ଆଜି ଓଡ଼ିଶା ପାଳୁଛି ମାଣ୍ଡିଆ ଦିବସ  | News Room Odisha

ଆଜି ଓଡ଼ିଶା ପାଳୁଛି ମାଣ୍ଡିଆ ଦିବସ 

ଭୁବନେଶ୍ୱର – ଓଡ଼ିଶାରେ ଆଜି ପାଳନ ହେଉଛି ମାଣ୍ଡିଆ ଦିବସ । ଗତବର୍ଷଠାରୁ ମାଣ୍ଡିଆ ଦିବସ ରାଜ୍ୟରେ ପାଳନ ହେଉଛି । ପ୍ରତିବର୍ଷ ନଭେମ୍ବର ୧୦ ତାରିଖକୁ ମାଣ୍ଡିଆ ଦିବସ ଭାବେ ପାଳନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ ।ସଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ମାଣ୍ଡିଆ ଦିବସ ପାଳନ କରୁଛି । ମାଣ୍ଡିଆ ଚାଷକୁ ଉତ୍ସାହିତ କରିବା ସହ ମାଣ୍ଡିଆରୁ ପ୍ରସ୍ତୁତ ସ୍ୱାଦିଷ୍ଟ ଓ ପୁଷ୍ଟିକର ଖାଦ୍ୟ ସାମଗ୍ରୀର ପ୍ରସାର ଉଦ୍ଦେଶ୍ୟରେ ମାଣ୍ଡିଆ ଦିବସ ପାଳନ ହେଉଛି।

ପ୍ରଥମେ ରାଜ୍ୟର ୭ଟି ଜିଲ୍ଲାରୁ ଆରମ୍ଭ ହୋଇଥିବା ମିଲେଟ ମିଶନ ଏବେ ସମସ୍ତ ୩୦ ଜିଲ୍ଲାର ୧୭୭ ବ୍ଲକରେ କାର୍ଯ୍ୟକାରୀ ହେଉଛି । ପୋଷକ ତତ୍ତ୍ବରେ ଭରପୁର ମାଣ୍ଡିଆ । ମାଣ୍ଡିଆକୁ ପରବର୍ତ୍ତୀ ପର୍ଯ୍ୟାୟରେ ପହଞ୍ଚାଇବା ସହ ପୂରା ବିଶ୍ବରେ ଏହାର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ମାଣ୍ଡିଆ ଦିବସ ପାଳନ କରୁଛି ଓଡ଼ିଶା ।ମାଣ୍ଡିଆ ଚାଷ ପାଇଁ ଚାଷୀଙ୍କୁ ସ୍ବତନ୍ତ୍ର ପ୍ରୋତ୍ସାହନ ରାଜ୍ୟ ସରକାର ଯୋଗାଇ ଦେଉଛନ୍ତି । ଚାଉଳ ଓ ଗହମ ଭଳି ୧୫ଟି ଜିଲ୍ଲାରେ ରାସନରେ ମାଣ୍ଡିଆ ପ୍ରଦାନ କରାଯାଉଛି । ଏହାସହ ପ୍ରତି ଥାଳିରେ ମାଣ୍ଡିଆକୁ ବ୍ୟବହାର କରିବା ପାଇଁ ସ୍କୁଲର ମଧ୍ୟାହ୍ନଭୋଜନ, ଡାକ୍ତରଖାନା କ୍ୟାଣ୍ଟିନ, ସରକାରୀ କାର୍ଯ୍ୟାଳୟ ଓ ବୈଠକ, ହୋଟେଲମାନଙ୍କରେ ମାଣ୍ଡିଆକୁ ସାମିଲ କରାଯାଉଛି । ପୋଷକ ତତ୍ତ୍ବରେ ଭରା ମାଣ୍ଡିଆର ପ୍ରଚାର ଓ ପ୍ରସାର ପାଇଁ ଓଡ଼ିଶା ପ୍ରଥମ ରାଜ୍ୟଭାବେ ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀ ଆୟୋଜନ କରି ପୂରା ବିଶ୍ବର ଦୃଷ୍ଟି ଆକର୍ଷଣ କରୁଛି ।

ଭୁବନେଶ୍ୱରରେ ଗତକାଲି ଆରମ୍ଭ ହୋଇଥିବା ଅନ୍ତର୍ଜାତୀୟ ମାଣ୍ଡିଆ ସମ୍ମିଳନୀର ଆଜି ଦ୍ବିତୀୟ ଦିନରେ ଅନେକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ ରହିଛି । ଏସଏଚଜି ଏସଏମଇରେ ରୂପାନ୍ତରିତ ହେବାରେ କିଭଳି ମାଣ୍ଡିଆ ଉପଯୋଗୀ ହୋଇଛି ସେନେଇ ଆଲୋଚନା କରାଯିବ । ରାଉଣ୍ଡଟେବୁଲ ବୈଠକରେ ମାଣ୍ଡିଆକୁ ବିଶ୍ବରେ ପହଞ୍ଚାଇବାକୁ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା କରାଯିବ । ସେହିପରି ମାଣ୍ଡିଆକୁ ନେଇ କିପରି ଷ୍ଟାର୍ଟଅପ କରାଯାଇପାରିବ ସେନେଇ ମାନସମନ୍ଥନ କରାଯିବ । ମାଣ୍ଡିଆ ଖାଦ୍ୟ ପ୍ରସ୍ତୁତି ପ୍ରତିଯୋଗିତା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।