ସମ୍ବଲପୁର ଚିଡିଆଖାନାକୁ ଆସିଲା ନୂଆପଡାର ମଣିଷ ଖିଆ ବାଘ | News Room Odisha

ସମ୍ବଲପୁର ଚିଡିଆଖାନାକୁ ଆସିଲା ନୂଆପଡାର ମଣିଷ ଖିଆ ବାଘ

ସମ୍ବଲପୁର: ଗତକାଲି ବିଳମ୍ବିତ ରାତିରେ ସମ୍ବଲପୁରର ଚିଡିଆଖାନାକୁ ଆସିଛି ନୂଆପଡାର ମଣିଷ ଖିଆ ବାଘ। ହୀରାକୁଦ ବନ୍ୟପ୍ରାଣୀ ଡିଭିଜନର ଅଧିକାରୀ, ପ୍ରାଣୀ ଚିକିତ୍ସିତଙ୍କ ଏକ ସ୍ବତନ୍ତ୍ର ଟିମ ଏହାକୁ ସ୍ବତନ୍ତ୍ର କେଜରେ ଆଣିଛନ୍ତି। ଏଠାରେ ତାର ଚିକିତ୍ସା ଚାଲିଛି। ତାକୁ ଟ୍ରାଙ୍କୁଲାଇଜ କରାଯାଇନଥିବା ଡିଏଫଓ ଅଂଶୁପ୍ରଜ୍ଞା ଦାସ କହିଛନ୍ତି। ଚିକିତ୍ସା ପରେ ତାକୁ କେଉଁଠି ଛଡାଯିବ ସେନେଇ ଆଜି ଅପରାହ୍ନରେ ସୂଚନା ଦିଆଯିବ। ତେବେ ତାକୁ ଡେବ୍ରିଗଡ ଅଭୟାରଣ୍ୟରେ ଛାଡିବାକୁ ଯୋଜନା ହେଉଥିବା କୁହାଯାଉଛି।

ଅନେକ ଦିନ ହେଲା ସୁନାବେଡା ଅଞ୍ଚଳରେ ଆତଙ୍କ ଖେଳାଇ ଆସିଥିଲା ଏହି ବାଘ। ପ୍ରଥମ କରି ସୁନାବେଡା କଟିଙ୍ଗପାଣି ଗାଁର ଗୋଧସପଡାର ହୋମନ ଧୁରୁଆଙ୍କ ୬ ବର୍ଷର ଶିଶୁପୁତ୍ରକୁ ଏହି ବାଘ ଝାମ୍ପି ନେଇଥିଲା। ସେହିପରି ସିଲିଆରିବାହାରା ଗାଁର ରମେଶ ମାଝୀଙ୍କୁ ମାରି ଖାଇ ଦେଇଥିଲା। ଆଉ ସେହିଦିନ ସନ୍ଧ୍ୟାରେ କାଦୋପାଲି ଗାଁର ବାଳକରାମ ବରିହାଙ୍କ ୮ ବର୍ଷର ଶିଶୁପୁତ୍ରକୁ ଝାମ୍ପି ନେଉଥିବା ବେଳେ ଗ୍ରାମବାସୀ ତାକୁ ଉଦ୍ଧାର କରିଥିଲେ। ଏହାଛଡା ବହୁ ସଂଖ୍ୟାରେ ଗୃହପାଳିତ ପଶୁମାନଙ୍କ ଶିକାର କରିସାରିଛି ଏହି କଲରାପତ୍ରିଆ।