ମଙ୍ଗଳବାର ଆଫଗାନିସ୍ତାନ ବିପକ୍ଷରେ ପରାଜୟରୁ ବର୍ତ୍ତିଯାଇ ରୋମାଞ୍ଚକର ବିଜୟ ହାସଲ କରିଛି । ଆଫଗାନିସ୍ତାନ ପ୍ରଦତ୍ତ ୨୯୨ ରନର ଟାର୍ଗେଟ୍ ଜବାବରେ ଅଷ୍ଟ୍ରେଲିଆ ଏକଦା ୯୧ ରନରେ ୭ ଓ୍ବିକେଟ୍ ହରାଇ ପରାଜୟ ଦ୍ବାର ଦେଶରେ ପହଞ୍ଚି ଯାଇଥିଲା । ହେଲେ ମ୍ୟାକ୍ସଓ୍ବେଲ ବିଶ୍ବକପ୍ ଇତିହାସର ଅନ୍ୟତମ ଶ୍ରେଷ୍ଠ ତଥା ଅବିସ୍ମରଣୀୟ ଇନିଂସ୍ ଖେଳି ଅଷ୍ଟ୍ରେଲିଆକୁ ଏକାକୀ ବିଜୟମଣ୍ଡିତ କରିଥିଲେ । ଅଷ୍ଟ୍ରେଲିଆ ୧୯ଟି ବଲ୍ ବାକିଥାଇ ମ୍ୟାଚ୍ ଜିତିନେଇଥିଲା । ମ୍ୟାକ୍ସଓ୍ବେଲ ମାତ୍ର ୧୨୮ ବଲରେ ଅପରାଜିତ ୨୦୧ ରନ୍ କରି ଆଫଗାନିସ୍ତାନ ଠାରୁ ବିଜୟ ଛଡ଼ାଇ ଆଣିଥିଲେ । ଅଷ୍ଟମ ୱିକେଟରେ ମ୍ୟାକ୍ସଓ୍ବେଲ ଅଧିନାୟକ ପ୍ୟାଟ୍ କମିନ୍ସଙ୍କ ସହ ୨୦୨ ରନର‌ ରେକର୍ଡ ଭାଗିଦାରୀ କରି ଅଷ୍ଟ୍ରେଲିଆକୁ ଅସମ୍ଭବ ମନେ ହେଉଥିବା ବିଜୟ ଦେଇଥିଲେ । କମିନ୍ସ ୬୮ ବଲରେ ୧୨ ରନ୍ କରି ଅପରାଜିତ ରହିଥିଲେ । ମ୍ୟାକ୍ସଓ୍ବେଲ ଏହି ମ୍ୟାଚ୍ ବିଜୟୀ ଦ୍ୱିଶତକ ବେଳେ ଆହତ ହୋଇଥିଲେ । କିନ୍ତୁ ସେ ଅଟକି ନଥିଲେ କି କ୍ଳାନ୍ତ ହୋଇନଥିଲେ ।

ମ୍ୟାକ୍ସଓ୍ବେଲଙ୍କ ଦୁଇଟି କ୍ୟାଚ୍ ହାତଛଡ଼ା କରିବା ଆଫଗାନିସ୍ତାନକୁ ମଧ୍ୟ ମହଙ୍ଗା ପଡ଼ିଥିଲା। ବିଜୟ ସହ ଅଷ୍ଟ୍ରେଲିଆ ଟୁର୍ଣ୍ଣାମେଣ୍ଟର ତୃତୀୟ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି ।

ମ୍ୟାକ୍ସଓ୍ବେଲଙ୍କ ଏହି ମ୍ୟାଚ୍ ବିଜୟୀ ଦ୍ୱିଶତକ ହେଉଛି ଚେଜ୍ କଲାବେଳେ ଅନ୍ତର୍ଜାତୀୟ ଦିନିକିଆରେ ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର୍ । ଏହା ବିଶ୍ଵକପ ଇତିହାସରେ ତୃତୀୟ ସର୍ବାଧିକ ବ୍ୟକ୍ତିଗତ ସ୍କୋର୍ ଓ ଦିନିକିଆରେ ଅଷ୍ଟ୍ରେଲିଆ ପାଇଁ ସର୍ବାଧିକ ।

ଆଫଗାନିସ୍ତାନ ଟସ୍ ଜିତି ବ୍ୟାଟିଂ କରିଥିବା ବେଳେ ୫ ୱିକେଟ୍ ହରାଇ ୨୯୧ ରନର ଚ୍ୟାଲେଞ୍ଜିଂ ସ୍କୋର୍ କରିଥିଲା । ଦଳ ପକ୍ଷରୁ ଓପନର୍ ଇବ୍ରାହିମ୍ ଜାଦ୍ରାନ୍ ୧୨୯ ରନର ଅପରାଜିତ ଇନିଂସ ଖେଳିଥିଲେ। ଅଷ୍ଟ୍ରେଲିଆ ୪୬.୫ ଓଭରରେ ୭ ୱିକେଟ୍ ହରାଇ ବାଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ଗ୍ଲେନ୍ ମ୍ୟାକ୍ସୱେଲ ଛକା ମାରି ଦଳର ବିଜୟରେ ମୁଣ୍ଡି ମାରିବା ସହ ଦ୍ବିଶତକ ମଧ୍ୟ ପୂରଣ କରିଥିଲେ ।

ଆଫଗାନିସ୍ତାନକୁ ବିପକ୍ଷ ଏହି ଅବିଶ୍ବସନୀୟ ବିଜୟ ସହ ଅଷ୍ଟ୍ରେଲିଆ ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଥିବାବେଳେ ଆଫଗାନିସ୍ତାନର ଆଶା କ୍ଷୀଣ ହୋଇଯାଇଛି। ଅଷ୍ଟ୍ରେଲିଆ ୮ ଟି ମ୍ୟାଚରେ ୬ଟି ବିଜୟରୁ ୧୨ ପଏଣ୍ଟ ପାଇଛି ଏବଂ ପଏଣ୍ଟ ଟେବୁଲରେ ଦଳ ତୃତୀୟ ସ୍ଥାନରେ ରହିଛି | ଅନ୍ୟପକ୍ଷରେ ଆଫଗାନିସ୍ତାନ ୮ଟି ମ୍ୟାଚରେ ୪ଟି ବିଜୟରୁ ୮ ପଏଣ୍ଟ ପାଇ ଦଳ ଷଷ୍ଠ ସ୍ଥାନରେ ରହିଛି |

ଅଷ୍ଟ୍ରେଲିଆ ପୂର୍ବରୁ ଭାରତ ଓ ଦକ୍ଷିଣ ଆଫ୍ରିକା ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିସାରିଛନ୍ତି। ଏବେ ଚତୁର୍ଥ ସ୍ଥାନ ପାଇଁ ଆଫଗାନିସ୍ତାନ ବ୍ୟତୀତ ନ୍ୟୁଜିଲ୍ୟାଣ୍ଡ, ପାକିସ୍ତାନ ମଧ୍ୟରେ ପ୍ରତିଯୋଗିତା ହେବ।